ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ କ୍ରିକେଟ୍‌, ହକି, ବନ୍ଧୁକଚାଳନା ବାଦ୍

ଏକ ଅପ୍ରତ୍ୟାଶିତ ତଥା ବିତର୍କିତ ଓ ବିବାଦୀୟ ନିଷ୍ପତ୍ତିକ୍ରମେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରୁ କ୍ରିକେଟ୍, ହକି, ବ୍ୟାଡମିଣ୍ଟନ୍, କୁସ୍ତି, ବନ୍ଧୁକଚାଳନା ଭଳି ଲୋକପ୍ରିୟ ଖେଳକୁ ବାଦ୍ ଦିଆଯାଇଛି।

gjhgjgjh5456

ଲଣ୍ଡନ: ଏକ ଅପ୍ରତ୍ୟାଶିତ ତଥା ବିତର୍କିତ ଓ ବିବାଦୀୟ ନିଷ୍ପତ୍ତିକ୍ରମେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରୁ କ୍ରିକେଟ୍, ହକି, ବ୍ୟାଡମିଣ୍ଟନ୍, କୁସ୍ତି, ବନ୍ଧୁକଚାଳନା ଭଳି ଲୋକପ୍ରିୟ ଖେଳକୁ ବାଦ୍ ଦିଆଯାଇଛି। ଖର୍ଚ୍ଚ କମାଇବା ତଥା ପରିଚାଳନାଗତ ସମସ୍ୟାର ଦ୍ବାହି ଦେଇ ଟେବୁଲ୍ ଟେନିସ୍,  ସ୍କ୍ବା‌ସ୍, ଟ୍ରାଏଥଲନ ଓ ରଗ୍‌ବି ଭଳି ଖେଳକୁ ମଧ୍ୟ ସୂଚୀରୁ କାଢ଼ି ଦିଆଯାଇଛି। ସେହିଭଳି ତୀରନ୍ଦାଜିକୁ ପୁଣି ଥରେ ଅଣଦେଖା କରାଯାଇଛି। ୨୦୧୦ ମସିହା ପରେ ଏହି ଖେଳ ଆଉ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାରଣୀରେ ସାମିଲ ହୋଇନାହିଁ। ଏଥର ଫେରିବ ବୋଲି ଆଶା ଥିଲେ ମଧ୍ୟ ଆୟୋଜକମାନେ ତୀରଜାନ୍ଦିପ୍ରେମୀଙ୍କୁ ଆଉ ଥରେ ନିରାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ପୂରା ପ୍ରତିଯୋଗିତା ମାତ୍ର ୮ ମାଇଲ ପରିଧି ମଧ୍ୟରେ ଖେଳାଯିବ। ମାତ୍ର ୨ବର୍ଷ ପରେ ଆୟୋଜିତ ହେବାକୁ ଥିବା ଏହି ୭୮ ଦେଶୀୟ ବହୁରାଷ୍ଟ୍ରୀୟ କ୍ରୀଡ଼ାମହୋତ୍ସବ ମଧ୍ୟ କେବଳ ଚାରିଟି ସ୍ଥାନରେ ଆୟୋଜିତ ହେବ। ସର୍ବାଧିକ ୧୦ଟି ଖେଳରେ ହିଁ ପ୍ରତିଦ୍ବନ୍ଦ୍ବିତା ହେବ। ଏଭଳି ନିଷ୍ପତ୍ତି ପାଇଁ ଏହି କ୍ରୀଡ଼ା ମହୋତ୍ସବ ତାର ଚମକ ହରାଇବ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି।

ଏପରିକି ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦଳ ନପଠାଇବାକୁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)କୁ ଜାତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ତଥା ପୂର୍ବତନ ଅଲ୍‌ଇଂଲଣ୍ଡ ଓପନ୍ ବିଜେତା ପୁଲେଲା ଗୋପୀଚାନ୍ଦ ଆହ୍ବାନ କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ର ଅନ୍ୟତମ କିବଂଦନ୍ତି ପୁରୁଷ  ବିମଲ କୁମାର ମଧ୍ୟ ଗୋପୀଚାନ୍ଦଙ୍କୁ ସମର୍ଥନ କରି ଭାରତ ଏହି ପ୍ରତିଯୋଗିତାରୁ ଓହରିଯିବା ଠିକ୍ ହେବ ବୋଲି କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ପକ୍ଷରୁ ମଙ୍ଗଳବାର ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଏଭଳି ଘୋଷଣା କରାଯିବା ପରେ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଛି। ସଦସ୍ୟ ରାଷ୍ଟ୍ରମାନେ ମହାସଂଘର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଆଇଓଏ କିନ୍ତୁ ଏଥିନେଇ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ବାଦ୍ ପଡ଼ିଥିବା ଖେଳଗୁଡ଼ିକରୁ ଭାରତ ତା’ର ସିଂହ ଭାଗ ପଦକ ଜିତୁଥିବାରୁ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖି କହିଛନ୍ତି। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନ୍‌ରୁ ୩୧, ବନ୍ଧୁକଚାଳନାରୁ ୧୩୫, କୁସ୍ତିରୁ ୧୧୪ ଜିତିଛି। ଗତଥର ମହିଳା କ୍ରିକେଟ୍‌ରେ ଭାରତ ରୌପ୍ୟ ପଦକ ଜିତିଥିଲା। ସେହିଭଳି କୁସ୍ତିରୁ ଭାରତ ୧୨ ପଦକ ଜିତିଥିଲା ବେଳେ ସେଥିମଧ୍ୟରେ ଥିଲା ୬ ସ୍ବର୍ଣ୍ଣ, ଏଣୁ ମହାସଂଘର ଏଭଳି ନିଷ୍ପତ୍ତି ଦଳଗତ ସହ ବ୍ୟକ୍ତିଗତ ଭାବେ ଭାରତୀୟ ଖେଳାଳିଙ୍କ ପାଇଁ ବି ଶକ୍ତ ଝଟ୍‌କା ହୋଇଛି। 

ଭାରତକୁ ଶକ୍ତ ଝଟ୍‌କା, ଦଳ ନପଠାଇବାକୁ ଆଇଓଏକୁ ଗୋପୀଚାନ୍ଦଙ୍କ ପ୍ରସ୍ତାବ

ସୂଚନାଯୋଗ୍ୟ, ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୯ଟି ଖେଳରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଗ୍ଲାସ୍‌ଗୋରେ ୯ଟି ଖେଳ କମ୍ ଆୟୋଜନ ହେବ। ଖାଲି ସେତିକି ନୁହେଁ, ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ପାରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳ ସଂଖ୍ୟା ୧୦ରେ ସୀମିତ ରହିବ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ସ୍ପଷ୍ଟ କରି ଦେଇଛି। ମହାସଂଘ ଦେଇଥିବା ସୂଚନା ଅନୁସାରେ ଗ୍ଲାସ୍‌ଗୋରେ ଖେଳାଯିବାକୁ ଥିବା ଖେଳଗୁଡ଼ିକ ମଧ୍ୟରେ ରହିଛି ଦୌଡ଼କୁଦ, ସନ୍ତରଣ, ଜିମ୍ନାଷ୍ଟିକ୍ସ, ସାଇକ୍ଲିଂ, ନେଟବଲ୍‌, ଭାରୋତ୍ତୋଳନ, ମୁଷ୍ଟିଯୁଦ୍ଧ, ଜୁଡୋ, ବୋଲ୍ସ, ୩x୩ ବାସ୍କେଟବଲ୍।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ୨୦୨୬ ମସିହା ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୨ ତାରିଖରେ ଶେଷ ହେବ। ଗ୍ଲାସ୍‌ଗୋ ୧୨ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ। ପ୍ରତିଯୋଗିତା ଗ୍ଲାସ୍‌ଗୋର ସ୍କଟ୍‌ସଟୁନ୍ ଷ୍ଟାଡିୟମ, ଟୋଲକ୍ରସ୍ ଅନ୍ତର୍ଜାତୀୟ ସନ୍ତରଣ କେନ୍ଦ୍ର, ଏମିରରେଟ୍ସ ଏରିନା ଓ ସ୍କଟିସ୍ ଇଭେଣ୍ଟ କ୍ୟାମ୍ପସ୍। ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୂଳତଃ ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ଆୟୋଜିତ ହେବାର ଥିଲା। ହେଲେ ଆର୍ଥିକ ସଙ୍କଟ ଦର୍ଶାଇ ଏହି ସହର ଗତବର୍ଷ ଓହରି ଯାଇଥିଲା। ଫଳରେ ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋ ସେହି ସ୍ଥାନ ପୂରଣ କରିଥିଲା। 
ବାଦ୍ ପଡ଼ିଥିବା ଖେଳ:  କ୍ରିକେଟ୍, ହକି, ବ୍ୟାଡମିଣ୍ଟନ୍, କୁସ୍ତି, ବନ୍ଧୁକଚାଳନା, ଟେବୁଲ୍ ଟେନିସ୍‌, ସ୍କ୍ବାସ୍, ଟ୍ରାଏଥଲନ୍, ରଗ୍‌ବି। ସ୍ଥାନିତ ଖେଳ: ଦୌଡ଼କୁଦ, ସନ୍ତରଣ, ଜିମ୍ନାଷ୍ଟିକ୍ସ, ସାଇକ୍ଲିଂ, ନେଟବଲ୍‌, ଭାରୋତ୍ତୋଳନ, ମୁଷ୍ଟିଯୁଦ୍ଧ, ଜୁଡୋ, ବୋଲ୍ସ, ୩x୩ ବାସ୍କେଟବଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe