ଏଆଇଏଫ୍‌ଏଫ୍‌ ସଭାପତି ପ୍ରାର୍ଥୀ ହେଲେ ଭୂତିଆ

Advertisment
ଏଆଇଏଫ୍‌ଏଫ୍‌ ନିର୍ବାଚନ: ଭୂତିଆ ପୁଣି ପ୍ରାର୍ଥିପତ୍ର ଦାଖଲ କଲେ

ନୂଆଦିଲ୍ଲୀ : ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫଏଫ)ର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଫୁଟ୍‌ବଲର ବାଇଚୁଙ୍ଗ ଭୂତିଆ। ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ନିର୍ବାଚନରେ ଭୂତିଆ ସଭାପତି ହେଦା ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟତମ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ମଧ୍ୟ ସଭାପତି ଦୌଡ଼ରେ ରହିଛନ୍ତି। ଭୂତିଆଙ୍କ ପ୍ରାର୍ଥିପତ୍ରରେ ତାଙ୍କ ପୂର୍ବତନ ଦଳୀୟ ସାଥୀ ଦୀପକ ମଣ୍ଡଳ ପ୍ରସ୍ତାବକ ରହିଥିବା ବେଳେ ମଧୁ କୁମାରୀ ଦ୍ବିତୀୟ ପ୍ରସ୍ତାବକ ରହିଛନ୍ତି। କୁମାରୀ ମଧ୍ୟ ନିର୍ବାଚନୀ ତାଲିକାରେ ପ୍ରମୁଖ ଖେଳାଳି ତାଲିକାରେ ରହିଛନ୍ତି। ‘ମୁଁ ପ୍ରମୁଖ ଖେଳାଳିଙ୍କ ପ୍ରତିନିଧି ଭାବେ ପ୍ରାର୍ଥିପତ୍ର ଦାଖଲ କରିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଭାରତୀୟ ଖେଳାଳିଙ୍କୁ ଫୁଟ୍‌ବଲ୍‌ର‌ ସେବା ପାଇଁ ସ‌ୁଯୋଗ ଆସିଛି। ଖେଳାଳି ଭାବେ ନ‌ୁହେଁ,‌ ଖେଳ ପ୍ରଶାସକ ଭାବେ କିଛି ଭଲ କରି ଦେଖାଇବାକୁ ଚାହେଁ’ ବୋଲି ଭୂତିଆ ପ୍ରକାଶ କରିଛନ୍ତି। ଫୁଟ୍‌ବଲ୍ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନ ମଧ୍ୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳି ଇଜେନସନ୍‌ ଲିଙ୍ଗଡୋ (ମେଘାଳୟ), ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅଜିତ ବାନାର୍ଜୀ ମଧ୍ୟ ଏହି ନିର୍ବାଚନରେ ସାମିଲ ରହିଛନ୍ତି। ଲିଙ୍ଗଡୋ ଏବେ ବିଧାୟକ ଅଛନ୍ତି। ଭୂତିଆଙ୍କ ସମସାମୟିକ ପୂର୍ବତନ ଭାରତୀୟ ଗୋଲରକ୍ଷକ କଲ୍ୟାଣ‌ ଚୌବେ କିନ୍ତୁ ସଭାପତି ପଦରେ ଆଗୁଆ ଥିବା କୁହାଯାଉଛି। ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ୍ ପାଇଁ ଖେଳିଥିବା ଏହ‌ି ପୂର୍ବତନ ଫୁଟ୍‌ବଲର୍‌ ଏବେ ଶାସକ ବିଜେପି ଦଳର ସଦସ୍ୟ ଅଛନ୍ତି ଏବଂ ଗୁଜରାଟ ଓ ଅରୁଣାଚଳପ୍ରଦେଶ ଫୁଟ୍‌ବଲ୍ ସଂଘ ତାଙ୍କ ପ୍ରସ୍ତାବକ ହୋଇଛନ୍ତି। ସିକିମିଜ୍‌ ସ୍ନାଇପର ଭାବେ ପରିଚିତ ୪୫ ବର୍ଷୀୟ ଭୂତିଆ ପ୍ରଥମ ଭାରତୀୟ ଭାବେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୨୮ ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଶୁକ୍ରବାର ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଆଇଏଫଏଫ୍‌ କାର୍ଯ୍ୟକାରୀ ସମିତିରେ ୩୬ ରାଜ୍ୟ/ୟୁନିଟରୁ ୩୬ ଜଣ ପ୍ରତିନିଧି ରହିବେ। ସେମାନଙ୍କ ମଧ୍ୟରେ ୨୪ ପୁରୁଷ ଓ ୧୨ ମହିଳା ହୋଇଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe