ଢାକା: ଚଳିତ ମାସ ୧୯ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦୁଇଟିକିଆ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ବାଂଲାଦେଶକୁ ବଡ଼ ଝଟ୍କା ଲାଗିଛି। ଜଙ୍ଘରେ ପୀଡ଼ା ଥିବାରୁ ବାମହାତୀ ଦ୍ରୁତ ବୋଲର ଶରିଫୁଲ୍ ଇସଲାମ୍ ଏହି ମହତ୍ତ୍ବପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ପାକିସ୍ତାନରେ ଶୃଙ୍ଖଳା ଜିତି ଇତିହାସ ରଚିଥିବା ବାଂଲାଦେଶ ଦଳର ସେ ପ୍ରମୁଖ ସଦସ୍ୟ ଥିଲେ। ପ୍ରଥମ ମ୍ୟାଚ୍ ଖେଳି ତିନିଟି ୱିକେଟ୍ କରାୟତ୍ତ କରିଥିଲେ। ତେବେ ଆହତ ହେବା ପରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ଖେଳି ପାରି ନଥିଲେ। ଏହି ସ୍ବାସ୍ଥ୍ୟଗତ ସମସ୍ୟରୁ ଏବେବି ମୁକୁଳି ନଥିବାରୁ ଶରିଫୁଲ୍ ଆଗାମୀ ଭାରତ ଶୃଙ୍ଖଳା ମଧ୍ୟ ଖେଳି ପାରିବେ ନାହିଁ ବୋଲି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) କହିଛି। ତାଙ୍କୁ ଛାଡ଼ି ଭାରତ ଗସ୍ତ ଲାଗି ବିସିବି ୧୬ଜଣିଆ ଦଳ ଘୋଷଣା କରିଛି।
ଲିଟନ ଦାସଙ୍କ ସହ ନବାଗତ ଜାକିର ଅଲ୍ଲୀ ଆନିକଙ୍କୁ ଦ୍ବିତୀୟ ୱିକେଟ୍ ରକ୍ଷକ ଭାବେ ଦଳରେ ସାମିଲ କରାଯାଇଛି। ନଜମୁଲ ହୁସେନ ସାଣ୍ଟୋ ଅଧିନାୟକ ପଦ ବଜାୟ ରଖିଛନ୍ତି। ବାଂଲାଦେଶ ଦଳ: ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ମହମଦୁଲ ହାସନ ଜୟ, ଜାକିର ହାସନ, ଶଦମନ ଇସଲାମ୍, ମୋମିନୁଲ୍ ହକ୍, ମୁସଫିକର ରହିମ, ସକିବ-ଅଲ୍-ହାସନ, ଲିଟନ ଦାସ, ମେହଦି ହାସନ ମିରାଜ, ତାଇଜୁଲ ଇସଲାମ୍, ନଇମ ହାସନ, ନାହିଦ ରାଣା, ହସନ ମହମୁଦ, ତସ୍କିନ ଅହମଦ, ସଇଦ ଖଲିଦ, ଜାକିର ଅଲ୍ଲୀ ଆନିକ।
Follow Us