ବାଙ୍ଗାଲୋର: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପଞ୍ଚଦଶ ସଂସ୍କରଣର ୫ମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଦ୍ବିତୀୟ ପାଳିରେ ୧୭୨ ରନ୍ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ୧୭୨ ରନ୍ କରି ବିଜୟ ହୋଇଛି । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନରଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିରାଟ କୋହଲି ୪୯ ବଲରେ ୮୨ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୪୩ ବଲରେ ୭୩ ରନ୍ କରିଥିଲେ । ଦୁଇ ଓପନରଙ୍କ ଶତକୀୟ ଭାଗିଦାର ବଳରେ ବାଙ୍ଗାଲୋର ଏହି ମ୍ୟାଚକୁ ଅତି ସହଜରେ ଜିତିନେଇଥିଲା । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଅର୍ସଦ ଖାନ, କ୍ୟାମେରନ୍ ଗ୍ରୀନ୍ ୧-୧ ୱିକେଟ ନେଇଥିଲେ ।
ପ୍ରଥମ ପାଳିରେ ବାଙ୍ଗାଲୋର ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଲା ପରେ ରୋହିତ ଶର୍ମାଙ୍କ ଟିମ୍ ମୁମ୍ବାଇ ବ୍ୟାଟିଂ କରିଥିଲା। ମୁମ୍ବାଇ ଟିମ୍ ତିଲକ ବର୍ମାଙ୍କ ଅପରାଜିତ ୮୪ ରନ୍ ବଳରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ଫଳରେ ବାଙ୍ଗାଲୋରକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।
ବାଙ୍ଗାଲୋରର ପ୍ରଭାବୀ ବୋଲିଂ ଯୋଗୁଁ ମୁମ୍ବାଇର ପ୍ରାରମ୍ଭିକ ପର୍ଯ୍ୟାୟ ବିପର୍ଯ୍ୟସ୍ତ ହୋଇଥିଲା। ସ୍କୋର ୨୦ ରନ୍ ବେଳକୁ ଈଶାନ କିଶନ (୧୦), କେମରନ ଗ୍ରିନ୍ (୫) ଓ ରୋହିତ ଶର୍ମା (୧) ଆଉଟ୍ ହୋଇଯାଇଥିଲେ। ୪୮ ରନ୍ ବେଳକୁ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୧୫) ଆଉଟ୍ ହୋଇ ପାଭଲିଅନ ଫେରିଥିଲେ। କିନ୍ତୁ ପଞ୍ଚମ ୱିକେଟ୍ରେ ତିଲକ ବର୍ମା ଓ ନେହାଲ ୱାଧହେରା (୨୧) ଆଶା ସଂଚାର କରିଥିଲେ। ଉଭୟ ୫୦ ରନ୍ର ଭାଗିଦାରୀ ହୋଇଥିଲେ।
ମଧ୍ୟକ୍ରମର ବ୍ୟାଟର ତିଲକ ବର୍ମା ମୁମ୍ବାଇକୁ ଭଲ ସ୍ତରକୁ ନେଇଯାଇଥିଲେ। ସେ ୪୬ଟି ବଲ୍ ଖେଳି ୯ଟି ଚୌକା ଓ ୪ଟି ଛକା ବଳରେ ଅପରାଜିତ ୮୪ ରନ୍ କରିଥିଲେ। ଅର୍ସଦ ଖାନ୍ ମଧ୍ୟ ଅପରାଜିତ ୧୫ ରନ୍ କରିଥିଲେ। ବାଙ୍ଗାଲୋର ତରଫରୁ କର୍ଣ୍ଣ ଶର୍ମା ସର୍ବାଧିକ ୨ଟି, ମହମ୍ମଦ ସିରାଜ, ରେସି ଟପ୍ଲେ, ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Follow Us