ମାତୃତ୍ବ ପରେ ଚମକୁଛନ୍ତି ବୀରପାଲ୍‌

Advertisment
ମାତୃତ୍ବ ପରେ ଚମକୁଛନ୍ତି ବୀରପାଲ୍‌

ଭୁବନେଶ୍ବର(ସୁରେଶ ସ୍ବାଇଁ): କୁହାଯାଏ ଜଣେ ମହିଳା ମା’ ହେବା ପରେ ଅଧିକ ଶକ୍ତିଶାଳୀ ହୋଇଯାଇଥାଏ। ଉଭୟ ଶାରୀରିକ ଓ ମାନସିକ ଭାବେ ସେ ଦୃଢ଼ ପାଲଟିଯାଏ। ଏହାର ଅନ୍ୟତମ ଉଦାହରଣ ହେଉଛନ୍ତି ଜାତୀୟସ୍ତରର ବାଧା‌ଦୌଡ଼ାଳି ବୀରପାଲ୍ କୌର। ୩୦ ବର୍ଷୀୟା ଏହି ପଞ୍ଜାବୀ ପ୍ରତିଭା ଏବେ କଳିଙ୍ଗ ଷ୍ଟାଡିୟମ୍‌ରେ ନିଜ ଚମକ ଛାଡ଼ିଛନ୍ତି। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ କଳିଙ୍ଗ ଟ୍ରାକ୍‌ରେ ୪୦୦ ମିଟର୍ ମହିଳା ବାଧାଦୌଡ଼ରେ ବିଜୟିନୀ ହୋଇଛନ୍ତି। ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ୨୭ତମ ଜାତୀୟ ଫେଡେରେସନ୍ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଜିତିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ‘ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ, କିନ୍ତୁ ଭୁବନେଶ୍ବରରେ ମୁଁ ଲଗାତାର ପଦକ ବିଜୟୀ ହୋଇଥିବାରୁ ଖୁସି ଲାଗୁଛି। ଚଳିତ ଋତୁରେ ଏହା ପ୍ରଥମ ପ୍ରତିଯୋଗିତା ହୋଇଥିବାରୁ ଆତ୍ମବିଶ୍ବାସ ବଢ଼ିଛି’ ବୋଲି ସଦ୍ୟ ମାତୃତ୍ବ ଲାଭ କରିଥିବା ବୀରପାଲ୍‌ କହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ‌ଦୌଡ଼ରେ ମୁଁ ବହୁ ପଛରେ ରହିଛି, କିନ୍ତୁ ପରବର୍ତ୍ତୀ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ବି ଅଂଶଗ୍ରହଣ କରି ଅନ୍ତିମ ପ୍ରୟାସ କରିବି’ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ବୀରପାଲ୍। ନିଜ ବ୍ୟକ୍ତିଗତ ଶ୍ରେ‌ଷ୍ଠ ୫୮.୫୩ ମିନିଟ୍‌କୁ ଫେରିପାରି ନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ତଥାପି ସେ ନେଇଥିବା ୫୯.୪୩ ତାଙ୍କୁ କଳିଙ୍ଗ ଟ୍ରାକ୍‌ରେ ପ୍ରଥମ ସ୍ଥାନରେ ରଖିଥିଲା।

ଗତବର୍ଷ ଜୁନ୍‌ ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଜାତୀୟ ଓପନ୍‌ ଦୌଡ଼କୁଦରେ ବୀରପାଲ୍ ୪୦୦ ମିଟର୍ ବାଧାଦୌଡ଼ରେ ସପ୍ତମ ସ୍ଥାନରେ ରହିଥିଲେ ମଧ୍ୟ ୪୦୦ ମିଟର୍ ରିଲେରେ ରୌପ୍ୟ ପଦକ ଜିତିପାରିଥିଲେ। ଏଥି ସହିତ ଗତବର୍ଷ ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ମଧ୍ୟ ୪୦୦ ମିଟର୍ ବାଧାଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ। ୨୦୨୧ ମସିହାରେ କନ୍ୟାସନ୍ତାନ ଈଶନୀତ୍‌ଙ୍କୁ ଜନ୍ମଦେବା ପରଠାରୁ ପ୍ରଦର୍ଶନରେ ଉନ୍ନତି ଘଟିଥିବା ବୀରପାଲ୍ ସ୍ବୀକାର କରିଥିଲେ। ସୂଚନାଯୋଗ୍ୟ, ବୀରପାଲଙ୍କ ପତି ତରୁଣଦୀପ ସିଂହ ଭାଟିଆ ମଧ୍ୟ ଜଣେ ଜାତୀୟସ୍ତରର ଆଥଲେଟ୍। ତରୁଣଦୀପ ୧୧୦ ମିଟର୍ ବାଧା‌‌‌‌ଦୌଡ଼ କରିଥାନ୍ତି। ଉଭୟଙ୍କ ପ୍ରେମରେ କିନ୍ତୁ କେବେ ବାଧା ସୃଷ୍ଟି କରିପାରିନାହିଁ ବାଧାଦୌଡ଼। ବୀରପାଲ୍ ପଞ୍ଜାବ ପୁଲିସରେ କାମ କରିବା ସହ ଜାତୀୟ ଓ ବିଶ୍ବ ପୁଲିସ କ୍ରୀଡ଼ାରୁ ବି ଅଜସ୍ର ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe