ଗୁଆହାଟୀ: ବେପରୁଆ, ଦାୟିତ୍ବହୀନ ଓ ଉତ୍ତରଦାୟୀ ବିହୀନ ବ୍ୟାଟିଂର ଅଲୋଡ଼ା ନମୁନା ଦେଖାଇ ଭାରତୀୟ କ୍ରିକେଟ୍ ଦଳ ଗୁଆହାଟୀ ଟେଷ୍ଟ୍ରେ ଲଜ୍ଜାଜନକ ଭାବେ ମାତ୍ର ୨୦୧ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଆଉ ଏକ ଆସନ୍ନ ପରାଜୟ ଦ୍ବାର ଦେଶରେ ପହଞ୍ଚିଯାଇଛି। ଘରୋଇ ପରିବେଶ ସତ୍ତ୍ବେ ଭାରତର ପୂରା ପାଳିରେ କେବଳ ଗୋଟିଏ ଅର୍ଦ୍ଧଶତକ ରହିବା ଏବଂ ବିଶେଷଜ୍ଞ ବ୍ୟାଟର୍ଙ୍କ ପରିବର୍ତ୍ତେ ସ୍ପିନର୍ କୁଲଦୀପ ଯାଦବ ସର୍ବାଧିକ ୧୩୪ ବଲ୍ ପର୍ଯ୍ୟନ୍ତ କ୍ରିଜ୍ରେ ଯୁଝିବା ପୁଣି ଥରେ ଭାରତୀୟ ବ୍ୟାଟର୍ଙ୍କ ପାଖରେ ଟେଷ୍ଟ୍ କ୍ରିକେଟ୍ ଖେଳିବା ଲାଗି ଆବଶ୍ୟକ ଏକାଗ୍ରତା, ଧୈର୍ଯ୍ୟ ଓ ସଂଯମତାର ଘୋର ଅଭାବକୁ ଦର୍ଶାଇଛି। ଅନ୍ୟପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଦକ୍ଷିଣ ଆଫ୍ରିକା ଜବରଦସ୍ତ ବୋଲିଂ କରି ଭାରତ ମାଟିରେ ବିରଳ ମୂଳପୋଛ ବିଜୟ ହାସଲ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଛି।
Perth Test ends in 2 days: ପର୍ଥ ଟେଷ୍ଟ୍ ୨ ଦିନରେ ଶେଷ: ହେଡ୍ଙ୍କ ଶତକ (୧୨୩) ଅଷ୍ଟ୍ରେଲିଆକୁ ଜିତାଇଲା
Ashes test: ପ୍ରଥମ ଆସେସ୍ ଟେଷ୍ଟ୍: ପର୍ଥରେ ଅଲୋଡ଼ା ରେକର୍ଡ, ୧୯୦୯ ମସିହା ପରେ ପ୍ରଥମ ଦିନ ୧୯ ୱିକେଟ୍
କୋଲକାତା ଟେଷ୍ଟ୍ରେ ମାତ୍ର ୧୨୪ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ପାରି ନଥିବା ଭାରତୀୟ ଦଳ ଗୁଆହାଟୀରେ ବି ଆଶ୍ଚର୍ଯ୍ୟଜନକ ଭାବେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯେଉଁ ପିଚ୍ରେ ଦକ୍ଷିଣ ଆଫ୍ରିକାର ଶେଷ ୪ ବ୍ୟାଟର୍ ୨୪୦ରୁ ଅଧିକ ରନ୍ ଯୋଡ଼ିଥିଲେ ସେହି ସମତଳ ଓ ସହଜ ପିଚ୍ରେ ଅବିଶ୍ବସନୀୟ ଭାବେ ୨୭ ରନ୍ରେ ୭ ୱିକେଟ୍ ହରାଇ ତୃତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ପୂରା ବ୍ୟାକ୍ ଫୁଟ୍ରେ ରହିଛି। ପ୍ରଥମ ପାଳିରେ ୨୮୮ ରନ୍ର ଅଗ୍ରଣୀ ଲାଭ କରିବା ପରେ ସୋମବାର ଖେଳ ବନ୍ଦ ବେଳକୁ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ବିନା କ୍ଷତିରେ ୨୬ ରନ୍ କରିନେଇ ମୋଟ ଉପରେ ୩୧୪ ରନ୍ରେ ଆଗୁଆ ରହିଛି। ମାର୍କୋ ୟାନସେନ୍ଙ୍କ ସର୍ଟବଲ୍ ଚମତ୍କାର ହିଁ ପୁଣି ଥରେ ଭାରତ ବିପର୍ଯ୍ୟୟର କାରଣ ହୋଇଛି। ୬ ୱିକେଟ୍ ସଫଳତା ସହ ଭାରତକୁ ସେ ପୁଣି ଥରେ ଘାଇଲା କରିଛନ୍ତି।
ପ୍ରଥମ ଦିନରେ ୬ ୱିକେଟ୍ ନେବା ପରେ ଦ୍ବିତୀୟ ଦିନରେ ପ୍ରଭାବହୀନ ବୋଲିଂ କରି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ୪୮୯ ରନ୍ର ବଡ଼ ସ୍କୋର କରିବାର ସୁଯୋଗ ଦେଇଥିବା ଭାରତ ସୋମବାର ୯/୦ରୁ ଖେଳ ଆରମ୍ଭ କରିଥିଲା। ୬୫ ରନ୍ରେ ପ୍ରଥମ ୱିକେଟ୍ ଭାବେ କେଏଲ୍ ରାହୁଲଙ୍କୁ ହରାଇଥିଲା। ଅନ୍ୟତମ ଓପନର୍ ଯଶସ୍ବୀ ଜୟସ୍ବାଲ ମଧ୍ୟ ଅର୍ଦ୍ଧଶତକର ୮ ରନ୍ ପରେ ସ୍ଲିପ୍ କର୍ଡନରେ ଧରାପଡ଼ି ଯାଇଥିଲେ। ଗୁରୁତ୍ବପୂର୍ଣ୍ଣ ତୃତୀୟ ସ୍ଥାନରେ ଖେଳିବାର ସୁଯୋଗ ପାଇଥିବା ସାଇ ସୁଦର୍ଶନଙ୍କ ପାଳି ୧୫ ରନ୍ରେ ଅଟକି ଯିବା ଏବଂ ଧ୍ରୁବ ଜୁରେଲ ଅନାବଶ୍ୟକ ସଟ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ପରେ ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତ ୧୦୨ ରନ୍ରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଦ୍ବିତୀୟ ଅଧିବେଶନ ପରେ ମଧ୍ୟ ଭାରତର ୱିକେଟ୍ ପତନ ଧାରା ଜାରି ରହିଥିଲା। ଅଧିନାୟକ ଋଷଭ ପନ୍ତ ଏବଂ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପାଳି ଗଢ଼ିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଦୁର୍ବଳ ସଟ୍ରେ ନିଜନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ନୀତୀଶ କୁମାର ରେଡ୍ଡୀ ମଧ୍ୟ ନିରାଶ କରିଥିଲେ। ରାହୁଲ, ଜୟସ୍ବାଲ ଓ ସାଇ ସୁଦର୍ଶନ ପ୍ରତିପକ୍ଷ ସ୍ପିନରଙ୍କ ଶିକାର ହୋଇଥିଲା ବେଳେ ଭାରତ ତା’ର ପରବର୍ତ୍ତୀ ୪ ୱିକେଟ୍ ୟାନ୍ସେନ୍ଙ୍କ ଶାଣିତ ଓ ସଠିକ୍ ସର୍ଟବଲ୍ରେ ହରାଇଥିଲା। ଫଳରେ ଚା’ ପାନ ବିରତି ସୁଦ୍ଧା ଆଉ ତିନିଟି ୱିକେଟ୍ ହରାଇ ୧୨୨/୭ର ସ୍କୋର୍ରେ ଘୋର ସଙ୍କଟରେ ପଡ଼ିଥିଲା। ଭାରତର ଅଧୋପତନକୁ ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବ କିଛି ସମୟ ପ୍ରତିରୋଧ କରିଥିଲେ।
ଅର୍ଦ୍ଧଶତକର ଦୁଇ ରନ୍ ପୂର୍ବରୁ ୱାସିଂଟନଙ୍କୁ ଆଉ କରି ସିମୋନ ହାର୍ମର ଏହି ଯୋଡ଼ି ଭାଙ୍ଗିବା ପୂର୍ବରୁ ଉଭୟ ଅଷ୍ଟମରେ ୭୨ ରନ୍ର ଭାଗୀଦାରି ଗଢ଼ି ନେଇଥିଲେ। ତା’ ସହିତ ଭାରତ ସ୍କୋର୍କୁ କେଷ୍ଟେମଷ୍ଟେ ୨୦୦ର ନିକଟତର କରାଇଥିଲେ। କୁଲଦୀପ ୨ ଘଣ୍ଟା ୧୪ ମିନିଟ୍ ଧରି ୱାସିଂଟନ୍ଙ୍କ ସହ ବ୍ୟାଟିଂ କରି ବେଶ୍ ପ୍ରଭାବିତ କରିଥିଲେ। ଉଭୟ ୧୯୪ ରନ୍ର ଦଳୀୟ ସ୍କୋର୍ରେ ଆଉଟ୍ ହୋଇଯିବା ପରେ ଭାରତ ପାଳି ୨୦୧ ରନ୍ରେ ଶେଷ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପାଖରେ ଫଲୋଅନ୍ ଡାକିବାର ସୁଯୋଗ ଥିଲା। ହେଲେ ବୋଲରଙ୍କୁ ବିଶ୍ରାମ ସହିତ ଚତୁର୍ଥ ଓ ପଞ୍ଚମ ଦିନର ଫଟା ପିଚ୍ରେ ଭାରତକୁ ବ୍ୟାଟିଂ ଦେବାର ରଣନୀତି ଅନୁଯାୟୀ ଏହି ଦଳର ସଫଳ ଅଧିନାୟକ ତେମ୍ବା ବଭୂମା ନିଜ ଦ୍ବିତୀୟ ପାଳି ଅରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ବିତୀୟ ପାଳିରେ ସୋମବାର ଖେଳିଥିବା ୮ ଓଭରରେ ରିୟାନ ରିକେଲ୍ଟନ୍ ଓ ଐଦେନ ମାର୍କରାମ ଅତି ସହଜରେ ଭାରତୀୟ ବୋଲରଙ୍କୁ ମୁକାବିଲା କରିଥିଲେ। ଯାହା ଘରୋଇ ଦଳର ଚାପକୁ ଆହୁରି ବଢ଼ାଇଥିଲା।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୮୯/୧୦ । ଭାରତ ପ୍ରଥମ ପାଳି: ୮୩.୫ ଓଭରରେ ୨୦୧/୧୦ (ଯଶସ୍ବୀ ଜୟସ୍ବାଲ-୫୮, ୱାସିଂଟନ୍ ସୁନ୍ଦର-୪୮, କେଏଲ୍ ରାହୁଲ-୨୨, କୁଲଦୀପ ଯାଦବ ୧୯, ମାର୍କୋ ୟାନସେନ୍-୬/୪୮, ସିମୋନ ହାର୍ମର-୩/୬୪, କେଶବ ମହାରାଜ-୧/୩୯)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୮ ଓଭରରେ ୨୬/୦ (ରିୟାନ ରିକେଲଟନ୍ ୧୩*, ଐଦେନ ମାର୍କରାମ ୧୨*, ଯଶପ୍ରୀତ୍ ବୁମ୍ରା ୧୩/୦)।
Follow Us