ଘରୋଇ କ୍ରିକେଟ୍ ଋତୁକୁ ବାତିଲ କରିପାରେ ବିସିସିଆଇ

Advertisment
ଭାରତର ବିଶ୍ବକପ୍‌ ଆଶା ବଢ଼ାଇବ ‘ଦ ହଣ୍ଡ୍ରେଡ୍‌’

Gulf News

ମୁମ୍ବାଇ : ଭାରତରେ କୋଭିଡ୍-୧୯ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଚଳିତବର୍ଷର ଘରୋଇ କ୍ରିକେଟ୍ ଋତୁକୁ ବିସିସିଆଇ ସଂପୂର୍ଣ୍ଣ ବାତିଲ କରିଦେବାର ଯଥେଷ୍ଟ ଆଶଙ୍କା ରହିଛି। ଚଳିତ ବର୍ଷ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଛଡ଼ା ଅନ୍ୟ ସମସ୍ତ ଘରୋଇ କ୍ରିକେଟ୍ ପ୍ରତିଯୋଗିତାକୁ ବାତିଲ କରାଯିବ ବୋଲି ବିସିସିଆଇ ପୂର୍ବରୁ କହିଥିଲା। ତେବେ ସାଂପ୍ରତିକ ପରିସ୍ଥିତିରେ ଏହି ଦୁଇଟି ପ୍ରତିଯୋଗିତା ଆୟୋଜନ କରିବା ବି ସମ୍ଭବ ହେବ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏଥିନେଇ ଏପର୍ଯ୍ୟନ୍ତ ଅବଶ୍ୟ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ। ଭାରତରେ କୋଭିଡ୍-୧୯ ସଂକ୍ରମଣ ରେକର୍ଡ ସ୍ତର ଛୁଇଁ ଥିବାରୁ ଏଭଳି ସ୍ଥିତିରେ କୌଣସି ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ବୋର୍ଡ ଅଧିକାରୀମାନେ କିନ୍ତୁ ହୃଦୟଙ୍ଗମ କରିଛନ୍ତି।

ରଣଜୀ ଟ୍ରଫି ସହ ଆଉ ଗୋଟିଏ କିମ୍ବା ଦୁଇଟି ଘରୋଇ ପ୍ରତିଯୋଗିତା ଆୟୋଜନ ଲାଗି ଅନ୍ୟୁନ ୩ରୁ ୪ ମାସର ସମୟ ଦରକାର। ଏବେକାର ପରିସ୍ଥିତିକୁ ଦେଖିଲେ ଏହି ସମୟ କାଢ଼ିବା ସହଜ ହେବନି। ତା’ ଛଡ଼ା ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଘରୋଇ କ୍ରିକେଟ୍ ଜୈବ ସୁରକ୍ଷିତ ପରିବେଶରେ ଆୟୋଜନ କରିବା ଅତ୍ୟନ୍ତ ବ୍ୟୟବହୁଳ ହେବ। ତଥାପି ଘରୋଇ କ୍ରିକେଟର, ସହାୟକ ଅଧିକାରୀ, ପଡ଼ିଆ କର୍ମଚାରୀ, ସ୍କୋରର, ମ୍ୟାଚ୍ ଅଧିକାରୀ ଓ ଅମ୍ପାୟାରଙ୍କୁ କିଛି ରୋଜଗାର ଦେବାକୁ ବିସିସିଆଇ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜ୍ୟସଂଘଗୁଡ଼ିକୁ ଲେଖିଥିବା ପତ୍ରରେ ସଂକ୍ଷିପ୍ତ ଘରୋଇ ଋତୁ ଆୟୋଜନ ଉପରେ ଜୋର ଦେଇଥିଲେ। ସଂକ୍ଷିପ୍ତ ଘରୋଇ ଋତୁ ସହ ରଣଜୀ ଟ୍ରଫିର ଅବଧି ହ୍ରାସ କଥା କିନ୍ତୁ ସେ ଏଥିରେ ସ୍ପଷ୍ଟ କରିଦେଇଥିଲେ। ସେହିଭଳି ପରିସ୍ଥିତି ସୁଧୁରିବା ପରେ ଯାଇ ଘରୋଇ କ୍ରିକେଟ୍ ଆରମ୍ଭ କରାଯାଇପାରେ ବୋଲି ମଧ୍ୟ ସଙ୍କେତ ଦେଇଥିଲେ। କୋଭିଡ୍ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ି ଚାଲିଥିବାରୁ ରଣଜୀ ଓ ଅନ୍ୟାନ୍ୟ ଘରୋଇ ମ୍ୟାଚ୍ ଲାଗି ପଡ଼ିଆ ମିଳିବା କଷ୍ଟକର ହୋଇଯିବ। ବିଭିନ୍ନ ରାଜ୍ୟ ହୁଏତ ଏଥିଲାଗି ଅନୁମତି ଦେଇପାରନ୍ତି। ଏଭଳି ସ୍ଥିତିରେ ୩୭ ରଣଜୀ ଦଳ ସହ ଅନ୍ୟାନ୍ୟ ଘରୋଇ ପ୍ରତିଯୋଗିତା ପାଇଁ ଖେଳସୂଚୀ ପ୍ରସ୍ତୁତ କରିବା ନିଶ୍ଚିତ ଭାବେ ଏକ କଷ୍ଟକର ବ୍ୟାପାର ହେବ। ପୁଣି ବିଭିନ୍ନ ବୟସ ବର୍ଗର ୧,୦୦୦ରୁ ଅଧିକ କ୍ରିକେଟରଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇ ଦିଆଯାଇନପାରେ ବୋଲି ବିସିସିଆଇ ଚିନ୍ତା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe