ହକି ବିଶ୍ୱକପ୍‌: ଆଜି କଳିଙ୍ଗରେ ବେଲଜିୟମ୍‌-ଜର୍ମାନି ଫାଇନାଲ୍‌

ହକି ବିଶ୍ୱକପ୍‌: ଆଜି କଳିଙ୍ଗରେ ବେଲଜିୟମ୍‌-ଜର୍ମାନି ଫାଇନାଲ୍‌

ଭୁବନେଶ୍ବର : ଅଢ଼େଇ ସପ୍ତାହ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବ ରବିବାର ଶେଷ ‌ହୋଇଯିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍‌ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଏହି ମ୍ୟାଚ୍‌ ପୂର୍ବରୁ କାଂସ୍ୟ ପଦକ ପାଇଁ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ଣ ୪.୩୦ରେ ଲଢ଼େଇ ହେବ। ଭୁବନେଶ୍ବରରେ ବିଶ୍ବକପ୍‌ ଭାଗ୍ୟ ଉଦୟ କରିଥିବା ବେଲଜିୟମ୍‌ ଏଠାରେ ଦ୍ବିତୀୟ ଥର ଟ୍ରଫି ତୋଳି ଧରିବା ଲକ୍ଷ୍ୟରେ ଥିବା ବେଳେ ଜର୍ମାନିର ଉତ୍‌ଥାନ ଏହି ଦଳକୁ ଚିନ୍ତାରେ ପକାଇଛି।

୨୦୧୮ରେ ସେହି କଳିଙ୍ଗ ହକି କଂପ୍ଲେକ୍ସରେ ବେଲଜିୟମ୍ ଫାଇନାଲ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟ୍ରଫି ହାସଲ କରିଥିଲା। ଏହା ପୂର୍ବରୁ ବେଲଜିୟମ୍‌ କେବେ ବି ସେମିଫାଇନାଲ୍‌ରେ ପହଞ୍ଚିନଥିଲା। ଭୁବନେଶ୍ବରର ବିଶ୍ବକପ୍‌ ବିଜୟ କେବେ ବି ଏକ ବ୍ୟତିକ୍ରମ ନଥିଲା ବୋଲି ବେଲଜିୟମ୍ ପ୍ରମାଣିତ କରିଥିଲା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି। ଏବେ ବିଶ୍ବ ହକିରେ ଲଗାତାର ଟ୍ରଫି ଜିତିବାରେ ବେଲଜିୟମ୍ ଚତୁର୍ଥ ଦଳ ହେବାକୁ ଆଶା ରଖିଛି। ପୂର୍ବରୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଜର୍ମାନି ଟାଇଟଲ୍‌ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ବେଲଜିୟମ୍‌ ଦଳର ଅଧିକାଂଶ ଖେଳାଳି ଭୁବନେଶ୍ବରରେ ବିଶ୍ବକପ୍‌ ‌ଖେଳୁଛନ୍ତି। ସେହିଭଳି ବେଲଜିୟମ୍ ଚଳିତ ବିଶ୍ବକପ୍‌ର ସବୁଠାରୁ ବୟସ୍କ ଦଳ ହୋଇଥିଲେ ମଧ୍ୟ ପ୍ରଦର୍ଶନରେ କିଛି କମ୍ ପ୍ରମାଣିତ କରିନାହିଁ। ଦଳର ୧୧ ଜଣ ଖେଳାଳି ୩୦ରୁ ଊର୍ଧ୍ବ ବୟସର ଏବଂ ୩ ଜଣ ୩୫ ବର୍ଷରୁ ଅଧିକ। ବେଲଜିୟମ୍‌ର ଏହି ସ୍ବର୍ଣ୍ଣିମ ଯୁଗର ହକିର ଖେଳାଳିମାନେ ହାତରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକର ସ୍ପର୍ଶ ପାଇ ସାରିଛନ୍ତି। ବେଲଜିୟମ୍ ଦଳ ମଧ୍ୟ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରି ଆଗକୁ ବଢ଼ିଛି।

publive-image Photo: Rediffmail

ଦଳରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫରୱାର୍ଡସ ଓ ରକ୍ଷଣଭାଗ ଖେଳାଳିଙ୍କ ସହିତ ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ରହିଛନ୍ତି। ଭିନସେଣ୍ଟ ବନାଶ୍ଚଙ୍କ ଭଳି ଗୋଲରକ୍ଷକ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଚଳିତ ବିଶ୍ବକପ୍‌ରେ ବେଜଲିୟମ୍‌ ୧୮ ଗୋଲ୍ ଦେଇଥିବା ବେଳେ ତାରକା ଷ୍ଟ୍ରାଇକର୍ ଟମ୍ ବୁନ୍‌ ସର୍ବାଧିକ ୭‌ ଗୋଲ୍‌ ଦେଇଛନ୍ତି। ଦଳ ମଧ୍ୟ ୫ ମ୍ୟାଚ୍‌ରେ ମାତ୍ର ୫ଟି ଗୋଲ୍ ବରଣ କରିଛି।

ବିଶ୍ବ ମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ବ‌ିଜେତା ବେଲଜିୟମ୍‌ ପାଇଁ ଏବେ ଜର୍ମାନି ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ୪ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନି ଯେଉଁଭଳି ଶାନ୍ତ ଭାବେ ପ୍ରତ୍ୟାବର୍ତନ କରିବାର ଚରିତ୍ର ଦେଖାଇଛି ତାହା ବେଲଜିୟମ୍‌ ପାଇଁ ଚିନ୍ତାର କାରଣ ହୋଇଛି। କ୍ବାର୍ଟରଫାଇନାଲ୍‌ରେ ଇଂଲଣ୍ଡକୁ ଏବଂ ସେମିଫାଇନାଲ୍‌ରେ ଏକ ନମ୍ବର ଅଷ୍ଟ୍ରେଲିଆକୁ ଯେଉଁଭଳି ଭାବେ ପରାସ୍ତ କରିଛି ସ୍ବାଭାବିକ ଭାବେ ପ୍ରତିଦ୍ବନ୍ଦ୍ବୀ ଦଳ ଶିବିରରେ ଛନକା ପଶିଯାଇଛି। ଉଭୟ ଥର ପଛୁଆ ରହିବା ପରେ ଶେଷ କ୍ଷଣରେ ବିଜୟୀ ହୋଇଛି ଏହି ଦୁଇ ଥର ବିଜେତା ଦଳ। ଇଂଲଣ୍ଡ ବିପକ୍ଷରେ ଡାଏ ହୋନାମସଙ୍କ ଦଳ ଶେଷ ଅଢ଼େଇ ମିନିଟରେ ୨ ଗୋଲ୍ ଦେଇ ସେମିଫାଇନାଲ୍ ପହଞ୍ଚିବା ପରେ ଅପରାଜିତ ଅଷ୍ଟ୍ରେଲିଆକୁ ଶେଷ ୬ ସେକେଣ୍ଡରେ ଚକମା ଦେଇଥିବାରୁ ଆତ୍ମବିଶ୍ବାସରେ ରହିଛି। ଗତ ଥର ପଞ୍ଚମ ସ୍ଥାନରେ ରହିଥିବା ଜର୍ମାନି ଶେଷ ଥର ପାଇଁ ୧୭ ବର୍ଷ ତଳେ ବିଜେତା ହୋଇଥିଲା। ୨୦୦୨ ଓ ୨୦୦୬ରେ ଲଗାତାର ଟ୍ରଫି ଜିତିଥିବାରୁ ତୃତୀୟ ଥର ହକି ବିଶ୍ବ ମୁକୁଟ ହାସଲ ଲକ୍ଷ୍ୟରେ ରହିଛି। ଜର୍ମାନି ଏକ କଠୋର ଦଳ ବୋଲି ମଧ୍ୟ ବେଲଜିୟମ୍‌ ଅଧିନାୟକ ଫେଲିକ୍ସ ଡିନାୟର୍‌ ପ୍ରକାଶ କରିଛନ୍ତି। ବେଲଜିୟମ୍ ପ୍ରଶିକ୍ଷକ ମାଇକେଲ୍ ଭାନ୍‌ ଡେଲ୍ ହିଉଭେଲ୍‌ ମଧ୍ୟ କହିଛନ୍ତି, ‘ଜର୍ମାନି ଦଳ ପ୍ରତି ଆମର ଢେର ସମ୍ମାନ ରହିଛି, ଦୁଇ ଥର ଏହି ଦଳ ଜେଲରୁ ବାହାରି ବିଜୟୀ ହୋଇଛି। ଜର୍ମାନି ଯଦି ବିଜେତା ହୁଏ ତେବେ ୩ କିମ୍ବା ତଦୁର୍ଦ୍ଧ ବିଶ୍ବକପ୍‌ ବିଜେତା ଅନ୍ୟ ୩ ଦେଶ ମଧ୍ୟରେ ସାମିଲ ହୋଇଯିବେ।

ଚଳିତ ସଂସ୍କରଣରେ ଉଭୟ ଦଳ ଅପରାଜେୟ ରହି ଫାଇନାଲ୍ ଆସିଛନ୍ତି। ଉଭୟ ବେଲଜିୟମ୍‌ ଏବଂ ଜର୍ମାନି ପୁଲ୍‌ ‘ବି’ରୁ ଆସିଥିଲେ। ଉଭୟ ପୁଲ୍‌ ପର୍ଯ୍ୟାୟରେ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ଡ୍ର’ ପାଇ ୭ ପଏଣ୍ଟ ପାଇଥିଲେ। ବେଲଜିୟମ୍ ସିଧାସଳଖ କ୍ବାର୍ଟରଫାଇନାଲ୍ ‌ଖେଳିଥିବା ବେଳେ ଜର୍ମାନିକୁ କ୍ରସ୍‌ ଓଭର ଖେଳିବାକୁ ପଡ଼ିଥିଲା। ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ଦୁଇ ଦେଶ ପରସ୍ପର ସହ‌ ଖେଳିଥିବା ମୁକାବିଲାକୁ ୨-୨ରେ ବରବାର ରଖିଥିଲେ। ଫଳରେ ପରସ୍ପରର ଶକ୍ତି, ସାମର୍ଥ୍ୟ ଓ ଦୁର୍ବଳତାକୁ ଖେଳାଳିମାନେ ପରଖି ସାରିଥିବାରୁ ରବିବାର ରାତିରେ କଳିଙ୍ଗ ଷ୍ଟାଡିୟମ୍‌ ଫାଇନାଲ୍ ନିଶ୍ଚିତ କଡ଼ା ଟକ୍କରର ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe