T-20 WorldCup Photograph: (sambad.in)
ଢାକା: ଟ୍ବେଣ୍ଟି-୨୦ ବିଶ୍ବକପରେ ଅଂଶଗ୍ରହଣ ସମ୍ପର୍କିତ ନିଷ୍ପତ୍ତି ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଧାର୍ଯ୍ୟ ସମୟସୀମା ଶେଷ ହୋଇଯାଇଥିବା ସତ୍ତ୍ବେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିଛି। କିନ୍ତୁ ନିଷ୍ପତ୍ତି ସଂପର୍କରେ ବାଂଲାଦେଶ ଏବେ ବି ଆଇସିସିକୁ କୌଣସି ଔପଚାରିକ ସୂଚନା ପ୍ରଦାନ କରିନାହିଁ। ଏହା ଫଳରେ ଆଇସିସି ବାଧ୍ୟ ହୋଇ ଏବେ ବିଶ୍ବକପରେ ବାଂଲାଦେଶର ବିକଳ୍ପ ଦଳ କଥା ଚିନ୍ତା କରିବା ଆରମ୍ଭ କରିଛି। ଖୁବଶୀଘ୍ର ଆଇସିସି ଏ ନେଇ ଘୋଷଣା କରିବାର ସମ୍ଭାବନା ରହିଛି।
ବିକଳ୍ପ ଦଳ ଘୋଷଣା କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ
ଆଇସିସି ସୂତ୍ର ଅନୁସାରେ ଧାର୍ଯ୍ୟ ସମୟରେ ବିସିବି କୌଣସି ଔପଚାରିକ ନିଷ୍ପତ୍ତି ଜଣାଇବାରେ ବିଫଳ ହୋଇଛି। ଏହା ପରେ ବିକଳ୍ପ ଦଳ ଘୋଷଣା କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ବାଂଲାଦେଶ ଓହରିବା ପରେ ତା ସ୍ଥାନରେ ସ୍କଟଲାଣ୍ଡକୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିପାରେ। ତେବେ ଏ ନେଇ ଆଇସିସିର ଔପଚାରିକ ଘୋଷଣା ପରେ ସ୍ଥିତି ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି ସ୍କଟଲାଣ୍ଡ କ୍ରିକେଟ୍ ବୋର୍ଡ (କ୍ରିକେଟ୍ ସ୍କଟଲାଣ୍ଡ)। ଏହାର ଯୋଗାଯୋଗ ମୁଖ୍ୟ ଚାର୍ଲସ୍ ପିଟରସନ କହିଛନ୍ତି ଯେ ଏବେ ଏହି ପ୍ରସଙ୍ଗ ଜାରି ରହିଥିବାରୁ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। କିନ୍ତୁ ପରିସ୍ଥିତି ବଦଳିଲେ ବୋର୍ଡ ଏକ ଔପଚାରିକ ସୂଚନା ପ୍ରଦାନ କରିବ।
ଭାରତରେ ବିଶ୍ବକପ ଖେଳିବାର ପ୍ରଶ୍ନ ଉଠୁନାହିଁ
ଗତକାଲି ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ କହିଥିଲେ ଯେ, ଭାରତରେ ବିଶ୍ବକପ ଖେଳିବାର ପ୍ରଶ୍ନ ଉଠୁନାହିଁ। ଭାରତରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଥିବା ଚିନ୍ତାକୁ ଆଇସିସି ଓ ବିସିସିଆଇ ଦୂର କରିବାରେ କୌଣସି ଉଦ୍ୟମ କରିନାହାନ୍ତି, କିମ୍ବା ଆମ ସହ ବିସିସିଆଇ କୌଣସି ଯୋଗାଯୋଗ କରିନାହିଁ। ତେବେ ଶ୍ରୀଲଙ୍କାରେ ଯଦି ମ୍ୟାଚ ଆୟୋଜନ ହୁଏ ତେବେ ବାଂଲାଦେଶ ଖେଳିବାକୁ ରାଜି ଅଛି ବୋଲି ସେ କହିଥିଲେ। ତାଙ୍କର ଏହି ବୟାନରୁ ଅର୍ଥ ବାହାର କରାଯାଉଛି ଯେ ବାଂଲାଦେଶ ଏଥର ବିଶ୍ବକପ ଖେଳିବାର ସମ୍ଭାବନା ଲୋପ ପାଇଯାଇଛି।
ଆହୁରି ପଢ଼ନ୍ତୁ: Trilateral Meeting: ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମାପ୍ତି ପାଇଁ ଆବୁଧାବିରେ ହେବ ତ୍ରିପାକ୍ଷିକ ବୈଠକ, ସାମିଲ ହେବେ ୟୁକ୍ରେନ୍, ରୁଷ୍ ଓ ଆମେରିକା
Follow Us