ନମୁନା ନଦେବା ମହଙ୍ଗା ସାବ୍ୟସ୍ତ: ବଜରଙ୍ଗ ନିଲମ୍ବିତ

Advertisment
ନମୁନା ନଦେବା ମହଙ୍ଗା ସାବ୍ୟସ୍ତ: ବଜରଙ୍ଗ ନିଲମ୍ବିତ

ନୂଆଦିଲ୍ଲୀ: ଡୋପ୍ ପରୀକ୍ଷଣ ଲାଗି ନମୁନା ଦେବାକୁ ମନା କରିବା ପରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ ବା ନାଡା ତାରକା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି। ଗତମାସ ୨୩ ତାରିଖରୁ ଏହି ନିଲମ୍ବନ ଆଦେଶ ଲାଗୁ କରାଯାଇଥିଲା ବେଳେ ଚଳିତ ମାସ ୭ ତାରିଖ ସୁଦ୍ଧା ଏହାର କାରଣ ସ୍ପଷ୍ଟ କରିବାକୁ ତାଙ୍କୁ ନାଡା ନିର୍ଦ୍ଦେଶ ଦେଇଛି। ଉତ୍ତର ନରଖିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛି। ଏସୀୟ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଗତ ମାର୍ଚ୍ଚ ୧୦ ତାରିଖରେ ହରିୟାଣାର ସୋନେପତରେ ଆୟୋଜିତ ଚୟନ ଶିବିରରେ ବଜରଙ୍ଗ ନିଜ ଲଢ଼େଇ ହାରିଯାଇଥିଲେ। ଏହା ପରେ ଡୋପ୍ ପରୀକ୍ଷା ଲାଗି ନମୁନା ପ୍ରଦାନ ନକରି ଆୟୋଜନ ସ୍ଥଳରୁ ଚାଲିଯାଇଥିଲେ। ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛି ନାଡା। ଏହି ଅଭିଯୋଗକୁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ବଜରଙ୍ଗ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ନମୁନା ସଂଗ୍ରହ କରିବା ଲାଗି ପୁରୁଣା ଓ ସମୟ ଚାଲିଯାଇଥିବା କିଟ୍ ବ୍ୟବହାର କରିଥିବାରୁ ଏହାକୁ କେବଳ ବଦଳାଇବାକୁ ମୁଁ କହିଥିଲି। ମୋ ଓକିଲ ଏହି ଆଦେଶ ବିରୋଧରେ ଉତ୍ତର ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ।

ସେହିଭଳି ନାଡାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଂଜୟ ସିଂହ ମଧ୍ୟ ସମାଲୋଚନା କରିଛନ୍ତି। ମହାସଂଘ ଆମକୁ ଏହି ବିଷୟ ନଜଣାଇ, ବଜରଙ୍ଗଙ୍କୁ ସିଧାସଳଖ ନିଲମ୍ବିତ କରି ଏକ ଖରାପ ପରମ୍ପରା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ସିଂହ ସରଣଙ୍କ ବିରୋଧରେ ଧାରଣ ଦେଇ ବଜରଙ୍ଗ ବେଶ୍ ଚର୍ଚ୍ଚିତ ହୋଇଥିଲେ। ସେବେଠାରୁ ତାଙ୍କ ପ୍ରଦର୍ଶନ କିନ୍ତୁ ନିମ୍ନଗାମୀ ରହିଛି। ଏପର୍ଯ୍ୟନ୍ତ ସେ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିପାରିନାହାନ୍ତି। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବାରୁ ପ୍ୟାରିସ୍‌ରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ଆଶା କରାଯାଉଥିଲା। ହେଲେ ବିଭିନ୍ନ ସମୟରେ ବିବାଦ ଘେରକୁ ଆସିବାପରେ ତାଙ୍କର ଏହି ଆଶା କ୍ରମଶଃ ମଉଳିବାରେ ଲାଗିଛି। ଭାରତୀୟ କୁସ୍ତି ମଧ୍ୟ ବିବାଦୀୟ ପରିସ୍ଥିତିରେ ସମ୍ମୁଖୀନ ହୋଇ ଏହାର ଅସଲ ଚମକ ହରାଇବାକୁ ବଶିଛି। ଏଣୁ ନୂଆ ସଭାପତି ସଂଜୟ ସିଂହ ଭାରତୀୟ କୁସ୍ତି ତାରକାଙ୍କୁ ମ୍ୟାଟ୍‌ ବାହାର କଥା ପରିବର୍ତ୍ତେ ନିଜ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe