News on AIR
କାନପୁର: ବର୍ଷା କାରଣରୁ ଭାରତ-ବାଂଲାଦେଶ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ର ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଛି। ମଧ୍ୟାହ୍ନ ଭୋଜନ ବିରତି ପରେ ମାତ୍ର ୯ ଓଭର ଖେଳ ହୋଇଥିବାବେଳେ ଏହାକୁ ବନ୍ଦ ରଖିବାକୁ ପଡ଼ିଛି। ସେତେବେଳକୁ ବାଂଲାଦେଶ ୩୫ ଓଭର ଖେଳି ୩ ୱିକେଟ୍ ବିନିମୟରେ ୧୦୭ ରନ୍ କରିଛି।
କାନପୁରର ଗ୍ରିନ୍ ପାର୍କରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ମାତ୍ରେ ଏକ ୬୦ ବର୍ଷର ପରମ୍ପରା ଭାଙ୍ଗି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ୬ ଦଶନ୍ଧି ଧରି ଏଠାରେ କୌଣସି ଦଳ ଟସ୍ ଜିତିବା ପରେ ଫିଲ୍ଡିଂ କରି ନଥିଲେ। କାନପୁରରେ ଏହି ଟେଷ୍ଟର ପ୍ରତି ଦିନ ବର୍ଷାର ପୂର୍ବାନୁମାନ ଥିବାରୁ ରୋହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ଚେପକ୍ ଟେଷ୍ଟ୍ରେ ବାଂଲାଦେଶ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିଲା। ଯାହାକି ୪୨ ବର୍ଷ ଇତିହାସରେ ଚେପକ୍ରେ ପ୍ରଥମ ଥିଲା। ଶୁକ୍ରବାର ଭାରତ ଟସ୍ ଜିତିବା ପରେ ବାଂଲାଦେଶକୁ ପ୍ରଥମ ଦୁଇ ଝଟକା ଦେଇଥିଲେ ବେଙ୍ଗଲ୍ ବୋଲର ଆକାଶ ଦୀପ ସିଂହ। ନବମ ଓଭରରେ ପ୍ରଥମ ଥର ଆକ୍ରମଣକୁ ଆସିଥିବା ଆକାଶ ଦୀପ ତୃତୀୟ ବଲ୍ରେ ଜାକୀର ହାସନଙ୍କୁ ସ୍ଲିପ୍ରେ ଯଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ରିପ୍ଲେ ଅସ୍ପଷ୍ଟ ରହିବା ପରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ। ହାସନ୍ ୨୪ ବଲ୍ ଖେଳି ଖାତା ଖୋଲି ପାରିନଥିଲେ।
ଗୋଟିଏ ଓଭର ବ୍ୟବଧାନ ପରେ ଅର୍ଥାତ ନିଜ ତୃତୀୟ ଓଭରରେ ଆକାଶଦୀପ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ। ଆଙ୍ଗଲରେ ଆସିଥିବା ଏକ ଲେଙ୍ଗ୍ଥ ବଲ୍କୁ ସଦମାନ ଇସଲାମ ଫ୍ଲିକ୍ କରିବାକୁ ଚେଷ୍ଟା କରି ପରାସ୍ତ ହୋଇଥିଲେ। ଏହି ଏଲ୍ବିଡବ୍ଲ୍ୟୁ ନିଷ୍ପତ୍ତି ରୋହିତଙ୍କ ରିଭ୍ୟୁ ଆବେଦନ ପରେ ଅମ୍ପାୟାର ନେଇଥିଲେ। ନିଜେ ରୋହିତ ମଧ୍ୟ ଉଲ୍ଲସିତ ହୋଇଉଠିଥିଲେ। ଏହି ସମୟରେ ମୋମିନୁଲ୍ ହକ୍ ଓ ଅଧିନାୟକ ନଜମୁଲ୍ ହୋସେନ୍ ସାଣ୍ଟୋଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ହୋଇଥିଲା। ବୁମରା ଓ ସିରାଜଙ୍କ ଆକ୍ରମଣ ସତ୍ତ୍ବେ ଏମାନେ ଅଲଗା ହୋଇପାରି ନଥିଲେ। ଉଭୟ ମଧ୍ୟାହ୍ନ ଭୋଜନ ପୂର୍ବରୁ ୱିକେଟ୍ ହରାଇ ନଥିଲେ। କିନ୍ତୁ ବିରତି ପରେ ଅଭିଜ୍ଞ ସ୍ପିନର୍ ଆର୍ ଅଶ୍ବିନ ଜମି ଆସୁଥିବା ଭ୍ରମଣକାରୀ ଦଳ ଅଧିନାୟକ ନଜମୁଲ୍ ହୋସେନ୍ ସାଣ୍ଟୋଙ୍କୁ ଏଲ୍ବିଡବ୍ଲ୍ୟୁ କରି ଦେଇ ୫୧ ରନ୍ର ଭାଗୀଦାରିକୁ ଭାଙ୍ଗିଥିଲେ। ଅଶ୍ବିନଙ୍କ ଟର୍ଣ୍ଣରେ ପରାସ୍ତ ହୋଇ ସେ ପ୍ୟାଭିଲିଅନ୍ ଫେରିଥିଲେ। ରିଭ୍ୟୁ ପାଇଁ ମନ ବଳାଇଥିଲେ ମଧ୍ୟ କରି ନଥିଲେ। ଏହି ୱିକେଟ୍ ସହ ଅଶ୍ବିନ୍ ଏସିଆରେ ସର୍ବାଧିକ ଟେଷ୍ଟ୍ ୱିକେଟ୍ (୪୨୦) ନେବାରେ ଅନିଲ କୁମ୍ବଲେ (୪୧୯)ଙ୍କୁ ଅତିକ୍ରମ କରିଯାଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ପ୍ରଥମ ପାଳି: ୩୫ ଓଭରରେ ୧୦୭/୩ (ମୋମିନୁଲ୍ ହକ୍-୪୦*, ନଜମୁଲ ହୋସେନ୍ ସାଣ୍ଟୋ-୩୧, ସଦ୍ମାନ୍ ଇସ୍ଲାମ-୨୪, ମୁସ୍ଫିକର ରହିମ୍-୬*, ଆକାଶଦୀପ ସିଂହ-୨/୩୪, ଆର୍ ଅଶ୍ବିନ-୧/୨୨)।
Follow Us