ଭାରୋତ୍ତୋଳନରେ ବନିତାଙ୍କୁ କାଂସ୍ୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ୩ ପଦକ

Advertisment
ଭାରୋତ୍ତୋଳନରେ ବନିତାଙ୍କୁ କାଂସ୍ୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ୩ ପଦକ

ବ୍ରହ୍ମପୁର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୮୭ କିଲୋଗ୍ରାମ ଭାରୋତ୍ତୋଳନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବନିତା ଘଡ଼େଇ କାଂସ୍ୟପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୭୩ କିଲୋଗ୍ରାମ, କ୍ଲିନ୍ ଆଣ୍ଡ ଜର୍କ‌ରେ ୮୭ କିଲୋଗ୍ରାମ ଓ ମୋଟ ଉପରେ ୧୬୦ କିଲୋଗ୍ରାମ ଭାର ଉଠାଇ ଏହି ସଫଳତା ପାଇଛନ୍ତି। ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୪ ଜଣ ଭାରୋତ୍ତୋଳକ ଅଂଶଗ୍ରହଣ କରିଥିବା ବେଳେ ତିନିଜଣ ପଦକ ଜିତିଛନ୍ତି। ମନୋଜ କୁମାର ସାହୁ ସ୍ବର୍ଣ୍ଣ, ପ୍ରମିଳା କିର୍ସାନୀ ରୌପ୍ୟ ଏବଂ ବନିତା କାଂସ୍ୟ ପଦକ ପାଇ ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଅନ୍ୟଜଣେ ପ୍ରତିଯୋଗୀ ବାବୁଜୀ ବିଶ୍ବାଳ ୮୧ କି‌ଲୋଗ୍ରାମ ବର୍ଗରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଛନ୍ତି।

ବନିତାଙ୍କ ଘର ପୁରୁଣାବ୍ରହ୍ମପୁର ପାଣ୍ଡବନଗରରେ ହୋଇଥିବା ବେଳେ ତାଙ୍କ ବାପା ବ୍ରହ୍ମପୁର ମହାନଗର ନିଗମର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିୟୋଜିତ ଅଛନ୍ତି। ବନିତା ବର୍ତ୍ତମାନ ଚିକିଟି ମହାବିଦ୍ୟାଳୟରେ +୩ କଳା ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ସେ ଆସାମର ଗୁଆହାଟୀରେ ଗତ ଜାନୁଆରିରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରଶିକ୍ଷକ ସୀତାପ୍ରସାଦ ପଟ୍ଟନାୟକ ଏବଂ ଯଜ୍ଞପ୍ରସାଦ ନନ୍ଦଙ୍କ ତତ୍ତ୍ବାବଧାନରେ କଡ଼ା ଅଭ୍ୟାସ କରିଥିଲେ। କିନ୍ତୁ ଏହି ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ଅଭ୍ୟାସ ସମୟରେ ପାଦରେ ଆଘାତ ଯୋଗୁଁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନଥିଲେ। ସେଥିପାଇଁ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ମାତ୍ର ୬ କିଲୋଗ୍ରାମ କମ୍‌ ଓଜନ ଉଠାଇ ଅଳ୍ପକେ ‌େରୗପ୍ୟ ପଦକରୁ ବଂଚିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe