ଭାରତ ସହ ଦ୍ବିପାକ୍ଷିକ ଶୃଙ୍ଖଳା ଏବେ ଅସମ୍ଭବ: ରମିଜ୍‌

ରମିଜ ପିସିବି ଅଧ୍ୟକ୍ଷ ନିର୍ବାଚିତ

ଭାରତ ସହ ଦ୍ବିପାକ୍ଷିକ ଶୃଙ୍ଖଳା ଏବେ ଅସମ୍ଭବ: ରମିଜ୍‌

Times of India

କରାଚୀ: ପିସିବିର ନୂଅା ଅଧ୍ୟକ୍ଷ ହେବା ପରେ ରମିଜ୍ ରାଜା କହିଛନ୍ତି ‘ଭାରତ ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ଏବେ ଅସମ୍ଭବ, କିନ୍ତୁ ଆମେ ଏବେ ଜଲ୍‌ଦିରେ ବି ନାହୁଁ। ଭାରତ ସହ ଦ୍ବିପାକ୍ଷିକ ଶୃଙ୍ଖଳା ସମ୍ପର୍କିତ ପ୍ରଶ୍ନ ବେଳେ ରମିଜ୍ କହିଥିଲେ ‘‘ଏହି ପ୍ରସଙ୍ଗରେ ଆମେ ବ୍ୟସ୍ତ ନାହୁଁ, କାରଣ କ୍ରୀଡ଼ା ମଡେଲ୍‌ ରାଜନୀତି ଦ୍ବାରା ନଷ୍ଟଭଷ୍ଠ ହୋଇଯାଇଛି। ଏବେ ଏଥିରେ ସ୍ଥିତାବସ୍ଥା ରହିଛି। ବର୍ତ୍ତମାନ ଦେଶର ଘରୋଇ କ୍ରିକେଟ୍‌କୁ ସଜାଡ଼ିବା ଉପରେ ଏକାଗ୍ରତା ରହିବ।’’ ପିସିବିର ଅଧ୍ୟକ୍ଷ ପଦ କ୍ରିକେଟ୍‌ରେ ସବୁଠାରୁ କଷ୍ଟକର ବୋଲି ମଧ୍ୟ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ଦାୟିତ୍ବ ଦେବା ପରେ ମୋ ପାଇଁ ଅନେକ ଆହ୍ବାନ ରହିଛି।

ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରମିଜ୍ ରାଜା ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ)ର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ପରବର୍ତୀ ୩ ବର୍ଷ ପାଇଁ ଦାୟିତ୍ବରେ ରହିବେ। ୧୯୮୪ରୁ ୧୯୯୭ ମସିହା ମଧ୍ୟରେ ପାକିସ୍ତାନ ପାଇଁ ୨୫୫ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ୫୯ ବର୍ଷୀୟ ରମିଜ୍ ପୂର୍ବରୁ ପିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଭା‌ବେ ୨୦୦୩ରୁ ୨୦୦୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଦେଶର ୧୮ତମ ଟେଷ୍ଟ୍‌‌ ଓ ୧୨ତମ ଦିନିକିଆ ଅଧିନାୟକ ଥିଲେ। ୮,୬୭୪ ଅନ୍ତର୍ଜାତୀୟ ରନ୍‌ ସହିତ ଅବସର ନେବା ପରେ ସେ ଜଣେ ସଫଳ ଭାଷ୍ୟକାର ଭାବେ ବେଶ ସୁନାମ କମାଇଥିଲେ। ଅତୀତରେ ପାକିସ୍ତାନ ଯେଭଳି ଏକ ଭୟଙ୍କର ଦଳ ଭାବେ ପରିଚିତ ଥିଲା ଏବେ ସେଭଳି ସଂସ୍କୃତି, ମାନସିକତା, ଆଚରଣ ଓ ମନୋଭାବ ଫେରାଇ ଆଣିବା ମୋ ପ୍ରାଥମିକତା ହେବ ବୋଲି ରମିଜ୍ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଏହସାନ ମନି ପିସିବି ଅଧ୍ୟକ୍ଷ ପଦରୁ ଓହରିଯାଇଥିଲେ।

ହେଡେନ୍‌, ଫିଲାଣ୍ଡର୍‌ ପ୍ରଶିକ୍ଷକ
ଗତ ସପ୍ତାହରେ ପାକିସ୍ତାନର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ ଘୋଷଣା ମାତ୍ରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ମିସ୍‌ବା ଉଲ୍ ହକ୍‌ ଓ ବୋଲିଂ ପ୍ରଶିକ୍ଷକ ୱାକର୍‌ ୟୁନିସ୍‌ ପଦ ତ୍ୟାଗ କରି ଦେଇଥିଲେ। ବର୍ଷିକିଆ ଚୁକ୍ତି ଶେଷ ହେବା ପୂର୍ବରୁ ଉଭୟ ଇସ୍ତଫା ପ୍ରଦାନ କରିଥିଲେ। ଏବେ ତାଙ୍କ ବଦଳରେ ପୂର୍ବତନ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ‌ହେଡେନ୍‌ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର୍‌ ଭେର୍ନନ୍‌ ଫିଲାଣ୍ଡର୍‌ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପିସିବି ଅଧ୍ୟକ୍ଷ ନିର୍ବାଚିତ ହେବା ମାତ୍ରେ ରମିଜ୍ ରାଜା ଏହି ଘୋଷଣା କରିଛନ୍ତି। ପାକିସ୍ତାନ କ୍ରିକେଟ୍‌ ଦଳକୁ ନୂଆ ଦିଶାର ଆବଶ୍ୟକତା ଥିବାରୁ ହେଡେନ୍‌ ଓ ଫିଲାଣ୍ଡରଙ୍କୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ନିଯୁକ୍ତ କରାଗଲା ବୋଲି ରମିଜ୍ କହିଛନ୍ତି। ପୂର୍ବରୁ ପିସିବି ପୂର୍ବତନ ଟେଷ୍ଟ୍ ସ୍ପିନର୍‌ ସାକଲେନ୍ ମୁସ୍ତାକ୍‌ ଓ ଅଲରାଉଣ୍ଡର୍‌ ଅବଦୁଲ ରଜାକଙ୍କୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ପ୍ରଶିକ୍ଷକ ନିଯୁକ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe