ମୁମ୍ବାଇ : ବିସିସିଆଇ ଅଧିନରେ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳିମାନଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତିର ଆବଶ୍ୟକତା ନାହିଁ। ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ ଦେଉଥିଲା ବେଳେ ରଣଜୀ ଟ୍ରଫିର ମାନ ବୃଦ୍ଧି କରିବା ସମୟ ଆସିଥିବା ବିସିସିଆଇର ନୂତନ ସଭାପତି ରୋଜର ବିନ୍ନି କହିଛନ୍ତି। ଏକ ସାକ୍ଷାତକାର ବେଳେ ଘରୋଇ କ୍ରିକେଟରଙ୍କ ଚୁକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ବିନ୍ନି ଏହା କହିବା ସହ ପ୍ରମୁଖ ପ୍ରତିଯୋଗିତାଗୁଡ଼ିକରେ ସଂସ୍କାର ଆଣିବା ସପକ୍ଷରେ ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ମତରେ, ଘରୋଇ କ୍ରିକେଟର୍ମାନଙ୍କର ଉନ୍ନତମାନର ଯତ୍ନ ନିଆଯାଉଛି। ଗୁଣାତ୍ମକ ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ଭଲ ସ୍ଥାନରେ ରହୁଛନ୍ତି। ଏଭଳିସ୍ଥିତିରେ ରଣଜୀ ସହିତ ଦଲୀପ ଟ୍ରଫି ଓ ଈରାନୀ ଟ୍ରଫିର ମାନକୁ ବୃଦ୍ଧି କରାଯିବାକୁ ସେ ଜୋର୍ ଦେଇଛନ୍ତି। ରଣଜୀ ଟ୍ରଫିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ବିଷୟରେ ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ଏଗୁଡ଼ିକୁ ଦେଖିବା ପାଇଁ ବି କେହି ଯାଅାନ୍ତିନି। ଆମ ପାଖରେ କ୍ରିକେଟ୍ ସଂସ୍କୃତି ଅଛି। ହେଲେ ପ୍ରଶଂସକଙ୍କ ସମର୍ଥନ ବିନା ଏହି ଖେଳ ଆଗକୁ ବଢିପାରିବନି। ତେଣୁ ପ୍ରତିଯୋଗିତାରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ବିନ୍ନି ସୂଚନା ଦେଇଛନ୍ତି।
ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଘରୋଇ କ୍ରିକେଟର୍ଙ୍କ କେନ୍ଦ୍ରୀୟ ଚୁକ୍ତି ଉପରେ ଚିନ୍ତା କରିଥିଲେ। ହେଲେ ଗତ ବର୍ଷ ଘରୋଇ କ୍ରିକେଟର୍ଙ୍କ ପ୍ରାପ୍ୟରେ ବୃଦ୍ଧି କରାଯାଇଥିବାରୁ ବିନ୍ନି କେନ୍ଦ୍ରୀୟ ଚୁକ୍ତି ସପକ୍ଷରେ ନଥିବା କୁହାଯାଉଛି। ବିସିସିଆଇର ଦାୟିତ୍ବ ଗ୍ରହଣ କରିବା ପରେ ବିନ୍ନି ମୁମ୍ବାଇରୁ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ ଆସିବା ଅବସରରେ କର୍ଣ୍ଣାଟକ କ୍ରିକେଟ ସଂଘ କାର୍ଯ୍ୟାଳୟରେ କିଛି ବନ୍ଧୁ ଓ ପୂର୍ବତନ ସାଥୀ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ଖେଳାଳି ଚୟନ ସଂକ୍ରାନ୍ତରେ ମଧ୍ୟ ସେ କହିଛନ୍ତି ଯେ ଏକ୍ଷେତ୍ରରେ ଚୟନକର୍ତ୍ତାଙ୍କୁ ସବୁ ଦାୟିତ୍ବ ଦିଆଯାଇଛି। ସେଥିରେ କୌଣସି କର୍ମକର୍ତ୍ତା ହସ୍ତକ୍ଷେପ କରିବେନି।
କେବଳ ଚୟନକର୍ତ୍ତା ନୁହଁନ୍ତି, ଯେଉଁମାନଙ୍କୁ ସେମାନଙ୍କର ଦାୟିତ୍ବ ବଣ୍ଟାଯାଇଛି, ସେମାନେ କିପରି ତାହାକୁ ଠିକ୍ ଭାବେ ପାଳନ କରିବେ ତାହା ସେମାନେ ପରଖିବେ। ତେବେ ଏନ୍ସିଏରେ ମେଡିକାଲ୍ କର୍ମଚାରୀମାନଙ୍କ କ୍ଷେତ୍ରରେ କିଛି ଅଧିକା କାମ କରାଇବା ସପକ୍ଷରେ ବିନ୍ନି ଆଗ୍ରହ ଦେଖାଇଛନ୍ତି। ଏହା ଉପରେ ଉଦାହରଣ ଦେବାକୁ ଯାଇ ବିନ୍ନି କହିଛନ୍ତି, ବିଶ୍ବକପ୍ର ୧୦ ଦିନ ପୂର୍ବରୁ ଯଶପ୍ରୀତ୍ ବୁମ୍ରା ଆହତ ହେଲେ। ହେଲେ କାହିଁକି ଓ କେମିତି ଖେଳାଳିମାନେ ଏଭଳି ସମସ୍ୟାରେ ପଡୁଛନ୍ତି ତାହା ତର୍ଜମା କରିବା ଆବଶ୍ୟକ ରହିଛି। ଏହି ସମସ୍ୟା ଏବେକାର ନୁହେଁ, ବରଂ ୪/୫ ବର୍ଷ ଧରି ହୋଇଆସୁଛି। ଆମ ପାଖରେ ଭଲ ଟ୍ରେନର୍ କିମ୍ବା ପ୍ରଶିକ୍ଷକ ନାହାନ୍ତି ବୋଲି ନୁହେଁ, ବରଂ ଖେଳାଳିମାନେ ଅଧିକ ଚାପରେ ରହୁଛନ୍ତି। ଖେଳାଳିମାନେ ବିଭିନ୍ନ ଫର୍ମାଟ୍ରେ ଅଧିକ ମାତ୍ରାରେ ମ୍ୟାଚ୍ ଖେଳୁଥିବାରୁ ଏହା ଉପରେ କାମ କରିବା ଆବଶ୍ୟକ ରହିଛି ଓ ଏହାକୁ ସେ ପ୍ରାଧାନ୍ୟ ଦେବେ ବୋଲି ବିନ୍ନି ପ୍ରତିଶ୍ରୁତି ଦେଇଛନ୍ତି।
Follow Us