ବାସ୍କେଟ୍‌ବଲ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ, ଭାରତୀୟ ଦଳରେ ଅମରେନ୍ଦ୍ର

Advertisment
ବାସ୍କେଟ୍‌ବଲ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ, ଭାରତୀୟ ଦଳରେ ଅମରେନ୍ଦ୍ର

କଟକ: ୨୦୨୩ରେ ଖେଳାଯିବାକୁ ଥିବା ଫିବା ବିଶ୍ବକପ୍‌ର ଏସୀୟ ଯୋଗ୍ୟତାପର୍ଯ୍ୟାୟ ପାଇଁ ଘୋଷିତ ଭାରତୀୟ ଦଳରେ କଟକର ଅମରେନ୍ଦ୍ର ନାୟକ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଏପର୍ଯ୍ୟନ୍ତ କୌଣସି ଖେଳାଳି ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇନଥିଲା ବେଳେ ଅମରେନ୍ଦ୍ର ଚଣ୍ତୀଗଡ଼ରୁ ପ୍ରତିନିଧିତ୍ବ କରି ଜାତୀୟ ଦଳକୁ ମନୋନୀତ ହୋଇପାରିଛନ୍ତି। ଭାରତ ଆସନ୍ତା ଜୁଲାଇ ୩ରେ ଫିଲିପାଇନ୍ସ ବିପକ୍ଷରେ ଯୋଗ୍ୟତା ପର୍ଯ୍ୟାୟ ଖେଳିବ।

୧୯ ବର୍ଷିୟ ଅମରେନ୍ଦ୍ର ବର୍ତ୍ତମାନ ବେଙ୍ଗାଲୁରୁଠାରେ ଜାତୀୟ ଶିବିରରେ ଅଛନ୍ତି। ଗୁରୁବାର ରାତିରେ ସେ ଭାରତୀୟ ଦଳ ସହ ଫିଲିପାଇନ୍ସ ଗସ୍ତ କରିବେ। ତେବେ ଭାରତୀୟ ବରିଷ୍ଠ ଦଳରେ ସେ ପ୍ରଥମ ଥର ସୁଯୋଗ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସଫଳତାର ଶ୍ରେୟ ପରିବାର ଲୋକଙ୍କ ସହିତ ପ୍ରଶିକ୍ଷକ ଓ ସାଥି ଖେଳାଳିଙ୍କୁ ପ୍ରଦାନ କରିଛନ୍ତି। ଅମେରନ୍ଦ୍ରଙ୍କ ବାପା ସତ୍ୟବ୍ରତ ନାୟକ ଓଡ଼ିଶା ପାଇଁ ପୂର୍ବରୁ ବାସ୍କେଟ୍‌ବଲ ଖେଳିଥିଲା ବେଳେ ଭାରତୀୟ ବରିଷ୍ଠ ମହିଳା ଦଳ ଓ ସର୍ବଭାରତୀୟ ରେଳବାଇ ମହିଳା ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି। ତେଣୁ ବାପା ଜଣେ ବାସ୍କେଟ୍‌ବଲ ଖେଳାଳି ହୋଇଥିବାରୁ ତାଙ୍କଠୁ ପ୍ରେରଣା ପାଇଥିବା ଅମରେନ୍ଦ୍ର କହିଛନ୍ତି। ପିଲାବେଳୁ କଲିକତାରେ ରହିଆସୁଥିଲେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଲିକତାରେ ରହି ପାଠ ପଢିଥିବାରୁ କନିଷ୍ଠ ସ୍ତରରେ ପଶ୍ଚିମବଙ୍ଗକୁ ସେ ପ୍ରତିନିଧିତ୍ବ କରିଛନ୍ତି। ସେହିପରି ଏକାଦଶ ଓ ଦ୍ବାଦଶ ପାଇଁ ସେ ଚଣ୍ତୀଗଡ଼ ଚାଲିଆସିଥିଲେ। ତେଣୁ ପରବର୍ତ୍ତୀ ଖେଳ ଜୀବନ ଚଣ୍ତୀଗଡ଼ରେ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି। ୨୦୧୯ରେ ୧୬ ବର୍ଷରୁ କମ୍‌ ଦକ୍ଷିଣ ଏସୀୟ ବାସ୍କେଟ୍‌ବଲ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ। ତାଙ୍କ ପ୍ରଦର୍ଶନକୁ ଦେଖି ଜାତୀୟ ବରିଷ୍ଠ ଶିବିରକୁ ଡକରା ଆସିଥିଲା।

ଅମରେନ୍ଦ୍ର କହିଛନ୍ତି ଯେ ପୂର୍ବରୁ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଲବ୍‌ ସ୍ତରୀୟ ପ୍ରତିଯୋଗିତା ଖେଳିଛନ୍ତି। କଟକର ଓଏସ୍‌ସି କ୍ଲବ୍‌କୁ ପ୍ରତିନିଧିତ୍ବ କରିଛନ୍ତି। ୨୦୧୬ରୁ ୨୦୧୮ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପାଇଁ ଓ ୨୦୧୯ରୁ ଚଣ୍ତୀଗଡ଼ ପାଇଁ ସେ ଖେଳିଆସୁଛନ୍ତି। ପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲାଣ୍ତ ବିପକ୍ଷରେ ଦୁଇଟି ଓ ଫିଲିପିନ୍ସ ବିପକ୍ଷରେ ଗୋଟିଏ ମ୍ୟାଚ୍‌ ଖେଳିସାରିଛି। ସମସ୍ତ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା।

ଭାରତୀୟ ଦଳ: ସହାଜ ପ୍ରତାପ ସି˚ହ ସେଖୋଁ, ମୁଇନ୍‌ ବେଜ୍‌ ହାଫିଜ୍‌, ବିଶେଷ ଭ୍ରୁଗୁବ˚ଶୀ, ଅମରେନ୍ଦ୍ର ନାୟକ, ଦୀପକ ଚୌଧୁରୀ, ପ୍ରଶାନ୍ତ ସି˚ହ ରାଵତ, ପ୍ରତ୍ୟା˚ଶୁ ତୋମାର, ପ୍ରଣବ ପ୍ରିନ୍ସ, ଆର୍ଯ୍ୟନ, ବିବେକ ବିନୁଭାଇ ଗୋଟି, ଏମ୍‌ ଅରବିନ୍ଦ କୁମାର, ଲଲିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe