ବିଶ୍ବ ମାନ୍ୟତାର ଦ୍ବିତୀୟରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

Advertisment
ବିଶ୍ବ ମାନ୍ୟତାର ଦ୍ବିତୀୟରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

DNA India

ନୂଆଦିଲ୍ଲୀ : ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ (୬୫ କେଜି) ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତା‌ର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମାନ୍ୟତାର ଶ୍ରେଷ୍ଠ ୪ ମଧ୍ୟରେ ରହିବା ନିଶ୍ଚିତ କରିଛନ୍ତି। ୬୫ କେଜି ବର୍ଗରେ ବଜରଙ୍ଗଙ୍କଠୁ ଗୋଟିଏ ପଏଣ୍ଟ୍‌ ଆଗରେ ରହି ରୁଷୀୟ ଅଲିମ୍ପିକ୍ସ ବିଜେତା ଗାଝିମୁରାଦ ରସିଦୋଭ (୬୦ ପଏଣ୍ଟ୍‌) ଶୀର୍ଷରେ ରହିଥିଲା ବେଳେ କାଜାକସ୍ତାନର ଦୌଲତ ନିୟାଜବେକୋଭ (୫୬) ତୃତୀୟରେ ଅଛନ୍ତି। ଯଦି ବି ଭାରତ ଓ ରୁଷିଆ ଖେଳାଳି ଶେଷ ମାନ୍ୟତା ପ୍ରତିଯୋଗିତା ନ ଖେଳନ୍ତି ତଥାପି ଅଲିମ୍ପିକ୍ସ କ୍ରୀଡ଼ା ମାନ୍ୟତାର ଶ୍ରେଷ୍ଠ ୪ ମଧ୍ୟରେ ରହିବା ନିଶ୍ଚିତ ହୋଇଛି। ପୂର୍ବରୁ ବଜରଙ୍ଗ ତୃତୀୟରେ ରହିଥିଲେ। ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିବା‌ ପରେ ତାଙ୍କ ମାନ୍ୟତାରେ ଉନ୍ନତି ହୋଇଥିଲା। ସେହିପରି ୫୭ ‌କିଲୋଗ୍ରାମ ବର୍ଗରେ ଉଦୀୟମାନ ଭାରତୀୟ କୁସ୍ତିବିତ୍‌ ରବି ଦାହିୟା ଚତୁର୍ଥ ସ୍ଥାନ‌ରେ ଅଛନ୍ତି। ସେ ୪୫ ପଏଣ୍ଟ୍‌ ପାଇଥିଲା ବେଳେ ତାଙ୍କ ଆଗରେ ବିଶ୍ବ ବିଜେତା ରୁଷିଆର ଜୌର ଉଗୁଏଭ (୬୦ ପଏଣ୍ଟ୍‌), ସୁଲେମାନ ଅତିଲ (୫୮ ପଏଣ୍ଟ୍‌) ଓ ଷ୍ଟିଭେନ୍‌ ମିସିକ (୪୮ ପଏଣ୍ଟ୍‌) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥା‌ନରେ ରହିଛନ୍ତି। ୮୬ ‌କିଲୋଗ୍ରାମ‌ ବର୍ଗରେ ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜେତା ଦୀପକ ପୁନିଆ ଦ୍ବିତୀୟରେ ରହିଥିଲା ବେଳେ ଇରାନ କିଂବଦନ୍ତି ହାସନ ୟାଜଦାନୀ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଅଲିମ୍ପିକ୍ସ ଓଜନ ବର୍ଗ ୭୪ କେଜି, ୯୭ କେଜି ଓ ୧୨୫ କେଜିରେ କୌଣସି ଭାରତୀୟ ‌ଶ୍ରେଷ୍ଠ ୧୦ ମଧ୍ୟରେ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe