ଟଙ୍କା ପାଇଁ ଦେଶର ସମ୍ମାନ ବିକିଦେଲା ବିସିସିଆଇ; ଏଭଳି ଲେଖି ବଏକଟ ଦାବି କଲେ ଲୋକେ

ପହଲଗାମ୍ ଆକ୍ରମଣର ପ୍ରତିଶୋଧ ସ୍ବରୂପ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ମନା କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଭାରତ-ପାକିସ୍ତାନ ଖେଳିବା ନେଇ ସ୍ପଷ୍ଟ ହେବା ପରେ ଲୋକେ ବିସିସିଆଇକୁ ବଏକଟ୍ କରିବାକୁ ଦାବି କରିଛନ୍ତି।

New Project (4)

ନୂଆଦିଲ୍ଲୀ: ବିସିସିଆଇ ଏସିଆ କପ୍-୨୦୨୫ ପାଇଁ ମଙ୍ଗଳବାର ଟିମ୍ ଘୋଷଣା କରିଥିଲା। କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରାଯିବା ସହ ଇଂଲଣ୍ଡରେ ଚମକପ୍ରଦ ପ୍ରଦର୍ଶନ ପରେ ଶୁବମନ୍ ଗିଲଙ୍କୁ ଉପଅଧିନାୟକ କରାଯାଇଛି। ଟେଷ୍ଟ୍‌ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍‌ର ଉପଅଧିନାୟକ ପଦ ମିଳିଛି। ଅକ୍ଷର ପଟେଲ୍‌ଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ  ଦଳ ଘୋଷଣା କରିବା ପରେ ଏବେ ବିବାଦ ଘେରକୁ ଆସିଛି ବିସିସିଆଇ। ଟଙ୍କା ପାଇଁ ବିସିସିଆଇ କିଛି ବି କରିପାରେ ବୋଲି ଲୋକେ ବଏକଟ କରିବାକୁ ଦାବି କରିଛନ୍ତି। ଏକ୍ସରେ ଏବେ 'ବଏକଟ୍ ବିସିସିଆଇ' ଟ୍ରେଣ୍ଡ କରିବାରେ ଲାଗିଛି। ଏହାର କାରଣ ହେଉଛି ପାକିସ୍ତାନ। 

ସେପ୍ଟେମ୍ବର ୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା 'ଏସିଆ କପ୍ ୨୦୨୫' ୟୁଏଇରେ ଆୟୋଜିତ ହେବ।  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ଦେଖି ୨୦୨୭ ପର୍ଯ୍ୟନ୍ତ ଏହି ଦୁଇ ଦେଶ, ବି‌ଦେଶରେ ପରସ୍ପରର ମୁହାଁମୁହିଁ ହେବେ। ତେବେ ଟିମ୍ ଘୋଷଣା ହେବା ପୂର୍ବରୁ ଭାରତ, ପାକିସ୍ତାନ ସହ ଖେଳିବନି ବୋଲି ଭାବି ବସିଥିଲେ ଦେଶବାସୀ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ସ୍ବରୂପ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ମନା କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଭାରତ-ପାକିସ୍ତାନ ଖେଳିବା ନେଇ ସ୍ପଷ୍ଟ ହେବା ପରେ ଲୋକେ ବିସିସିଆଇକୁ ବଏକଟ୍ କରିବାକୁ ଦାବି କରିଛନ୍ତି। କିଛି ଲୋକ ଏସିଆ କପକୁ ବଏକଟ କରିବାକୁ ମଧ୍ୟ ଦାବି କରୁଥିବା ଦେଖାଯାଇଛି।

କିଛି ନେତା ମଧ୍ୟ ବିସିସିଆଇକୁ ଟାର୍ଗେଟ କରିଥିବା ଦେଖାଯାଇଛି। ଶିବସେନା(ୟୁବିଟି)ର ନେତା ଆଦିତ୍ୟ ଠାକରେ ଜାତୀୟ ସ୍ୱାର୍ଥ ଅପେକ୍ଷା ଖେଳ ଏବଂ ଟଙ୍କାକୁ ପ୍ରାଥମିକତା ଦେବା ପାଇଁ ବିସିସିଆଇକୁ ସମାଲୋଚନା କରିଛନ୍ତି।

"ବିଜେପି ଆପଣଙ୍କୁ 'ପାକିସ୍ତାନ ଯାଅ' ବୋଲି କହିପାରିବ। ପାକିସ୍ତାନର ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି ତାହା ବିଶ୍ୱକୁ ଜଣାଇବା ପାଇଁ ସେମାନେ ପ୍ରତିନିଧିମଣ୍ଡଳୀ ପଠାଇପାରିବେ । କିନ୍ତୁ ବିସିସିଆଇ ପାକିସ୍ତାନ ସହିତ ଖେଳି ରୋଜଗାର କରିବାର ସୁଯୋଗ ହାତଛଡ଼ା କରିବ ନାହିଁ" ବୋଲି ଶିବସେନା (ୟୁବିଟି) ନେତା ଲେଖିଛନ୍ତି।

ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଯିଏକି ଅପରେସନ ସିନ୍ଦୁର ପ୍ରତିନିଧିମଣ୍ଡଳୀର ଏକ ଅଂଶ ଥିଲେ, ସେ ଲେଖିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଯେଉଁ ପରିବାରମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କପ୍ରତି ଏହା ବିଶ୍ୱାସଘାତ ଭଳି।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, "ପାକିସ୍ତାନ ହକି ଦଳ ଭାରତରେ ଆୟୋଜିତ ଏସିଆ କପ୍ ହକି ମ୍ୟାଚ୍‌କୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ବିସିସିଆଇ ଏସିଆ କ୍ରିକେଟ୍ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରି ଉଭୟଙ୍କ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଜାରି ରଖିବାକୁ ବହୁତ ଆଗ୍ରହୀ। ଏହା ଜାଣି ପହଲଗାମରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗ କିଭଳି ଅନୁଭବ କରୁଥିବେ ତାହା କଳ୍ପନା କରାଯାଇପାରିବ ନାହିଁ।"

ଏମାନଙ୍କ ବ୍ୟତୀତ ସାଧାରଣ ଲୋକ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଲୋକ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ ନାହିଁ ବୋଲି କହୁଥିବା ‌ବେଳେ କିଛି ଲୋକ ଏସିଆ କପ୍‌କୁ ବଏକଟ କରିବା ବିଷୟରେ କହୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe