ବାଂଲାଦେଶର ପଞ୍ଚମ ପରାଜୟ

ବାଂଲାଦେଶର ପଞ୍ଚମ ପରାଜୟ

ଦୁବାଇ : ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ବାଂଲାଦେଶ ପଞ୍ଚମ ପରାଜୟ ସହ ଅଭିଯାନ ଶେଷ କରିଛି। ଯୋଗ୍ୟତା ପର୍ଯ୍ୟାୟ ଦେଇ ସୁପର୍‌-୧୨କୁ ଆସିଥିବା ଏହି ଏସୀୟ ଦଳକୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ପରାସ୍ତ କରି ନିଜ ସୁଯୋଗକୁ କାଏମ ରଖିଛି। ଦିନବେଳା ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବୋଲରମାନେ ବାଂଲାଦେଶ ପାଳିକୁ ମାତ୍ର ୭୩ ରନ୍‌ରେ ସଫା କରି ଦେଇଥିଲେ। ପେସ୍‌ ବୋଲରମାନେ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ଅଭିଜ୍ଞ ଲେଗ୍‌ସ୍ପିନର୍‌ ଆଦାମ ଜାମ୍ପା ୫ ୱିକେଟ୍‌ ଦଖଲ କରି ସର୍ବାଧିକ ବିପର୍ଯ୍ୟୟ ଘଟାଇଥିଲେ। ୪ ଜଣ ବାଂଲାଦେଶ ବ୍ୟାଟର୍‌ ଖାତା ଖୋଲି ପାରିନଥିଲେ। ୧୫ ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମହମ୍ମନ ନଇମ୍, ମହମ୍ମଦୁଲ୍ଲା ଏବଂ ସମିମ୍‌ ହୋସେନ୍‌ କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଜାମ୍ପା ୪-୦-୧୯-୫ ବୋଲିଂ ଚିତ୍ର ସହ ଚଳିତ ସଂସ୍କରଣ ବିଶ୍ବକପ୍‌ରେ ଦ୍ବିତୀୟ ବୋଲର ଭାବେ ୫ ୱିକେଟ୍ ସଫଳତା ପାଇଥିଲେ। ପୂର୍ବରୁ ସ୍କଟ୍‌ଲାଣ୍ଡ୍ ବିପକ୍ଷରେ ଆଫଗାନିସ୍ତାନର ମୁଜୀବ୍‌ ଉର୍‌ ରହମାନ୍‌ ୫/୨୦ ସଫଳତା ପାଇଥିଲେ।

ସହଜ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୬.୨ ଓଭରରରେ ବିଜୟ ମୁଣ୍ଡି ମାରିଥିଲା। ଅର୍ଥାତ୍ ପାୱାର ପ୍ଲେ ୬ ଓଭର ପରେ ମାତ୍ର ୨ଟି ବଲ୍‌ ଖେଳି ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ୍‌ (୪୦ ରନ୍, ୨୦ ବଲ୍‌, ୨ ଚୌକା, ୪ ଛକା) ମ୍ୟାଚ୍‌କୁ ଅତି ସହଜ କରି ଦେଇଥିଲେ। ମିଚେଲ୍ ମାର୍ସ ୫ ବଲରୁ ୧୬* ରନ୍‌ କରି ମ୍ୟାଚ୍‌ ଶେଷ କରିଥିଲେ। ଆଦାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଛି। ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-୧ରେ ଦ୍ବିତୀୟ ସେମିଫାଇନାଲିଷ୍ଟ୍ ହେବାକୁ ଦାବିଦାର ଥିବାବେଳେ ସମାନ ୬ ପଏଣ୍ଟ ଲେଖାଏଁ ପାଇଛନ୍ତି। ଶେଷ ଲିଗ୍‌ ଦ୍ବୟରେ ଅଷ୍ଟ୍ରେଲିଆ-‌ୱେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମୁକାବିଲା ହେବ। କେଉଁ ଦଳ ପାକିସ୍ତାନ ସହ ସେମିଫାଇନାଲ୍‌ରେ ଯୋଗଦେବ ତାହା ସ୍ପଷ୍ଟ ହୋଇଯିବ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୧୫ ଓଭରରେ ୭୩/ଅଲ୍‌ଆଉଟ୍ (ସମିମ୍ ହୋସେନ୍‌-୧୯, ମହମ୍ମଦ ନଇମ୍‌-୧୭, ଆଦାମ ଜାମ୍ପା-୫/୧୯, ଜୋସ୍ ହାଜେଲଉଡ୍‌-୨/୮, ମ‌ିଚେଲ୍ ଷ୍ଟାର୍କ-୨/୨୧, ଗ୍ଲେନ୍ ମ୍ୟାକ୍ସୱେଲ୍‌-୧/୬)। ଅଷ୍ଟ୍ରେଲିଆ ୬.୨ ଓଭରରେ ୭୮/୨ (ଅରୋନ୍‌ ଫିଞ୍ଚ୍‌-୪୦, ଡେଭିଡ୍‌ ୱାର୍ଣ୍ଣର-୧୮, ମିଚେଲ୍ ମାର୍ସ-୧୬*, ସୋଫିରୁଲ୍‌ ଇସ୍‌ଲାମ-୧/୯, ତସକିନ୍ ଅହମ୍ମଦ-୧/୩୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe