ଇନ୍ଦୋର ପିଚ୍‌କୁ ବ୍ରଡ୍‌ଙ୍କ ‘ଖରାପ’ ମାନ୍ୟତା ବିରୋଧରେ ଅପିଲ୍‌ କଲା ବିସିସିଆଇ

Advertisment
ଟେଷ୍ଟ୍‌ ମାନ୍ୟତାରେ ଭାରତ ୧ ନମ୍ବର

bcci

ମୁମ୍ବାଇ: ଇନ୍ଦୋର ପିଚ୍‌କୁ ଖରାପ ଦର୍ଶାଯିବା ସଂକ୍ରାନ୍ତରେ ଏବେ ବିସିସିଆଇ ଓ ଆଇସିସି ମୁହାଁମୁହିଁ ହେବାକୁ ଯାଉଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଖେଳାଯାଇଥିବା ଇନ୍ଦୋର ପିଚ୍‌କୁ ଆଇସିସି ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ‘ଖରାପ’ ମାନ୍ୟତା ଦେଇଥିଲେ। ହେଲେ ବ୍ରଡ୍‌ଙ୍କ ଏହି ରିପୋର୍ଟ ବିରୋଧରେ ବିସିସିଆଇ ଅପିଲ୍‌ ଦାୟର କରିଥିବା ଜଣାପଡ଼ିଛି। ଏହି ଆବେଦନର ଶୁଣାଣି ଆଇସିସିର କ୍ରିକେଟ୍‌ କମିଟି କରିବ। ଏହି କମିଟିରେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ଅଛନ୍ତି। ଯେହେତୁ ଅଭିଯୋଗ ଭାରତ ପଟରୁ କରାଯାଇଛି ସେଥିପାଇଁ ଗୋଟିଏ ଦେଶରୁ ହୋଇଥିବାରୁ ଶୁଣାଣି ବେଳେ ସୌରଭ ଉପସ୍ଥିତ ରହିପାରିବେନି। ତେଣୁ ତାଙ୍କ ବଦଳରେ ଅନ୍ୟଜଣଙ୍କୁ ଆଇସିସି ଉକ୍ତ ଶୁଶାଣି ବେଳେ ଉପସ୍ଥିତ ରହିବାକୁ ନିଯୁକ୍ତ କରିପାରେ। କମିଟିର ନିଷ୍ପତ୍ତି ଉପରେ ଆଇସିସିର କ୍ରିକେଟ୍‌ ମହାପ୍ରବନ୍ଧକ ୱାସିମ୍‌ ଆକ୍ରମ ମୋହର ମାରିବେ।

ଇନ୍ଦୋର ଟେଷ୍ଟରେ ‌ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଖେଳ ଅଢେଇ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ରେ ଉଭୟ ପାଳିରେ ଭାରତ ୧୦୯ ଓ ୧୬୩ ରନ୍‌ ସଂଗ୍ରହ କରିଥିଲା ବେଳେ ଭ୍ରମଣକାରୀ ଦଳ ୧୯୭ ଓ ୭୮/୧ ରନ୍‌ କରିଥିଲା। ମ୍ୟାଚ୍‌ରେ ଅଢେଇ ଦିନ ମଧ୍ୟରେ ୩୧ ୱିକେଟ୍‌ର ପତନ ଘଟିଥିଲା ବେଳେ କେବଳ ସ୍ପିନରମାନେ ୨୬ ୱିକେଟ୍‌ ଝଡ଼ାଇଥିଲେ। ଯାହାକୁ କି ଅନେକ ପୂର୍ବତନ କ୍ରିକେଟର୍‌ ସମାଲୋଚନା କରିବା ସହିତ ପିଚ୍‌ର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ବ୍ରଡ୍‌ ଏହା ଉପରେ ନକାରାତ୍ମକ ରିପୋର୍ଟ ପ୍ରଦାନ କରିବା ପରେ ବିସିସିଆଇ ପାଖରେ ଏହା ବିରୋଧରେ ଅପିଲ୍‌ କରିବା ପାଇଁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ସମୟ ରହିଥିଲା।

ଗତବର୍ଷ ପାକିସ୍ତାନର ରାୱଲପିଣ୍ଡି ପିଚ୍‌କୁ ଆଇସିସି ହାରାହାରିଠୁ କମ୍‌ ମାନ୍ୟତା ଦେଇଥିଲା। କିନ୍ତୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଏହା ବିରୋଧରେ ଅପିଲ୍‌ କରିବା ପରେ ଆଇସିସି ଏହାର ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲା। ତେଣୁ ଇନ୍ଦୋର ପିଚ୍‌ କ୍ଷେତ୍ରରେ ମଧ୍ୟ ଆଇସିସି ତାହାର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ ବୋଲି ବିସିସିଆଇ ଆଶା ରଖିଛି। ଯଦି ବି ଆଇସିସି ତାହାର ନିଷ୍ପତ୍ତିରେ ଅଟଳ ରୁହେ, ତଥାପି ଇନ୍ଦୋରରେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନରେ କୌଣସି ବାଧା ଉପୁଜିବ ନାହିଁ। କିନ୍ତୁ ଭବିଷ୍ୟତରେ ଯଦି ପୁଣି ଏହାର ପିଚ୍‌ ଉପରେ ନକାରାତ୍ମକ ରିପୋର୍ଟ ଆସେ ଏବଂ ଏହାର ପଏଣ୍ଟ ୫ ଛୁଇଁଯାଏ ତାହେଲେ ୧୨ ମାସ ପର୍ଯ୍ୟନ୍ତ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇପାରିବ ନାହିଁ ବୋଲି ଆଇସିସି ନିୟମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe