ଅକ୍ଟୋବର ୧୮ରେ ବିସିସିଆଇ ନିର୍ବାଚନ

Advertisment
ବିଶ୍ବକପ୍‌ ପାଇଁ ୨୦ ଜଣଙ୍କୁ ବାଛିଲା ବିସିସିଆଇ: ‌ଖେଳାଳି ଚୟନ ପାଇଁ ‌ୟୋ ୟୋ ଟେଷ୍ଟ ଓ ଡେକ୍ସା ମାନଦଣ୍ଡ

Image Courtesy of DNA India

ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ ନିର୍ବାଚନ ଅକ୍ଟୋବର ୧୮ ତାରିଖରେ ଅନୁଷ୍ଠିତ ହେବ। ବୋର୍ଡର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଏହି ତାରିଖରେ ହେବାନେଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘଗୁଡ଼ିକ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି। ଅବଶ୍ୟ ବିସିସିଆଇ ଏହାର ନିର୍ବାଚନ ଅଧିକାରୀ ଭାବେ ଏ.କେ. ଜ୍ୟୋତିଙ୍କୁ ନିଯୁକ୍ତ କରିଥିଲା ବେଳେ ସେ ହିଁ ପରବର୍ତ୍ତୀ ସମୟରେ ନିର୍ବାଚନ ସଂପର୍କିତ ବିଜ୍ଞପ୍ତି ଜାରି କରିବେ। ତଥାପି ଏଜିଏମ୍‌ରେ ବିସିସିଆଇ ନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ବିସିସିଆଇର ଏଜିଏମ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଏହାର ସମୟ ଓ ସ୍ଥାନ ଜଣାଇ ଦିଆଯିବ ବୋଲି ଏଥିରେ ଦର୍ଶାଯାଇଛି। ବିଜ୍ଞପ୍ତିର ପଏଣ୍ଟ ବି’ ରେ ନିର୍ବାଚନ ସଂକ୍ରାନ୍ତରେ କୁହାଯାଇଥିଲା ବେଳେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହେବା ନେଇ ଉଲ୍ଲେଖ କରାଯାଇଛି।

ତଥାପି ଦେଖିବାର କଥା ହେଉଛି କି, ବର୍ତ୍ତମାନର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କି ନାହିଁ। ଅନ୍ୟପକ୍ଷରେ ସମ୍ପାଦକ ଜୟ ଶାହଙ୍କ ପ୍ରତି ୧୫ଟି ରାଜ୍ୟ ସଂଘର ସମର୍ଥନ ରହିଥିବା କୁହାଯାଉଥିଲା ବେଳେ ସେ ନୂଆ ସଭାପତି ହୋଇପାରନ୍ତି ବୋଲି ଆ‌ନୁମାନ କରାଯାଉଛି। ତେବେ କୁଲିଂ ଅଫ୍‌ ଅବଧିକୁ ନେଇ ସୁପ୍ରିମ କୋର୍ଟ ଦେଇଥିବା ରାୟ ପରେ ଉଭୟ ନିଜ ନିଜର ପଦବି ଜାରି ରଖିପାରନ୍ତି। ନିର୍ବାଚନରେ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ସଂଘକୁ ପ୍ରତିନିଧିତ୍ବ କରିବେ ବୋଲି ସ୍ପଷ୍ଟ ହୋଇସାରିଛି। ଏହାବାଦ୍‌ ସମ୍ପାଦକ ପଦବି ପାଇଁ ବର୍ତ୍ତମାନର କୋଷାଧ୍ୟକ୍ଷ ଅରୁଣ ଧୁମାଲଙ୍କ ନାମ ଚର୍ଚ୍ଚା ହେଉଛି। କୋଷାଧ୍ୟକ୍ଷ ପାଇଁ ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ଚୌଧୁରୀ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି। ଏଜିଏମ୍‌ ଅବସରରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପାଇଁ ବିସିସିଆଇର ପ୍ରତିନିଧିଙ୍କୁ ବଛାଯିବ। ଯଦି ଗାଙ୍ଗୁଲି ବୋର୍ଡ ସଭାପତି ପଦରୁ ଓହରିବେ, ତାହେଲେ ତାଙ୍କ ନାମ ଏଥିପାଇଁ ବଛାଯାଇପାରେ। ତଥାପି ବ୍ରିଜେଶ ପଟେଲଙ୍କ ନାମ ଏଥିପାଇଁ ଆଗରେ ରହିଛି। ରାଜୀବ ଶୁକ୍ଳା ଆଇପିଏଲ୍‌ ପରିଚାଳନା ପରିଷଦର ଅଧ୍ୟକ୍ଷ ପଦ ବଜାୟ ରଖିପାରନ୍ତି।

ଏଜିଏମ୍‌ରେ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ମହିଳା ଆଇପିଏଲ୍‌ ଉପରେ ଆଲୋଚନା ହେବାକୁଥିଲା ବେଳେ ଆଇପିଏଲ୍‌ ‌ମିଡିଆ ଅଧିକାର, ବିସିସିଆଇ ମିଡିଆ ଅଧିକାର, ଭାରତୀୟ କ୍ରିକେଟ ଦଳର ଆଗାମୀ ଗସ୍ତ, ଜାତୀୟ କ୍ରିକେଟ ଏକାଡେମୀ ଉପରେ ଆଲୋଚନା ପାଇଁ ଏଜେଣ୍ଡା ଧାର୍ଯ୍ୟ ହୋଇଛି। ଏହି ଦିନ ବିସିସିଆଇ ଆପେକ୍ସ କାଉନସିଲ ପାଇଁ ସାଧାରଣ ପରିଷଦର ପ୍ରତିନିଧି ଓ ଭାରତୀୟ କ୍ରିକେଟର ସଂଘର ଦୁଇ ପ୍ରତିନିଧି ସହିତ ଆଇପିଏଲ୍‌ ପରିଚାଳନା ପରିଷଦ ପାଇଁ ସାଧାରଣ ପରିଷଦର ଦୁଇଜଣ ପ୍ରତିନିଧି ଓ ଭାରତୀୟ କ୍ରିକେଟ ସଂଘର ଜଣେ ପ୍ରତିନିଧିଙ୍କ ନାମ ଘୋଷଣା କରାଯିବ। ଅନ୍ୟପକ୍ଷରେ ବୋର୍ଡ ଏହାର ନୂତନ କ୍ରିକେଟ ପରାମର୍ଶଦାତା କମିଟି ନାମ ଘୋଷଣା କରିବ। କମିଟିର ଅଧ୍ୟକ୍ଷ ମଦନ ଲାଲ୍‌ ୭୦ ବର୍ଷ ଛୁଇଁ ସାରିଥିବାରୁ ଏବେ ଏଥିରେ କେବଳ ଆର୍‌.ପି. ସିଂହ ଓ ସୁଲକ୍ଷଣା ନାଏକ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପୁଣି ଜାତୟ ଚୟନକର୍ତ୍ତାଙ୍କ ମଧ୍ୟରୁ ପଶ୍ଚିମାଞ୍ଚଳର ପ୍ରତିନିଧି ଭାବେ ଆବେ କୁରୁଭିଲାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏହି ସ୍ଥାନ ଖାଲି ପଡ଼ିଛି। ତେଣୁ ନୂତନ ଚୟନକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା ହେବ। ଶେଷରେ ବିସିସିଆଇ ଲୋକପାଳ ଓ ନୈତିକ ଅଧିକାରୀ ନିଯୁକ୍ତ କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe