ବଲ୍‌ ବିକୃତୀକରଣ: ୫ ପୁରୁଣା ଉଦାହରଣ

Advertisment
ବଲ୍‌ ବିକୃତୀକରଣ: ୫ ପୁରୁଣା ଉଦାହରଣ

Pakistan Cricket Team PCT - WordPress.com

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଖେଳାଳିଙ୍କ କଳଙ୍କିତ ବଲ୍‌ ବିକୃତୀକରଣ ଘଟଣା କ୍ରିକେଟ୍‌ ଦୁନିଆରେ ନୂଆ ନୁହେଁ। କେପ୍‌ଟାଉନ୍‌ କଳଙ୍କିତ ଘଟଣା ପରିପ୍ରେକ୍ଷୀରେ ଟେଷ୍ଟ୍‍ କ୍ରିକେଟ୍‌ରେ ଘଟିଥିବା ୫ଟି ପ୍ରମୁଖ ବଲ୍‌ ବିକୃତି ଘଟଣାର ଅବତାରଣା କରାଯାଉଛି।

୨୦୧୬: ଫାପ୍‌ ଡୁ ପ୍ଲେସିସ୍‌
ଅଷ୍ଟ୍ରେଲିଆର ବର୍ତମାନର ପ୍ରତିଦ୍ୱନ୍ଦ୍ୱୀ ଦଳ ଦକ୍ଷିଣ ଆଫ୍ରିକା ନାମରେ ମଧ୍ୟ ରହିଛି ଏଭଳି କଳଙ୍କ। ବିଗତ ୫ ବର୍ଷ ଭିତରେ ଦକ୍ଷିଣ ଆଫ୍ରିକା ଖେଳାଳି ୩ ଥର ଏଭଳି କଳଙ୍କିତ ଅଧ୍ୟାୟରେ ଯୋଡ଼ି ହୋଇଥିଲେ। ବର୍ତମାନର ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ ମଧ୍ୟ ଏଥରୁ ବାଦ୍‌ ପଡ଼ିନଥିଲେ। ହୋବାର୍ଟ ଟେଷ୍ଟ୍‍ରେ ଏହି ବ୍ୟାଟସମ୍ୟାନ କ୍ୟାମେରାରେ ଧରାପଡ଼ିଥିଲେ। ବଲ୍‌ରେ ପାଟିରୁ ଲାଳ ମିଶ୍ରିତ ଚୁଇଗମ୍‌ ଭଳି ସାମଗ୍ରୀ ଲଗାଉଥିବା ଦେଖାଯାଉଥିଲା। ଅଷ୍ଟ୍ରେଲିଆ ଅଭିଯୋଗ କରିନଥିଲେ ମଧ୍ୟ ଆଇସିସି ନିଜ ଆଡୁ ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଉପରେ ୧୦୦ ପ୍ରତିଶତ ମ୍ୟାଚ୍‌ ପାଉଣା କାଟିବାର ଦଣ୍ଡ ଲଦିଥିଲା। ସେ ନିଲମ୍ବନରୁ ବର୍ତିଯାଇଥିଲେ ଏବଂ ପରବର୍ତୀ ଟେଷ୍ଟ୍‍ରେ ଶତକ ସହ ଆତ୍ମବିଶ୍ୱାସକୁ ଫେରିଥିଲେ।

୨୦୧୩: ଫାପ୍‌ ଡୁ ପ୍ଲେସିସ୍‌
୨୦୧୩ ମସିହାରେ ପାକିସ୍ତାନ ବିପକ୍ଷ ଦୁବାଇ ଟେଷ୍ଟ୍‍ ବେଳେ ମଧ୍ୟ ଫାପ୍‌ ଡୁ ପ୍ଲେସିସ୍‌ ମଧ୍ୟ କୌଣସୀ ଏକ ସାମଗ୍ରୀ ଜରିଆରେ ବଲ୍‌ର ବିକୃତି କରିବାକୁ ଚେଷ୍ଟା କରିଥିଲେ। ନିଜ ଟ୍ରାଉଜର୍‌ ପକେଟରେ ଥିବା ଜିପ୍‌ରେ ବଲ୍‌କୁ ଘସି ସେ ବିକୃତ କରିବାକୁ ପ୍ରୟାସ କରି ଧରାପଡ଼ିଥିଲେ। ଏଥର ସେ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ହରାଇଥିଲେ। ବର୍ଷକ ପରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭର୍ନାନ ଫିଲାଣ୍ଡରଙ୍କ ପାଇଁ ନିନ୍ଦିତ ହୋଇଥିଲା। ବଲ୍‌କୁ ସେ ନଖରେ ଆମ୍ପୁଡି କଦର୍ଥ କରୁଥିବା ଧରାପଡ଼ିଥିଲେ।

୨୦୦୬: ପାକିସ୍ତାନ
ସାମ୍ପ୍ରତିକ ସମୟର ସବୁଠାରୁ କୁଖ୍ୟାତ ବଲ୍‌ ବିକୃତ ଅଧ୍ୟାୟ ଘଟିଥିଲା ପାକିସ୍ତାନ ସମ୍ପୃକ୍ତିରେ। ୧୨ ବର୍ଷ ତଳେ ଓଭାଲ୍‌ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‍ ବେଳେ ପାକିସ୍ତାନ ଖେଳାଳି ବଲ୍‌ ବିକୃତ କରୁଥିବା ଜଣାପଡ଼ିବାରୁ ଅମ୍ପାୟାର୍‌ ଡାରେଲ୍‌ ହେୟାର୍‌ ଓ ବିଲି ଡକ୍ଟ୍ରୋଭ୍‌ ଇଂଲଣ୍ଡକୁ ୫ ପେନାଲ୍‌ଟି ରନ୍‌ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ଇଞ୍ଜାମାମ ଉଲ ହକ୍‌ଙ୍କ ଦଳ ଚା’ପାନ ବିରତି ପରେ ପଡ଼ିଆକୁ ଆସିବାକୁ ମନା କରି ଦେଇଥିଲେ। ଏହା ପରେ ଅମ୍ପାୟାର୍‌ ଇଂଲଣ୍ଡକୁ ବିଜୟୀ ଘୋଷଣା କରି ଦେଇଥିଲେ। ଟେଷ୍ଟ୍‍ କ୍ରିକେଟ୍‌ ଇତିହାସରେ ଏହା ଥିଲା ପ୍ରଥମ ଘଟଣା ଯେ, ଗୋଟିଏ ଦଳ ନ ଖେଳିବାରୁ ପ୍ରତିପକ୍ଷକୁ ବିଜୟୀ ଘୋଷଣା କରାଯାଇଥିଲା। ତେବେ ପାକିସ୍ତାନକୁ ପରବର୍ତୀ ସମୟରେ ବଲ୍‌ ବିକୃତି ଅଭିଯୋଗରୁ ଆଇସିସି ଦୋଷମୁକ୍ତ କରିଦେବାରୁ ବିବାଦୀୟ ଭାବେ ମ୍ୟାଚ୍‌କୁ ଅମୀମାଂସିତ ରହିଲା ବୋଲି ପରିବର୍ତନ କରାଯାଇଥିଲା।

୨୦୦୧: ସଚିନ ତେନ୍ଦୁଲକର
ଭାରତୀୟ କ୍ରିକେଟ୍‌ରେ ଈଶ୍ୱର ଭାବେ ପରିଚିତ ମହାନ ଖେଳାଳି ସଚିନ ତେନ୍ଦୁଲକର ବି ଏଭଳି କଳଙ୍କଠାରୁ ଦୂରେଇ ଯାଇ ନ ଥିଲେ। ୨୦୦୧ ମସିହାୋର ପୋର୍ଟ ଏଲିଜାବେଥ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବଲ୍‌ର ସିମ୍‌କୁ ସଚିନ୍‌ ବିକୃତ କରୁଥିବା ନଜରକୁ ଆସିଥିଲା। ଟେଲିଭିଜନ୍‌ ଫୁଟେଜ୍‌ରେ ଏହା ପ୍ରମାଣିତ ହୋଇଥିଲା। ବାସ୍ତବରେ ବଲ୍‌ ସିମ୍‌ରୁ ସେ ଗୁଣ୍ଡ ଘାସ କାଢ଼ୁଥିଲେ। ତେବେ ମ୍ୟାଚ୍‌ ରେଫରି ମାଇକ୍‌ ଡେନିସ୍‌ ସଚିନଙ୍କ ଉପରେ ଗୋଟିଏ ମ୍ୟାଚ୍‌ ନିଲମ୍ବନ ଲାଗୁ କରିଥିଲେ। ଏଣେ ଭାରତରେ ଦେଶସାରା ପ୍ରଶଂସକମାନେ ଡେନିସ୍‌ଙ୍କ ବିରୋଧରେ ତୀବ୍ର ସ୍ୱାର ଉତ୍ତୋଳନ କରିଥିଲେ। ତାଙ୍କ ନାମରେ ବର୍ଣ୍ଣବୈଷମ୍ୟର ଅଭିଯୋଗ ମଧ୍ୟ ଆଣିଥିଲେ ପ୍ରଶଂସକମାନେ। ଶେଷକୁ ଆଇସିସି ସଚିନଙ୍କୁ ଦୋଷମୁକ୍ତ କରିଥିଲା। କିନ୍ତୁ ଭାରତୀୟ ଦଳ ପରବର୍ତୀ ଟେଷ୍ଟ୍‍ରେ ଡେନିସ୍‌ଙ୍କୁ ମ୍ୟାଚ୍‌ ରେଫରି ମାନିବାକୁ ପ୍ରସ୍ତୁତ ହୋଇନଥିଲା।

୧୯୯୪: ମାଇକ୍‌ ଆଥରଟନ୍‌
ତତ୍‌କାଳୀନ ଇଂଲଣ୍ଡ ଅଧିନାୟକ ମାଇକ୍‌ ଆଥର୍‌ଟନ ନିଜ ପକେଟରୁ କିଛି କାଢ଼ି ବଲ୍‌ ବିକୃତ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ସେ ଏହାକୁ ଅସ୍ୱୀକାର କରିଥିଲେ। ସେ କିନ୍ତୁ ନିଜ ହାତକୁ ଶୁଖାଇବା ପାଇଁ ପକେଟରୁ କିଛି କାଢ଼ୁଥିବା କଥା କହିଥିଲେ। ତାଙ୍କ ନାମରେ ବଲ୍‌ ବିକୃତି ଅଭିଯୋଗ ହୋଇନଥିଲା, କିନ୍ତୁ ୨,୦୦୦ ଡଲାର ଜରିମାନା ଲାଗୁ କରାଯାଇଥିଲା। ଇସ୍ତଫା ଦେବାକୁ ବହୁ ଦାବି ହୋଇଥିଲେ ମଧ୍ୟ ଆଥର୍‌ଟନ୍‌ ୧୯୯୮ ମସିହା ପର୍ଯ୍ୟନ୍ତ ଦେଶର ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱରେ ରହିଥିଲେ।

୧୯୭୭ରେ ପ୍ରଥମ ପାକିସ୍ତାନ ସର୍ବାଧିକ

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଥର ୧୯୭୭ ମସିହାରେ ବଲ୍‌ ବିକୃତୀକରଣ କଳଙ୍କ ଲାଗିଥିଲା। ସେଥର ଇଂଲଣ୍ଡ ବିପକ୍ଷରେ ଭାରତ ଏଭଳି ଅଭିଯୋଗ ଆଣିଥିଲା। ମୋଟ ଉପରେ ଦେଖିଲେ ବିଗତ ୪୨ ବର୍ଷରେ ୧୨ ଥର ଏଭଳି ଘଟଣା ଘଟିଛି। ପାକିସ୍ତାନ ନାମରେ ଏଭଳି କଳଙ୍କ ସର୍ବାଧିକ ୫ ଥର ଲାଗିଛି।
(୧) ୧୯୯୭ ମସିହାରେ ଚେନ୍ନାଇ ଟେଷ୍ଟ୍‍ରେ ଇଂଲିସ୍‌ ଦ୍ରୁତ ବୋଲର ଜନ୍‌ ଲେଭର୍‌ ବଲ୍‌ରେ ଭେସଲିନ ଲଗାଉଥିବାର ଅଭିଯୋଗ ଆଣିଥିଲେ ଭାରତୀୟ ଅଧିନାୟକ ବିଶେନ୍‌ ସିଂହ ବେଦୀ। କିନ୍ତୁ ଏହି ଅଭିଯୋଗ ପ୍ରମାଣିତ ହୋଇପାରି ନଥିଲା।
(୨) ୧୯୯୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‍ରେ ପାକିସ୍ତାନୀ ଖେଳାଳି ଓ୍ଵାକର୍‌ ୟୁନୁସ୍‌ ଏବଂ ଓ୍ଵାସିମ୍‌ ଆକ୍ରମଙ୍କ ନାମରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ପ୍ରମାଣିତ ହୋଇପାରିନଥିଲା।
(୩) ୨୦୦୦ ମସିହାରେ ପାକିସ୍ତାନର ଓ୍ଵାକର୍‌ ୟୁନୁସ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ବଲ୍‌ ବିକୃତୀକରଣ ଅଭିଯୋଗରେ ନିଲମ୍ବିତ ହୋଇଥିଲେ। କଲମ୍ବୋରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଏହି ଘଟଣା ଘଟିଥିଲା। ଅଧିନାୟକ ମୋଇନ୍‌ ଖାନ ଏବଂ ଅଲରାଉଣ୍ଡର୍‌ ଆଝାର୍‌ ମେହମ୍ମୁଦଙ୍କ ମ୍ୟାଚ୍‌ ପାଉଣା ୩୦ ପ୍ରତିଶତ କଟାଯାଇଥିଲା।
(୪) ୨୦୦୨ ମସିହାରେ ହରାରେ ଟେଷ୍ଟ୍‍ରେ ପାକିସ୍ତାନର ସୋଏବ୍‌ ଅଖରତ୍‌ ଦାନ୍ତରେ ବଲ୍‌କୁ ବିକୃତ କରୁଥିବାର ଅଭିଯୋଗ ଲାଗିଥିଲା।
(୫) ୨୦୦୪ ମସିହାରେ ବ୍ରିସ୍‌ବେନରେ ଜିମ୍ବାେଓ୍ଵ ବିପକ୍ଷ ଦିନିକିଆରେ ଭାରତର ରାହୁଲ ଦ୍ରାବିଡ଼ ବଲ୍‌ରେ ଜେଲି ଲଗାଇଥିବା ଅଭିଯୋଗ ଆସିଥିଲା। ମ୍ୟାଚ୍‌ ରେଫରି କ୍ଲାଇବ୍‌ ଲୟଡ଼ ତାଙ୍କ ଉପରେ ଜରିମାନା କରିଥିଲେ।
(୬) ୨୦୧୦ ମସିହାରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସାହିଦି ଆଫ୍ରିଦି ବଲ୍‌କୁ ଜାଣିଶୁଣି ଘସିବାରୁ ତାଙ୍କ ଉପରେ ଦୁଇଟି ଟି-୨୦ ମ୍ୟାଚ୍‌ ନିଲମ୍ବନ ଲାଗୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe