ଜର୍ମାନିକୁ କାଟିଲା ‌ବେଲ୍‌ଜିୟମ୍‌

ଜର୍ମାନିକୁ କାଟିଲା ‌ବେଲ୍‌ଜିୟମ୍‌

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ୨ ଥର ବିଜେତା ତଥା ୮ ଥର ପଦକ ବିଜୟୀ ଜର୍ମାନିକୁ କ୍ବାର୍ଟର ଫାଇନାଲରୁ ବିଦାୟ ରାସ୍ତା ‌ଦେଖାଇ ଦେଇଛି ବେଲ୍‌ଜିୟମ। ବୁଧବାର ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ଇଂଲଣ୍ଡ ହରାଇବା ଭଳି ଗୁରୁବାର ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲ୍‌ଜିୟମ୍ ୨-୧ ଗୋଲ୍‌ରେ ଜର୍ମାନିକୁ ହରାଇ ଦେଇଥିଲା। ଶନିବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ବେଲ୍‌ଜିୟମ ଭେଟିବ ଇଂଲଣ୍ଡକୁ। ଦ୍ବିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭେଟିବ ନେଦରଲାଣ୍ଡ୍‌କୁ। ଗୁରୁବାରର ପ୍ରଥମ କ୍ବାର୍ଟର ଫାଇନାଲ୍ ବେଶ୍‌ ସମତୁଲ ଦକ୍ଷତା ଏବଂ ସାମର୍ଥ୍ୟର ହକି ଦେଖାଇଥିଲା। ଜର୍ମାନି କିନ୍ତୁ ପ୍ରଥମ ଗୋଲ୍‌ ଦେଇ ଆଗୁଆ ହୋଇଥିଲା। ୧୪ତମ ମିନିଟରେ ଡାହାଣପାର୍ଶ୍ବରୁ ନିକଲାସ ୱେଲେନ ଦେଇଥିବା ପାସ୍‌ରୁ ଡାଏଟର୍ ଲାଇନକୋଗେଲ୍ (୧୬ ନମ୍ବର) ଚମତ୍କାର ଭାବେ ଫିଲଡ୍‌ ଗୋଲ୍‌ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ବେଲ୍‌ଜିୟମ୍‌ର ସମାନ ୧୬ ନମ୍ବର ଜର୍ସିର ଖେଳାଳି ଆଲେକଜାଣ୍ଡର ହେଣ୍ଡ୍ରିକ୍ସ (୧୮ ମିନିଟ) ପେନାଲଟି କର୍ନରରୁ‌ ଗୋଲ୍‌ କରି ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲେ। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବାରୁ ଏହି ସ୍କୋର୍ ଲାଇନ୍ (୧-୧) ବଳବତ୍ତର ରହିଥିଲା। ୫୦ତମ ମିନିଟରେ କିନ୍ତୁ ବେଲ୍‌ଜିୟମ୍ ପାଇଁ ଟମ୍ ବୁନ୍‌ଙ୍କ ସୁନ୍ଦର ସମନ୍ବୟର ଗୋଲ୍ ଦଳକୁ ବିଜୟ ଦେବା ସହ ସେମିଫାଇନାଲ୍‌ ପହଞ୍ଚାଇ ଦେଇଥିଲା। ଲୁଇକ୍ ଲୁଏପାର୍ଟ ଏବଂ ଅଧିନାୟକ ଥମାସ ବ୍ରିଲ୍‌ସଙ୍କ ବଲ୍‌ ସମନ୍ବୟ ବେଶ୍‌ ପ୍ରଭାବିତ କରିଥିଲା। ଅର୍ଥର ଭାନ୍‌ ଡୋରେନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦାର ସିଂହ ପ୍ରାରମ୍ଭରେ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହବାଗ ଶେଷରେ ଅତିଥି ଭାବେ ଯୋଗ ଦେଇଥିଲେ।

କ୍ରିକେଟ୍‌ ଭଳି ହକିକୁ ସମର୍ଥନ ମିଳୁ: ସେହବାଗ
ଭୁବନେଶ୍ବର: ଗୁରୁବାରର ଉଭୟ ମ୍ୟାଚ୍ ବେଳେ ଅତିଥି ଥିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହବାଗ। ମଧ୍ୟାନ୍ତରରେ କଳିଙ୍ଗ ଷ୍ଟାଡିୟମ ଏବଂ ଏହାର ପ୍ରଶଂସକଙ୍କୁ ଢ଼େର ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କୁ ବିଶ୍ବକପ୍‌କୁ ଏଭଳି ଢ଼ଙ୍ଗରେ ଆୟୋଜିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ କହିଥ‌ିଲେ 'ଭାରତୀୟ ପ୍ରଶଂସକମାନେ ଯେଭଳି କ୍ରିକେଟକୁ ସମର୍ଥନ କରୁଛନ୍ତି, ହକିକୁ ବି ସେଭଳି କରିବାକୁ ଭାବବିହ୍ବଳ ନିବେଦନ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍ର ବୈଦୁତିକ ବାତାବରଣ ଭିତରେ ବିଶ୍ବକପ୍ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍ ଦେଖି ମୁଁ ଅଭିଭୂତ ବୋଲି ଟ୍ବିଟର୍ ପୃଷ୍ଠାରେ ଲେଖିଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ମଧ୍ୟ ଭାରତୀୟ ଖେଳାଳିଙ୍କୁ ଭାଗ୍ୟ ସାଥ ନ ଥିବା ଦର୍ଶାଇଛନ୍ତି। ତେବେ ବିଜୟ ଏବଂ ପରାଜୟ ଖେଳର ଅଂଶ ବିଶେଷ ବୋଲି ମତ ଦେଇଥିଲେ ଏହି ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବଂଧୁକଚାଳକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe