ବୋଲିଂ ସମନ୍ବୟ ଉପରେ ନିର୍ଭର କରିବ ଭରତ-କିଶାନ ଚୟନ

Advertisment

ଭାରତର ବୋଲିଂକୁ ନେଇ ଅଷ୍ଟ୍ରେଲିଆ ଅନିଶ୍ଚିତ, ଭୁଲ ‌ନ ଦୋହରାଇବାକୁ ପ୍ରସାଦଙ୍କ ପରାମର୍ଶ

ଭାରତର ବୋଲିଂକୁ ନେଇ ଅଷ୍ଟ୍ରେଲିଆ ଅନିଶ୍ଚିତ, ଭୁଲ ‌ନ ଦୋହରାଇବାକୁ ପ୍ରସାଦଙ୍କ ପରାମର୍ଶ

ବୋଲିଂ ସମନ୍ବୟ ଉପରେ ନିର୍ଭର କରିବ ଭରତ-କିଶାନ ଚୟନ

ନୂଆଦିଲ୍ଲୀ: ଜୁନ୍‌ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳାଯିବାକୁ ଥିବାବେଳେ ଅବଗଣନା ଆରମ୍ଭ ହୋଇସାରିଛି। ଭାରତୀୟ ଚୂଡ଼ାନ୍ତ ଏକାଦଶ କିଭଳି ରହିବ ଏବେଠାରୁ କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି। ବିଶେଷ କରି ୱିକେଟରକ୍ଷକ ଦାୟିତ୍ବ କିଏ ତୁଲାଇବ ପ୍ରଶ୍ନ ଉଠିଛି। ରୋହିତ ଶର୍ମାଙ୍କ ଦଳରେ ଦୁଇ ଜଣ ୱିକେଟରକ୍ଷକ ବ୍ୟାଟର୍‌ କେଏସ୍ ଭରତ ଓ ଈଶାନ କିଶନ ସାମିଲ ଅଛନ୍ତି। ଉଭୟ ଅନଭିଜ୍ଞ ଥିବାରୁ ଭାରତ କିଭଳି ଏହି ଗୁରୁତ୍ବପୂର୍ଣ୍ଣ ଆଇସିସି ଫାଇନାଲ୍ ‌ଖେଳିବ ‌ସେ ଚର୍ଚ୍ଚା ଜୋର ହୋଇଛି। ଭରତ ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ପଦାର୍ପଣ କରିବା ସହ ସମସ୍ତ ୪ ଟେଷ୍ଟ୍ ଖେଳିଥିଲେ। କିନ୍ତୁ ବିଶେଷ ପ୍ରଭାବ ଛାଡ଼ିପାରିନଥିଲେ। ଅନ୍ୟପକ୍ଷରେ ଈଶାନ କିଶନ ଏବେ ମଧ୍ୟ ଟେଷ୍ଟ୍ ପଦାର୍ପଣ କରିନାହାନ୍ତି। ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଭାରତୀୟ ଦଳ ଏହାର କେଉଁ ୱିକେଟରକ୍ଷକଙ୍କୁ ଖେଳାଇବ ତାହା ବୋଲିଂ ସମନ୍ବୟ ଉପରେ ନିର୍ଭର କରିବ। ଭରତ ଯଦି ୨ ଜଣିଆ ସ୍ପିନ୍ ଆକ୍ରମଣରେ ଖେଳିବ ତେବେ ଭାରତ ନିଶ୍ଚିତ ପସନ୍ଦରେ ରହି‌‌ବେ। ଦଳ ଯଦି ୪ ଜଣିଆ ସିମରଙ୍କୁ ନେଇ ଖେଳିବ ତେବେ ଏହା କିଶନଙ୍କ ସପକ୍ଷରେ ଯାଇପାରେ। ସୂଚନାଯୋଗ୍ୟ, ୨ ବର୍ଷ ତଳେ ଇଂଲଣ୍ଡର ସାଉଥାମ୍ପଟନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଡବଲ୍ୟୁଟିସି ଫାଇନାଲ୍‌ରେ ଭାରତ ୨ ଜଣ ସ୍ପିନର ଓ ୩ ଜଣ ସିମରଙ୍କୁ ନେଇ ଖେଳିଥିଲା। କିନ୍ତୁ ବର୍ଷାଭିଜା ପାଗ ସ୍ପିନରଙ୍କ ଭୂମିକାକୁ ଗୌଣ କରି ଦେଇଥିଲା। ୫ ଜଣ ସିମରଙ୍କୁ ନେଇ ନ୍ୟୁଜିଲାଣ୍ଡ୍‌ ଜିତିଯିବାରୁ ଭାରତ ଉପ ବିଜେତା ହୋଇଥିଲା। ରବି ଶାସ୍ତ୍ରୀ ସେତେବେଳେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଥିଲେ। ଅଶ୍ବିନ ଉଭୟ ପାଳିରୁ ୪ ୱିକେଟ୍‌ ନେଇଥିବାବେଳେ ଜାଦେଜା ମାତ୍ର ୧୫.୨ ଓଭର ବୋଲିଂ କରି ୱିକେଟଶୂନ୍ୟ ରହିଥିଲେ।

publive-image

ଦ ଓଭାଲରେ ସ୍ପିନ୍‌ର ଭୂମିକା ରହିଥାଏ। ଇଂଲିସ୍ ଗ୍ରୀଷ୍ଣ ଋତୁ ଦ୍ବିତୀୟାର୍ଦ୍ଧର ଶୁଷ୍କ ପରିବେଶରେ ସାଧାରଣତଃ ଏଠାରେ ଟେଷ୍ଟ୍ ମ୍ୟାଚ୍‌ ଖେଳାଯାଏ। ୧୮୮୦ ମସିହାଠାରୁ ଏଠାରେ ୧୦୪ ଟେଷ୍ଟ୍ ଖେଳାଯାଇଛି। ସାଧାରଣତଃ ଏହା ଅଗଷ୍ଟ ଓ ସେପ୍ଟେମ୍ବରରେ ଖେଳାଯାଇଛି। ୮ଟି ଟେଷ୍ଟ୍ ଜୁଲାଇରେ ଆରମ୍ଭ ହୋଇଛି। ଏଥରର ଡବଲ୍ୟୁଟିସି ଫାଇନାଲ୍ ଓଭାଲରେ ପ୍ରଥମ ଥର ଜୁନ୍‌ ମାସରେ ଖେଳାଯିବ। ରବି ଶାସ୍ତ୍ରୀଙ୍କ ମତରେ ଏବେ କେବଳ ଗୋଟିଏ ସ୍ଥାନ ପାଇଁ ଲଢ଼େଇ ବାକି ରହିଛି। ରବିଚନ୍ଦ୍ରନ ଅଶ୍ବିନ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ ନିଶ୍ଚିତ ଜଣେ ଖେଳିବେ। ମୋ ପସନ୍ଦର ୧୨ ଜଣିଆ ଦଳରେ ରହିବେ-ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, କେଏସ୍ ଭରତ, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଆର୍‌ ଅଶ୍ବିନ, ଉମେଶ ଯାଦବ। ପାଗ, ପରିସ୍ଥିତି କିଭଳି ରହିଛି ‌ତାହା ନିର୍ଣ୍ଣାୟକ ହେବ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଏବେ ଭଲ ପାଗ ଥିବାରୁ ଭାରତର ବୋଲିଂ ଲାଇନ୍‌ ଅଶ୍ବିନ, ଜାଦେଜା, ଶାର୍ଦୁଳ, ସାମି, ସିରାଜଙ୍କୁ ନେଇ ହେବ‌ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି।

