ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଦ୍ବନ୍ଦ୍ବିତା: ସର୍ଗର ଦେଲେ ପ୍ରଥମ ପଦକ

Advertisment

ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ବିଜେତା, ଆହତ ହେବା ପରେ ବି ଲ‌ଢ଼ିବା ଛାଡ଼ି ନଥିଲେ

ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ବିଜେତା, ଆହତ ହେବା ପରେ ବି ଲ‌ଢ଼ିବା ଛାଡ଼ି ନଥିଲେ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଦ୍ବନ୍ଦ୍ବିତା: ସର୍ଗର ଦେଲେ ପ୍ରଥମ ପଦକ

ବର୍ମିଂହାମ: ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଦ୍ବନ୍ଦ୍ବିତାପର୍ବର ଦ୍ବିତୀୟ ଦିନରେ ଭାରତ ତା’ର ପଦକ ଖାତା ଖୋଲିଛି। ଶନିବାର ପୁରୁଷ ଭାରୋତ୍ତୋଳନର ୫୫ କିଲୋଗ୍ରାମ ବର୍ଗରେ ୨୧ ବର୍ଷୀୟ ଭାରୋତ୍ତୋଳକ ସଙ୍କେତ ସର୍ଗର ଦେଶ ପାଇଁ ପ୍ରଥମ ପଦକ ଜିତିବାର ଐତିହାସିକ ସଫଳତା ଲାଭ କରିଥିଲେ। ତେବେ କ୍ଲିନ୍‌ ଆଣ୍ଡ ଜର୍କର ମାତ୍ର ଗୋଟିଏ ପ୍ରୟାସ ପରେ ଆହତ ହେବାରୁ ଦୁର୍ଭାଗ୍ୟଜନକ ଭାବେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ସେ। ପ୍ରତିଦ୍ବନ୍ଦ୍ବିତା ବେଳେ ସର୍ଗରଙ୍କ ଡାହାଣ ହାତ କହୁଣୀ ମୋଡ଼ି ହୋଇଯାଇଥିଲା। ଫଳରେ ମାତ୍ର ଗୋଟିଏ କିଲୋଗ୍ରାମ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ସୁଯୋଗ ହାତରୁ ଖସିଯିବା ପରେ ବ୍ୟକ୍ତିଗତ ଭାବେ ଟିକିଏ ନିରାଶ ହୋଇଥିଲେ ସେ। ତେବେ ତାଙ୍କ ସାହସିକ ତଥା ଲଢ଼ୁଆ ଖେଳ ପାଇଁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗଙ୍କଠାରୁ ଆରମ୍ଭ କରି ଯୁବରାଜ ସିଂହ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ପର୍ଯ୍ୟନ୍ତ ସର୍ଗରଙ୍କୁ ପ୍ରଶଂସାବାର୍ତ୍ତା ପଠାଇଥିଲେ। ୧୩ ବର୍ଷ ବୟସରେ ଭାରୋତ୍ତୋଳନ ଆରମ୍ଭ କରିଥିବା ସର୍ଗର ସଂପ୍ରତି ନିଜ ବର୍ଗର ଜାତୀୟ ବିଜେତା ଅଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରୁ ଆସିଥିବା ଏହି ପ୍ରତିଭାବାନ କ୍ରୀଡ଼ ତାରକା ସିଙ୍ଗାପୁର ଅନ୍ତର୍ଜାତୀୟ ଭାରୋତ୍ତୋନରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସର୍ଗର ନିଜ ପଦକକୁ ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲେ। ସର୍ଗରଙ୍କର ଏକ ପାନଦୋକାନ ଥିଲା ବେଳେ ସେଠାରେ ସେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କାମ କରନ୍ତି। ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ବିଜେତା ହେବା ମଧ୍ୟରେ ସେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି।

ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ବିଜେତା
ଆହତ ହେବା ପରେ ବି ଲ‌ଢ଼ିବା ଛାଡ଼ି ନଥିଲେ
ମାତ୍ର ୧ କିଲୋଗ୍ରାମ ପାଇଁ ସ୍ବର୍ଣ୍ଣରୁ ବଞ୍ଚିତ

ଶନିବାର ସର୍ଗର ମୋଟ ଉପରେ ୨୪୮ କିଲୋଗ୍ରାମ ଭାର ଉତ୍ତୋଳନ କରିଥିଲେ। ସ୍ନାଚ୍‌ରେ ୧୧୩ ଏବଂ କ୍ଲିନ୍ ଆଣ୍ଡ୍‌ ଜର୍କରେ ୧୩୫ କିଲୋଗ୍ରାମ ଉଠାଇବା ପରେ କିନ୍ତୁ ସାମାନ୍ୟ ଆହତ ହୋଇଥିଲେ। ଏଣୁ କ୍ଲିନ୍ ଆଣ୍ଡ ଜର୍କ‌ରେ ମାତ୍ର ଗୋଟିଏ ବୈଧ ଉତ୍ତୋଳନ କରିପାରିଥିଲେ। ଅବୈଧ ଦ୍ବିତୀୟ ପ୍ରୟାସ ପରେ ତୃ୍ତୀୟ ପ୍ରୟାସ ବେଳକୁ ଆହତ ଜନିତ ସମସ୍ୟା ଆହୁରି ବଢ଼ିଯାଇଥିଲା। ଫଳରେ ଉଭୟ ପ୍ରୟାସରେ ୧୩୯ କିଲୋଗ୍ରାମ ଭାର ଉଠାଇବାକୁ ଅସମର୍ଥ୍ୟ ହୋଇଥିଲେ। ଅନ୍ୟପକ୍ଷରେ ମାଲେସିଆର ମହମ୍ମଦ ଆନିକ କ୍ଲିନ୍ ଆଣ୍ଡ ଜର୍କରେ ନୂଆ ଜାତୀୟ କୀର୍ତ୍ତିମାନ ସହ ମୋଟ ଉପରେ ସର୍ଗରଙ୍କଠାରୁ ମାତ୍ର ଗୋଟିଏ କିଲୋଗ୍ରାମ ଅଧିକ ଅର୍ଥାତ୍ ୨୪୯ କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ସ୍ନାଚ୍‌ରେ କିନ୍ତୁ ସର୍ଗର ତାଙ୍କଠାରୁ ୬ କିଲୋଗ୍ରାମ ଅଧିକ ଭାର ଉଠାଇଥିଲେ। ଶ୍ରୀଲଙ୍କାର ଦିଲଙ୍କା ଇସୁରୁ କୁମାରା (୨୨୫ କିଲୋଗ୍ରାମ, ସ୍ନାଚ୍‌-୧୦୫+କ୍ଲିନ୍ ଆଣ୍ଡ ଜର୍କ ୧୨୦) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ।

ଫାଇନାଲ୍‌ରେ ସନ୍ତରଣ ତାରକା ନଟରାଜନ
ପୁରୁଷ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଭାରତର ଶ୍ରୀହରି ନଟରାଜନ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ନିଜ ହିଟ୍‌ରେ ସେ ଚତୁର୍ଥ ସ୍ଥାନରେ ରହିବା ସହ ମୋଟଉପରେ ସପ୍ତମ ସ୍ଥାନରେ ରହିଛନ୍ତି। ୨୧ ବର୍ଷୀୟ ନଟରାଜନଙ୍କ ଟାଇମିଂ ଥିଲା ୫୪.୫୫ ସେକେଣ୍ଡ। ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଫ୍ରି-ଷ୍ଟାଇଲ୍‌ରେ ଭରତର କୁଶାଗ୍ର ରାୱତ ନିଜ ହିଟ୍‌ର ଶେଷ ସ୍ଥାନରେ ରହିଛନ୍ତି। ରାୱତ ୧ ମିନିଟ୍ ୫୪.୫୬ ସେକେଣ୍ଡ ସମୟ ନେଇଥିଲେ। ଫଳରେ ଫାଇନାଲ୍‌କୁ ଉନ୍ନୀତ ହୋଇପାରିନଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ୪୦୦ ମିଟର ପୁରୁଷ ଫ୍ରି-ଷ୍ଟାଇଲ୍‌ର ସେମିଫାଇନାଲକୁ ଯାଇ ପାରିନଥିଲେ ସେ। ମୋଟ ଉପରେ ଚତୁର୍ଦଶ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ଅଲିମ୍ପିଆନ୍ ସଜ୍ଜନ ପ୍ରକାଶ ମଧ୍ୟ ୫୦ ମିଟର ଫ୍ରି-ଷ୍ଟାଇଲ୍‌ର ହିଟ୍‌ରେ ଅଷ୍ଟମ ସ୍ଥାନ ଅଧିକାର କରି ଫାଇନାଲକୁ ଯାଇ ପାରି ନଥିଲେ।

ନକଆଉଟ୍ ପର୍ଯ୍ୟାୟରେ ମିଶ୍ରିତ ବ୍ୟାଡମିଣ୍ଟନ୍ ଦଳ
ଅଶ୍ବିନୀ ପୋନାପ୍ପା ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ମିଶ୍ରିତ ଯୁଗଳ ବ୍ୟାଡମିଣ୍ଟନର ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌-ଏ’ର ଦ୍ବିତୀୟ ରାଉଣ୍ଡରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ଉଭୟ ଏହି ସଫଳତା ଲାଭ କରିଛନ୍ତି। ଶୁକ୍ରବାର ପୋନାପ୍ପା‌ ଓ ରେଡ୍ଡୀ ପାକିସ୍ତାନ ଦଳକୁ ୫-୦ରେ ପରାସ୍ତ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ଉଭୟ ଅଷ୍ଟ୍ରେଲୀୟ ଯୋଡ଼ିକୁ ଭେଟିବେ।

୧୪ ବର୍ଷୀୟା ଆନାହତଙ୍କ ବିଜୟ ଅଭିଯାନ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସର୍ବକନିଷ୍ଠ ଖେଳାଳି ଆନାହତ ସିଂହ ନିଜ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଏକକ ସ୍କାସ୍‌ର ରାଉଣ୍ଡ ଅଫ୍ ୬୪ ମୁକାବିଲାରେ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାର ଜାଦା ରସ୍‌ଙ୍କୁ ଏକତରଫା ଭାବେ ୧୧-୫, ୧୧-୨, ୧୧-୦ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଦେଖିବାକୁ ଆନାହତଙ୍କ ପରିବାର ସହ ଶହ ଶହ ଭାରତୀୟ ପ୍ରଶଂସକ ଉପସ୍ଥିତ ଥିଲେ। ଆନାହତ ଏସୀୟ କନିଷ୍ଠ ସ୍କାସ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

ପ୍ରି-କ୍ବାର୍ଟରରେ ଭାରତୀୟ ମହିଳା ‌ଟିଟି ଦଳ
ଭାରତୀୟ ମହିଳା ଟିଟି ଦଳ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ଓ ଫିଜିକୁ ସମାନ ୩-୦ରେ ହରାଇବା ପରେ ମନିକା ବାତ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଗୟନାକୁ ମଧ୍ୟ ସେହି ୩-୦ରେ ଧରାଶାୟୀ କରିଛି। ମନିକାଙ୍କ ସହ ଶ୍ରୀଜା‌ ଅକୁଲା, ରିତ୍ ଟେନିସନ୍ ମଧ୍ୟ ନିଜ ନିଜ ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲେ।

ମାରାଥନର ନୀତେନ୍ଦ୍ର ଦ୍ବାଦଶ
ଭାରତୀୟ ମାରାଥନର ନୀତେନ୍ଦ୍ର ସିଂହ ରାୱତ ନୈରାଶ୍ୟଜନକ ଭାବେ ଦ୍ବାଦଶ ସ୍ଥାନରେ ରହିଛନ୍ତି। ୩୫ ବର୍ଷୀୟ ନୀ‌ତେନ୍ଦ୍ର ୨ ଘଣ୍ଟା ୧୯ ମିନିଟ୍ ୨୨ ସେକେଣ୍ଡ ସମୟ ନେଇ ଶ୍ରେଷ୍ଠ ୧୦ ବାହାରେ ରହିଥିଲେ। ଏହା ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ୮ ମିନିଟ୍ ୨୭ ସେକେଣ୍ଡ ଅଧିକ ଥିଲା। ଉଗାଣ୍ଡାର ଭିକ୍ଟର କିପଲାନଗତ (୨ ଘଣ୍ଟା ୧୩ ମିନିଟ୍ ୧୬ ସେ‌କେଣ୍ଡ) ଏହି ବର୍ଗର ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଞ୍ଜାନିଆର ଆଲଫୋନ୍ସ ଫେଲିକ୍ସ ସିମ୍ବୁ ଓ କେନିଆର ମାଇକେଲ ମୁଗୋ ଗିଥା ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe