ଲଗାମଛଡ଼ା ବାଂଲା‌ ଖେଳାଳି: ଅଭଦ୍ରାମିର ସୀମା ଟପିଲେ, ଅଳ୍ପକେ ଟଳିଲା ଅଘଟଣ

Advertisment
ଲଗାମଛଡ଼ା ବାଂଲା‌ ଖେଳାଳି: ଅଭଦ୍ରାମିର ସୀମା ଟପିଲେ, ଅଳ୍ପକେ ଟଳିଲା ଅଘଟଣ

Hindustan Times

ପୋଚଫଷ୍ଟ୍ରମ୍: ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟ ପରେ ବାଂଲା‌ଦେଶ ଖେଳାଳିଙ୍କ ଉଗ୍ର ଉତ୍ସବ ପାଳନ କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ପଡ଼ିଆ ଭିତରେ ସେମାନେ କରିଥିବା ବ୍ୟବହାର କ୍ରିକେଟ୍‌ର ସମ୍ମାନହାନୀ କରିଛି ବୋଲି ସମଗ୍ର ଖେଳ ଜଗତ‌ ଏକସ୍ବରରେ କହିଛି। ଏହି ଘଟଣା ରବିବାରର ଫାଇନାଲ୍ ଅବସରରେ ଘଟିଥିଲା। ମ୍ୟାଚ୍ ସାରା ଭାରତୀୟ ଖେଳାଳିଙ୍କୁ ଟାହି ଟାପରା କରିବା ସହ ସ୍ଲେଜିଂର ସବୁ ସ୍ତର ଟପି ଯାଇଥିବା ଉଦ୍ଧତ ବାଂଲା ଖେଳାଳିମାନେ ବିଜୟ ପରେ ପୂରା ଲଗାମଛଡ଼ା ହୋଇଯାଇଥିଲେ। ପଡ଼ିଆ ଭିତରେ ପ୍ରତିଶୋଧ ଚିହ୍ନ ଓ ନାନା ପ୍ରକାର ଅଙ୍ଗଭଙ୍ଗୀ ଦେଖାଇ ଭାରତୀୟ ଖେଳାଳିଙ୍କୁ ଚିଡ଼ାଇଥିଲେ। ଗାଳି ଗୁଲଜ କରି ଠେଲାପେଲା କରିବାକୁ ବି ପଛାଇ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ଦଳର ଖେଳାଳିମାନେ ହାତାହାତି ହୋଇଯିବାର ଆଶଙ୍କା ସୃଷ୍ଟି ‌ହୋଇଥିଲା।

ମ୍ୟାଚ୍ ଚାଲିଥିଲା ବେଳେ ବାଂଲା ଖେଳାଳିମାନେ ପ୍ରଥମେ ଦ୍ରୁତ ବୋଲର ସୋରିଫୁଲ ଇସଲାମଙ୍କ ନେତୃତ୍ବରେ ଆକ୍ରମଣାତ୍ମକ ବ୍ୟବହା‌ର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିବା ପରେ ମଧ୍ୟ ଏଥିରୁ ବିରତ ହୋଇନଥିଲେ। ପଡ଼ିଆ ଅମ୍ପାୟାର ଏବଂ ପ୍ରଶିକ୍ଷଙ୍କ ହସ୍ତକ୍ଷେପ ପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଥିଲା। ନିଜ ଖେଳାଳିଙ୍କ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶ ଅଧିନାୟକ ଆକବର ଅଲ୍ଲୀ କ୍ଷମା ପ୍ରାର୍ଥନା କରିବା ସହ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ବାଂଲାଦେଶ ଖେଳାଳିଙ୍କ ନିନ୍ଦନୀୟ ପ୍ରତିକ୍ରିୟାକୁ ‘ଦୂଷିତ’ ଆଖ୍ୟା ଦେଇଛନ୍ତି। ଆଇସିସି ମଧ୍ୟ ମ୍ୟାଚ୍ ପରର ଭିଡିଓକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବାଂଲା ଖେଳାଳିଙ୍କ ପ୍ରତିକ୍ରିୟା ‘ଦୂଷିତ’: ପ୍ରିୟମ୍
ବାଂଲାଦେଶ ରବିବାର ଭାରତକୁ ୩ ୱିକେଟ୍‌ରେ ହରାଇ ପ୍ରଥମ ଥର ଲାଗି ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା। ବିଜୟ ପରେ ବାଂଲା ଖେଳାଳିମାନେ କରିଥିବା ବ୍ୟବହାର କିନ୍ତୁ ଏହି ଦେଶର ଗୌରବ ବଢ଼ାଇବା ପରିବର୍ତେ କମାଇଥିଲା। ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ବାଂଲା ଖେଳାଳିଙ୍କ ଅଶୋଭନୀୟ ଆଚରଣକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥି‌େଲ, ପରାଜୟ ପରେ ମଧ୍ୟ ଆମେ ଶାନ୍ତ ଥିଲୁ। ଏହାକୁ ଖେଳର ଅଂଶବିଶେଷ ଭାବି ଚୁପ୍ ରହିଥିଲୁ। ହେଲେ ସେମାନଙ୍କ ପ୍ରତିକ୍ରିୟା ଅତ୍ୟନ୍ତ କଦର୍ଯ୍ୟ ଓ ଦୂଷିତ ଥିଲା। ମ୍ୟାଚ୍ ରେଫରି ଗ୍ରେମ୍ ଲୋବୟ ମଧ୍ୟ ବାଂଲା ଖେଳାଳିଙ୍କ ଉଗ୍ର ଉତ୍ସବ ପାଳନରେ ସ୍ତବ୍ଧ ହୋଇ ଯାଇଥିଲେ। ମ୍ୟାଚ୍ ପରେ ସେ ଭାରତୀୟ କ୍ରିକେଟ୍ ଦଳର ପ୍ରବନ୍ଧକ ଅନିଲ ପଟେଲଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବେ ଏଥିନେଇ ଦୁଃଖ ପ୍ରକାଶ କରିଥିଲେ। ଭାରତୀୟ ପ୍ରଶିକ୍ଷକ ପାରସ ମହାମ୍ବ୍ରେ କହିଛନ୍ତି ଯେ କେବେ କେବେ ଏମିତି ଘଟିଥାଏ। ଅନେକ କିଛି ବାଜିରେ ଲାଗିଥିବାରୁ ଖେଳାଳିମାନେ ଭାବବିହ୍ବଳ ହୋଇ ଭୁଲ କରିଦିଅନ୍ତି। ତେବେ ଯାହା ଘଟିଲା, ତାହା କ୍ରିକେଟ୍ ପାଇଁ ଆଦୌ ଭଲ ନୁହେଁ। ଭବିଷ୍ୟତରେ ଏହାକୁ ଦୃଷ୍ଟିରେ ରଖିବାକୁ ହେବ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ଏସିଆ କପ୍ ଫାଇନାଲରେ ବାଂଲାଦେଶକୁ ହରାଇ ବିଜେତା ହୋଇଥିଲା।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆଇସିସି
ବାଂଲାଦେଶ ଖେଳାଳିଙ୍କ ଅଶୋଭନୀୟ ଆଚରଣ ପାଇଁ ଆଇସିସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଭାରତୀୟ କ୍ରିକେଟ୍ ଦଳର ପ୍ରବନ୍ଧକ ଅନିଲ ପଟେଲ ଏହା କହିଛନ୍ତି। ସେ କହିଛନ୍ତି ଆଇସିସି ମାମଲାକୁ ଅତି ଗୁରୁତ୍ବର ସହ ନେଇଛି। ଫାଇନାଲର ଶେଷ କିଛି ମିନିଟ୍‌ର ଭିଡିଓକୁ ମଧ୍ୟ ଆଇସିସି ତର୍ଜମା କରୁଛି। ମ୍ୟାଚ୍ ରେଫରିଙ୍କ ରିପୋର୍ଟ ମିଳିବା ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଶେଷ ମୁହୂର୍ତ୍ତରେ କଣ’ ଘଟିଥିଲା, ଆମେ ତାହା ଜାଣିନୁ। ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲୁ। ଆଇସିସି ଅଧିକାରୀମାନେ ମ୍ୟାଚ୍‌ର ଶେଷ କିଛି କ୍ଷଣର ଭିଡିଓ ଦେଖିବା ପରେ ଯାଇ ଆମକୁ ଏହି ବିଷୟରେ ଜଣାଇବେ। ତେବେ ଆଇସିସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମ୍ୟାଚ୍ ରେଫରି ‌ମୋତେ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe