ଖଣ୍ଡଗିରି: କଳାହାଣ୍ଡି ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ଚଳିତ ବର୍ଷର ଶବର କପ୍ ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଛାତ୍ରାବାସ ଦଳ ୩-୧ ଗୋଲ୍ରେ କଟକର ମଙ୍ଗଳା କ୍ଲବକୁ ପରାସ୍ତ କରି ୨୦ତମ ଶବର କପ୍ ଜିତି ନେଇଛି। ଭବାନୀପାଟଣା ଦଳ ଶବର କପ୍ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ପୁରସ୍କାର ପାଇଥିବା ବେଳେ ଉପ ବିଜେତା ଭାବେ ମଙ୍ଗଳା କ୍ଲବ୍କୁ ଟ୍ରଫି ସହ ନଗଦ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି।
ପ୍ରଥମାର୍ଧର ଅଷ୍ଟମ ମିନିଟ୍ରେ କଟକ ଦଳର ବିଜୟ ଦାସ ଏକ ଚମତ୍କାର ଗୋଲ୍ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। କିନ୍ତୁ ପରେ ମାତ୍ର ୭ ମିନିଟ୍ ବ୍ୟବଧାନରେ କଳାହାଣ୍ଡି ଦଳ ୩ଟି ଗୋଲ୍ କରି କଟକ ଦଳକୁ ପରାଜୟ ରାସ୍ତା ଦେଖାଇଥିଲା। ୧୭ ମିନିଟ୍ରେ ଜିସୁ ହେମ୍ବ୍ରମ୍ଙ୍କ ପାସ୍କୁ ପିତବାସ କିଲୋ ଗୋଲ ପୋଷ୍ଟକୁ ପଠାଇ ମ୍ୟାଚ୍ ସ୍ଥିତି ସମାନ କରିଥିଲେ। ଏହାପରେ ୨୨ ଓ ୨୪ ମିନିଟ୍ରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମନ୍ଜିତ୍ କିସାନ୍ ଏକାକି ୨ଟି ଗୋଲ୍ କରି କଳାହାଣ୍ଡି ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ। ପ୍ରଥମାର୍ଧ ୩-୧ରେ କଳାହାଣ୍ଡି ଦଳ ସପକ୍ଷରେ ଶେଷ ହୋଇଥିଲା ବେଳେ ଦ୍ୱିତୀୟାର୍ଧରେ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ। ତେବେ କଡ଼ା ଟକ୍କର ମଧ୍ୟରେ ଠେଲାପେଲା ଯୋଗୁଁ ରେଫରି ଉଭୟ ଦଳର ୩ ଜଣଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ। ମ୍ୟାଚ୍ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ରଜତ ମଲ୍ଲିକ, ପ୍ରିୟବ୍ରତ ବାହିନୀପତି ଓ ଅଶୋକ କହଁର।
ଖୋର୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଆନୁକୂଲ୍ୟରେ ଯାଁଳା ରାଧାଚରଣପୁର ଖେଳ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ, ଜଟଣୀର ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଯାଁଳା ପଞ୍ଚାୟତ ସମିତି ସଭ୍ୟ ନାଭିଦୈତ୍ୟ ମଙ୍ଗରାଜ, ଶିଳ୍ପପତି ସଜ୍ଜନ ଅଗ୍ରଓ୍ଵାଲ୍, ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷ ଆଶୁତୋଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେତା ଦଳର ମନ୍ଜିତ କିସାନ୍ଙ୍କୁ ଶ୍ରେଷ୍ଠ ଖେଳାଳି, ଯଯାତି ମହାକୁଡ଼ଙ୍କୁ ଶ୍ରେଷ୍ଠ ଗୋଲରକ୍ଷକ ଓ ମଙ୍ଗଳା କ୍ଲବ୍ର ସନାତନ ଲୋହାରଙ୍କୁ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
Follow Us