ଓଭାଲ ପିଚ୍ ସ୍ବାଭାବିକ ଭାବେ ସ୍ପିନରଙ୍କ ପାଇଁ ସୁଯୋଗ ରଖିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ସହକାରୀ ପ୍ରଶିକ୍ଷକ ଡାନିଏଲ୍ ଭିଟୋରୀ। ପୂର୍ବତନ ଭାରତୀୟ ସ୍ପିନର୍‌ ହରଭଜନ ସିଂହ ମଧ୍ୟ ରବି ଶାସ୍ତ୍ରୀଙ୍କ ଭଳି ସମାନ ଯୁକ୍ତି ବାଢ଼ିଛନ୍ତି। ପିଚ୍‌ ପରିସ୍ଥିତି ଅନୁସାରେ ଭାରତ ୨ ଜଣିଆ ସ୍ପିନରଙ୍କୁ ନେଇ ଖେଳିବା ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଋଦ୍ଦିମାନ ସାହା କି କେଏଲ୍ ରାହୁଲ ନଥିବାରୁ ଈଶାନ କିଶନଙ୍କ ଅପେକ୍ଷା କେଏସ୍ ଭରତ ପସନ୍ଦର ୱିକେଟରକ୍ଷକ ବ୍ୟାଟର୍‌ ବୋଲି ଭଜି ପ୍ରକାଶ କରିଥିଲେ।

ଭାରତର ବୋଲିଂକୁ ନେଇ ଅଷ୍ଟ୍ରେଲିଆ ଅନିଶ୍ଚିତ
ଭାରତର ବୋଲିଂ ଆକ୍ରମଣକୁ ନେଇ ଅଷ୍ଟ୍ରେଲିଆ ଦଳର ସହକାରୀ ପ୍ରଶିକ୍ଷକ ଡାନିଏଲ ଭିଟୋରୀ ଅଧିକ ଚିନ୍ତିତ। କେଣ୍ଟ୍ କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡ୍‌ ବେକେନହାମରେ ଅଭ୍ୟାସ ପରେ ଗୁରୁବାର ଭିଟୋରୀ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଭାରତର ସମ୍ଭାବ୍ୟ ବୋଲିଂ ଆକ୍ରମଣକୁ ନେଇ ବିତର୍କ ଚାଲିଥିବା କହିଥିଲେ। ରବୀନ୍ଦ୍ର ଦାଜେଦା ନିଶ୍ଚିତ ଖେଳିବେ ଏବଂ ୬ ନମ୍ବରରେ ବ୍ୟାଟିଂ କରିବେ। ଦଳର ଚତୁର୍ଥ ସିମର କିଏ ହେବେ ଏବଂ ଅଲରାଉଣ୍ଡରଙ୍କ ମଧ୍ୟରୁ ଶାର୍ଦୁଳ ଠାକୁର କି ଆର ଅଶ୍ବିନ କିଏ ଖେଳିବେ ପ୍ରଶ୍ନ ଉଠିଛି। ଇଂଲଣ୍ଡରେ ଭଲ ରେକର୍ଡ ରଖିଥିଲେ ମଧ୍ୟ ଅଶ୍ବିନ ସୁଯୋଗ ନ ପାଇପାରନ୍ତି ବୋଲି ସେ କହିଛନ୍ତି। ଇଂଲଣ୍ଡରେ ୭ ଟେଷ୍ଟ୍ ଖେଳି ୨୮.୧୧ ହାରରେ ଅଶ୍ବିନ ୧୮ ୱିକେଟ୍ ନେଇଥିଲେ ମଧ୍ୟ ଦ ଓଭାଲରେ ମାତ୍ର ଗୋଟିଏ ଟେଷ୍ଟ୍ ଖେଳିଛନ୍ତି। ସେ ପ୍ରଥମ ପସନ୍ଦର ବୋଲର କିନ୍ତୁ ଏହି ଟେଷ୍ଟ୍ ମିସ୍ କରିପାରନ୍ତି ବୋଲି ଭିଟୋରୀ ଆଶଙ୍କା ପ୍ରକଟ କରିଛନ୍ତି। ଦ ଓଭାଲ୍‌ରେ ଭଲ ୱିକେଟ୍ ରହିଛି, ସ୍ପିନରମାନେ ପ୍ରମୁଖ ଭୂମିକା ତୁଲାଇବେ। ଆଇପିଏଲ୍‌ରେ ଭଲ କରିଥିବାରୁ କାମେରନ୍ ଗ୍ରିନ୍‌ ନିଶ୍ଚତ ଅଷ୍ଟ୍ରେଲିଆ ପାଇଁ ନିର୍ଣ୍ଣାୟକ ହେବେ ବୋଲି ଏହି ପୂର୍ବତନ ନ୍ୟୁଜିଲାଣ୍ଡ୍ ସ୍ପିନର୍ ପ୍ରକାଶ କରିଥିଲେ।

publive-image

ଭୁଲ ‌ନ ଦୋହରାଇବାକୁ ପ୍ରସାଦଙ୍କ ପରାମର୍ଶ
ଦୁଇ ବର୍ଷ ତଳେ ଭାରତ ଯେଭଳି ପ୍ରାକ ନିର୍ଧାରିତ ଦଳକୁ ନେଇ‌ ଖେଳିଥିଲା ସେଭଳି ଭୁଲକୁ ନ ଦୋହରାଉ ବୋଲି ମତ ଦେଇଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ। ୨୦୨୧ ଫାଇନାଲ୍ ପୂର୍ବରୁ ଭାରତ ଦୃଢ଼ ନିଶ୍ଚିତ ଭାବେ ୨ ସ୍ପିନର୍ (ଅଶ୍ବିନ ଓ ଜାଦେଜା)ଙ୍କୁ ନେଇ ଖେଳିବ ବୋଲି ନିଷ୍ପତ୍ତି ନେଇ ସାରିଥିଲା। କିନ୍ତୁ ସାଉଥାମ୍ପଟନ୍‌ରେ ବର୍ଷା କାରଣରୁ ଏମାନଙ୍କ ଭୂମିକା ରହିଲା ନାହିଁ। ଫଳରେ ଭାରତର ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ପାଗ ଓ ପିଚ୍‌କୁ ଦେଖି ଦଳ ପରିବର୍ତନ କରାଯିବାର ଥିଲା। ଏଥର କିନ୍ତୁ ସେଭଳି ଭୁଲ ନ ହେଉ ବୋଲି ପ୍ରସାଦ କହିଛନ୍ତି। ଓଭାଲ ପିଚ୍‌ ଓ ପରିବେଶକୁ ପରଖିବା ପରେ ନିଷ୍ପତ୍ତି ନିଆଯାଉ ବୋଲି ସେ କହିଛନ୍ତି। ଋଷଭ ପନ୍ତଙ୍କ ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ, ତେବେ ‌କେଏସ୍ ଭରତ ଏବେ ସିଧାସଳଖ ପସନ୍ଦର ୱିକେଟରକ୍ଷକ ବୋଲି ଏହି ପୂର୍ବତନ ୱିକେଟରକ୍ଷକ ପ୍ରକାଶ କରିଛନ୍ତି। ବ୍ୟାଟିଂରେ ଭାରତର ଶୀର୍ଷକ୍ରମ (ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି) କିଭଳି ପ୍ରଦର୍ଶନ କରୁଛନ୍ତି ତାହା ନିର୍ଣ୍ଣାୟକ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରସାଦ ୨୦୧୬ରୁ ୨୦୨୦ ଯାଏ ଚୟନକର୍ତା ଥିବାବେଳେ ଭାରତ ପାଇଁ ୬ ଟେଷ୍ଟ୍ ଓ ୧୭ ଦିନିକିଆ ଖେଳିଛନ୍ତି।

ଆସେସ୍ ପୂର୍ବରୁ ଗ୍ରାଣ୍ଡ୍ ଫାଇନାଲ୍‌
ଅଷ୍ଟ୍ରେଲିଆର ଅଭିଜ୍ଞ ଅଫସ୍ପିନର୍‌ ନାଥନ୍ ଲାୟନ ବୁଧବାରଠାରୁ ଖେଳାଯିବାକୁ ଥିବା ଡବଲ୍ୟୁଟିସି ଫାଇନାଲ୍‌କୁ ନେଇ ଢ଼େର ଉତ୍ସାହିତ ଅଛନ୍ତି। ଏହି ଫାଇନାଲ୍‌କୁ ଲାୟନ୍ ମଧ୍ୟ ‘ଗ୍ରାଣ୍ଡ୍‌ ଫାଇନାଲ୍‌’ର ଆଖ୍ୟା ଦେଇଛନ୍ତି। ଜୁନ୍‌ ୧୬ ତାରିଖରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ‌ଆସେସ୍‌ ଖେଳିବାକୁ ଯାଉଥିବାବେ‌‌ଳେ ଡବଲ୍ୟୁଟିସି ଫାଇନାଲ୍‌ ତୁଳନାରେ ଏହି ୫ ଟେଷ୍ଟ୍ ଶୃଙ୍ଖଳାର ଚର୍ଚ୍ଚା ଅଧିକ ହେଉଛି। ‘ଆମେ ଆସେସ୍ ପ୍ରସ୍ତୁତିରେ ଅଛୁ, କିନ୍ତୁ ଏହା ପୂର୍ବରୁ ଏକ ବଡ଼ ଫାଇନାଲ୍ ଖେଳିବାକୁ ଯାଉଛି। ଫାଇନାଲ୍ ପରଠାରୁ ଆମ ନୂଆ ଋତୁ ଆରମ୍ଭ ହେବ। ଟେଷ୍ଟ୍ ଫାଇନାଲ୍ ନିଶ୍ଚିତ ମୋ ପାଇଁ ସ୍ବତନ୍ତ୍ର’ ବୋଲି ଲାୟନ ପ୍ରକାଶ କରିଛନ୍ତି। ‘ମୁଁ ଜାଣିଛି ପ୍ରତି ଅଷ୍ଟ୍ରେଲୀୟ ପ୍ରଶଂସକ ଆସେସ୍ ଉପରେ ନଜର ରଖିଛନ୍ତି। ସେମାନେ ମଧ୍ୟ ଏହି ଫାଇନାଲ୍‌କୁ ନେଇ ଉତ୍ସାହିତ ହେବା ଉଚିତ୍’ ବୋଲି ସେ କହିଛନ୍ତି। ଭାରତରେ ଆମେ ୧-୨ରେ ପରାଜିତ ହେବାକୁ ଭୁଲି ଯାଇଛୁ। ଉଭୟ ଦଳ ଏବେ ସତେଜ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତୀୟ ଦଳରେ ବିଶ୍ବଶ୍ରେଣୀୟ ବ୍ୟାଟର୍‌ ଓ ବୋଲର ରହିଛନ୍ତି। ଦୁଇ ଦଳ ପାଇଁ ଏହା ଆହ୍ବାନ ରଖିଛି ବୋଲି ଲାୟନ ପ୍ରକାଶ କରିଛନ୍ତି। ସୂଚନା‌ଯୋଗ୍ୟ, ଡବଲ୍ୟୁଟିସି ଫାଇନାଲ୍ ଖେଳିବାର ଥିବାରୁ ଅଷ୍ଟ୍ରେଲିଆ ମଧ୍ୟ ବିନା ୱାର୍ମଅପ୍‌ ମ୍ୟାଚ୍‌ରେ ଆସେସ୍‌ରେ ଅବତୀର୍ଣ୍ଣ ହେବ। ୨୨ ବର୍ଷ ପରେ ପ୍ରଥମ ଥର ଘରଠୁ ବାହାରେ ଜିତିବା ଆଶାରେ ରହିଛି କଙ୍ଗାରୁ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe