ବାଂଲାଦେଶ ପରାଜିତ: ଇଣ୍ଡିଜ୍‌ ଉଜ୍ଜୀବିତ

ବାଂଲାଦେଶ ପରାଜିତ: ଇଣ୍ଡିଜ୍‌ ଉଜ୍ଜୀବିତ

ନିକୋଲାସ୍‌ ପୂରନ

ସାରଜା : ବାଂଲାଦେଶକୁ ରୋମାଞ୍ଚକ ଭାବେ ୩ ରନ୍‌ରେ ପରାସ୍ତ କରି ବିଜେତା ୱେଷ୍ଟଇଣ୍ଡିଜ୍‌ ନିଜ ଆଶାକୁ ଉଜ୍ଜୀବିତ କରିଛି। ଉଭୟ ଦଳ ନିଜ ନିଜ ତୃତୀୟ ମ୍ୟାଚ୍‌ ଖେଳିଥିବା ବେଳେ ୱେଷ୍ଟଇଣ୍ଡିଜ୍ ପ୍ରଥମ ବିଜୟ ପାଇଛି। ଅନ୍ୟପକ୍ଷରେ ସୁପର୍‌-୧୨ ପର୍ଯ୍ୟାୟରେ ଲଗାତାର ୩ ପରାଜୟ ବରଣ କରି ମାହମଦୁଲ୍ଲାଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍‌ ପଡ଼ିଛି। ଉନ୍ନତ ଏନ୍‌ଆର୍‌ଆର୍‌ ରଖିପାରିଲେ ବାଂଲାଦେଶ ପାଇଁ କ୍ଷୀଣ ସୁଯୋଗ ମିଳିପାରେ।

ଶୁକ୍ରବାର ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ବହୁ କଷ୍ଟରେ ୧୪୨ ରନ୍‌ କରିଥିଲା। ବାଂଲାଦେଶ ପଶ୍ଚାତଧାବନ ବେଳେ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଶେଷ ଆଡକୁ ରନ୍‌ ଗତିକୁ ବଢ଼ାଇ ପାରିନଥିଲା। ଏପରିକି ଶେଷ ଓଭରରେ ଦଳକୁ ୧୩ ରନ୍‌ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଆନ୍ଦ୍ରେ ରସେଲ୍‌ ବାଉଣ୍ଡରି ବିହୀନ ଭାବେ ୯ ରନ୍‌ ବ୍ୟୟ କରି ଦଳକୁ ପ୍ରତୀକ୍ଷିତ ବିଜୟ ଦେଇଥିଲେ। ତେବେ ‌ୱେଷ୍ଟଇଣ୍ଡିଜ୍ ପାଳି ବେଳେ ବିସ୍ଫୋରକ ବ୍ୟାଟିଂ କରିଥିବା ୱିକେଟରକ୍ଷକ ବ୍ୟାଟର୍‌ ନିକୋଲାସ୍ ପୂରନ୍ (୪୦, ୨୨ ବଲ୍‌, ୧ ଚୌକା, ୪ ଛକା) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିଜ ନିଜ ପ୍ରଥମ ମ୍ୟାଚ୍‌ ଖେଳି ରସ୍ତନ ଚେଜ୍‌ ଏବଂ ଜାସନ୍ ହୋଲ୍ଡର ଦଳର ବିଜୟରେ ଉପଯୋଗୀ ଅବଦାନ ରଖିଥିଲେ।

ବାଂଲାଦେଶ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବା ପରେ ଏକାଧିକ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଭାଗ୍ୟରେ ବିଶେଷ ପରିବର୍ତନ ପରିଲଖିତ ହୋଇନଥିଲା। ପାଳି ଆରମ୍ଭ କରିବା ସତ୍ତ୍ବେ କ୍ରିସ୍ ଗେଲ୍ (୪) ବିଫଳ ହୋଇଥିଲେ। ଏଭିନ୍ ଲୁଇସ୍ (୬), ସିମ୍ରନ୍ ହେଟମାୟର୍‌ (୯), ଆନ୍ଦ୍ରେ ରସେଲ୍ ପ୍ରମୁଖ ବିଫଳ ହୋଇଥିଲେ। ତେବେ ଲେଣ୍ଡଲ୍ ସିମନ୍ସଙ୍କ ବଦଳରେ ଖେଳିଥିବା ରସ୍ତନ୍‌‌ ଚେଜ୍ (୩୯, ୪୬ ବଲ୍‌) ପାଳି ନିର୍ମାଣ ଦାୟିତ୍ବ ତୁଲାଇଥିଲେ। ଶେଷ ଭାଗରେ ନିକୋଲାସ ପୂରନ ଏବଂ ଜାସ୍ ହୋଲ୍ଡର (୧୫*, ୫ ବଲ୍‌) କିଛି ଆକର୍ଷଣୀୟ ସଟ୍‌ ଖେଳିବାରୁ ଦଳ ୧୪୨ ରନ୍‌ କରିଥିଲା। ଶେଷ ଓଭରରୁ ଇଣ୍ଡିଜ୍ ୩ ଛକା ସହ ୧୯ ରନ୍‌ ଯୋଡ଼ିଥିଲା।

ଜବାବରେ ବାଂଲାଦେଶ ପାୱାର ପ୍ଲେ ଭିତରେ ୨ ୱି‌କେଟ୍ ହରାଇଥିଲେ ମଧ୍ୟ ଠିକଣା ପଥରେ ରହିଥିଲା। ଲିଟନ୍ ଦାସ (୪୪, ୪୩ ବଲ୍) ଏବଂ ମାହମଦୁଲ୍ଲା (୩୧*, ୨୪ ବଲ୍‌) ଭଲ ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ। ଜାସନ୍ ହୋଲ୍ଡର ଦୁଇ ଦଳ ମଧ୍ୟରେ ଫରକ ପକାଇଥିଲେ। ଶେଷ ଓଭରରେ ହୋଲ୍ଡର ୨ ଛକା ମାରିଥିବା ବେଳେ ବାଂଲାଦେଶ କିନ୍ତୁ ଶେଷ ଓଭରରେ ଗୋଟିଏ ବି ବାଉଣ୍ଡରି ମାରିପାରିନଥିଲା। ଏପରିକି ଶେଷ ୧୧ ବଲ୍‌ରୁ ଆବଶ୍ୟକ ୧୬ ରନ୍‌ କରିନପାରି ମ୍ୟାଚ୍‌ ହାରିଥିଲା। ଇଣ୍ଡିଜ୍ ପାଳିର ଶେଷ ବଲରେ ପୋଲାର୍ଡଙ୍କ ଛକା ମଧ୍ୟ ଶେଷକୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe