ଭୁବନେଶ୍ବରରେ ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍, ଭାଗନେବେ ୬୦୦ରୁ ଅଧିକ ଖେଳାଳି ‌

Advertisment
ଭୁବନେଶ୍ବରରେ ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍, ଭାଗନେବେ ୬୦୦ରୁ ଅଧିକ ଖେଳାଳି ‌

ଭୁବନେଶ୍ବର: ଦେଶର କ୍ରୀଡ଼ା କ୍ୟାପିଟାଲ ‘ଭୁବନେଶ୍ବର’ରେ ଆଉ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବ। ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଏଠାରେ ପ୍ରଥମ ଥର ପାଇଁ ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍ (୧୫ ଓ ୧୭ ବର୍ଷରୁ କମ୍) ଖେଳାଯିବ। ଉଭୟ ବାଳକ ଏବଂ ବାଳିକା ବର୍ଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୩୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୦୦ରୁ ଊର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ଚନ୍ଦ୍ରଶେଖରପୁରସ୍ଥିତ ରେଳବାଇ ଷ୍ଟାଡିୟମ୍ ଏବଂ ସହିଦ ନଗରରେ ଥିବା ପୂର୍ବାଞ୍ଚଳ ସାଇ ଏକାଡେମିଠାରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାୟ ୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘର ସଭାପତି ତଥା ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏଥିନେଇ କହିଛନ୍ତି ଯେ ଏହା କେବଳ ଆରମ୍ଭ ମାତ୍ର। ଓଡ଼ିଶା ସରକାର ଭୁବନେଶ୍ବରକୁ ବ୍ୟାଡମିଣ୍ଟନ୍ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗୋପୀଚାନ୍ଦ ଏକାଡେମିର ସ୍ଥାପନା ଏବଂ ଭୁବନେଶ୍ବରରେ ୮ ନୂଆ କୋର୍ଟ ସ୍ଥାପନ ଏହି ଲକ୍ଷ୍ୟ ସାଧନରେ ପ୍ରମୁଖ ଭୂମିକା ତୁଲାଇବ। ଭବିଷ୍ୟତରେ ବ୍ୟାଡ୍‌ମିଣ୍ଟନ୍‌ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବା ସହ ରାଜ୍ୟକୁ ଦେଶର ଅଗ୍ରଣୀ କ୍ରୀଡ଼ା ପ୍ରଦେଶ ଭାବେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ପୂରଣ ହେବ। ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ୍ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେବ। ଏହି ପ୍ରତିଯୋଗିତା ଓଡ଼ିଶାରେ ସଫଳତାର ସହ ଆୟୋଜିତ ହୋଇ ଆସୁଥିବା ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥରୀୟ ପ୍ରତିଯୋଗିତା‌ ହେବ।

ରୋହିତ ଓଏସ୍‌ବିଏ ସଭାପତି, ନିଲୀନ ସଂପାଦକ
ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାର ଖେଳସୂଚୀ ଘୋଷଣା ସହ ରବିବାର ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘ (ଓଏସ୍‌ବିଏ) କର୍ମକର୍ତା ମଧ୍ୟ ନିର୍ବାଚିତ ହୋଇଛନ୍ତି। ରୋହିତ ପୂଜାରୀ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହୋଇଥିଲା ବେଳେ ସମ୍ବଲପୁରର ନିଲୀନ କୁମାର ସଂପାଦକ ପଦ ପାଇଛନ୍ତି। ଅନ୍ୟାନ୍ୟ ପଦ ପଦବି ପାଇଁ ନିର୍ବାଚିତ ହୋଇଥିବା କର୍ମକର୍ତାମାନେ ହେଲେ କାର୍ଯ୍ୟକାରୀ ସଭାପତି: ମିହିର ରାଏ, ଉପସଭାପତି: ପ୍ରଦୀପ କୁମାର ପଟ୍ଟନାୟକ, ଯୁଗ୍ମ ସଂପାଦକ: ସୁଶାନ୍ତ ବଳ, ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ: ପ୍ରଦୀପ କୁମାର ମହାନ୍ତି, ପରିଷଦ ସଦସ୍ୟ: ମନୋରଞ୍ଜନ ଦାସ, ମହମ୍ମଦ ଫୈଜ ଜାଫର, ବିଶ୍ବ ରଞ୍ଜନ ଦଳାଇ। ନବନିର୍ବା‌ଚିତ କର୍ମକର୍ତାମାନେ ରବିବାର ହିଁ ନିଜ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନିର୍ବାଚନରେ ସର୍ବଭାରତୀୟ ବ୍ୟାଡମିଣ୍ଟନ୍ ସଂଘ (ବିଏଆଇ)ର କାର୍ଯ୍ୟକ୍ରମ ସଂପାଦକ ଉମର ରସିଦ, ପ୍ରଶିକ୍ଷଣ ଏବଂ ବିକାଶ ସଂପାଦକ କେଏନ୍ ଜୈସୱାଲ ଓ ଯୁଗ୍ମ ସଂପାଦକ କେ ପ୍ରଭାକର ପର୍ଯ୍ୟବେକ୍ଷକ ଏବଂ ରାଜେନ୍ଦ୍ର ପ୍ରସାଦ ପାଣି ଓଡ଼ିଶା କ୍ରୀଡ଼ା ପରିଷଦର ପ୍ରତିନିଧି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe