ବର୍ଡର-ଗାଭାସ୍କର୍ ଟ୍ରଫି ଶୁକ୍ରବାରରୁ: ଭାରତକୁ ଘାରିଛି ଘାସୁଆ ପିଚ୍ ଚିନ୍ତା

Advertisment

ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫି। ଏହି ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ଅପଟସ୍‌ ଷ୍ଟାଡିୟମ୍ ପିଚ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫି। ଏହି ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ଅପଟସ୍‌ ଷ୍ଟାଡିୟମ୍ ପିଚ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

hfhfhfhfkh

ପର୍ଥ: ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫି। ଏହି ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ଅପଟସ୍‌ ଷ୍ଟାଡିୟମ୍ ପିଚ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ପର୍ଥରେ ଗତକିଛି ଦିନ ହେବ ଅଦିନିଆ ବର୍ଷା ଲାଗି ରହିଛି। ସେଥିପାଇଁ କ୍ୟୁରେଟର୍‌ଙ୍କୁ ପାରମ୍ପରିକ ଶୈଳୀ‌ରେ ପିଚ୍ ପ୍ରସ୍ତୁତି କରିବାକୁ ପର୍ଯ୍ୟାପ୍ତ ସୁ‌ଯୋଗ ଓ ସମୟ ମିଳିନି। ବର୍ଷା ପାଇଁ ମଙ୍ଗଳବାର ଦିନ ସାରା ଏହି ପିଚ୍‌ ବି ସଂପୂର୍ଣ୍ଣ ଘୋଡ଼ିଆ ହୋଇ ରହିଥିଲା। ତଥାପି କିଛିଟା ଘାସ ରହିଥିବାରୁ ପିଚ୍‌ରେ ଗତି ଓ ଉଚ୍ଛାଳ ରହିବ  ବୋଲି କ୍ୟୁରେଟର୍‌ ଇସାକ୍‌ ମ୍ୟାକ୍‌ଡୋନାଲ୍ଡ ଭବିଷ୍ୟବାଣୀ କରିଛନ୍ତି। ତାଙ୍କର ଏହି ପୂର୍ବାନୁମାନ କିନ୍ତୁ ଭାରତକୁ ଚିନ୍ତାରେ ପକାଇଛି। ନ୍ୟୁଜିଲାଣ୍ଡଠାରୁ ଘରୋଇ ପରିବେଶରେ ଅପ୍ରତ୍ୟାଶିତ ଭା‌ବେ ୦-୩ରେ ମୂଳପୋଛ ହେବା ପରେ ଭାରତୀୟ ବ୍ୟାଟର୍‌ଙ୍କ ଆ‌ତ୍ମବିଶ୍ବାସ ଦୋହଲି ଯାଇଛି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କ ସହ ସ୍ପିନରଙ୍କୁ, ବିଶେଷ କରି ନାଥନ ଲାୟନଙ୍କୁ ଯଦି ପିଚ୍‌ରୁ ସାମାନ୍ୟତମ ସହଯୋଗ ମିଳେ, ତାହେଲେ ସେମାନେ ଘାତକ ସାବ୍ୟସ୍ତ ହେବେ ବୋଲି ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କାରଣ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଭାରତୀୟ ଖେଳାଳିମାନେ ସ୍ପିନ୍‌ ଆଗରେ ହିଁ ଏକପ୍ରକାର ଆତ୍ମସମର୍ପଣ କରିଥିଲେ। ଫକ୍ସ କ୍ରିକେଟ୍‌କୁ ସାକ୍ଷାତକାର ଦେଇ ମ୍ୟାକଡୋନାଲ୍ଡ କହିଛନ୍ତି, ‌କୋହଲା ପାଗ ପାଇଁ ପିଚ୍‌ରେ ସାପ ଭଳି ଅଙ୍କାବଙ୍କା ଫାଟ ସୃଷ୍ଟି ହୋଇ ନପାରେ। ଏହା ଅବଶ୍ୟ ପର୍ଥ ପିଚ୍‌ର ସ୍ବଭାବ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତଥାପି ମ୍ୟାଚ୍ ପୂର୍ବଦିନ ଯଦି ଭଲ ଖରା ହୁଏ, ତାହେଲେ ପିଚ୍‌ କଠିନ ହେବା ସହ ପାରମ୍ପରିକ ଭା‌ବେ ଦ୍ରୁତ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ହେବ। ଅନ୍ୟଥା ଏହା ସ୍ପିନର୍‌ଙ୍କୁ ବି ସୁହାଇବ। ଭାରତୀୟ ଖେଳାଳିମାନେ ଅବଶ୍ୟ ପାଗ ଓ ପରିବେଶକୁ ଦୃଷ୍ଟିରେ ରଖି ଅଭ୍ୟାସ କରୁଛନ୍ତି। ତେବେ ସେମାନେ ମ୍ୟାଚ୍‌ ଦିନ ହିଁ ଅସଲ ପରୀକ୍ଷାର ସମ୍ମୁଖୀନ ହେବେ  ବୋଲି କୁହାଯାଉଛି।

କ୍ଷେତ୍ରରକ୍ଷଣ ଉପରେ ସ୍ବତନ୍ତ୍ର ଧ୍ୟାନ
ବ୍ୟାଟିଂ ଓ ବୋଲିଂ ସହ ଭାରତୀୟ ଦଳ କ୍ଷେତ୍ରରକ୍ଷଣ ଉପରେ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେଉଛି। ସେଥିପାଇଁ ବୁଧବାର ଭାରତୀୟ ଖେଳାଳିମାନେ କ୍ଷେତ୍ରରକ୍ଷଣକୁ ଅଧିକ ଗୁରୁତ୍ବ ଦେଉଥିବା ଲକ୍ଷ୍ୟ କରାଯାଇଛି। ଖେଳାଳିମାନେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି. ଦିଲୀପଙ୍କ ତତ୍ତ୍ବାବଧାନରେ ଏକାଗ୍ରତାର ସହ କ୍ଷେତ୍ରରକ୍ଷଣ ଅଭ୍ୟାସ କରୁଥିବା ଭିଡିଓ ବିସିସିଆଇ ନିଜ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଛି। ଆଜିର କ୍ଷେତ୍ରରକ୍ଷଣ ଅଭ୍ୟାସ ଭିତରେ ରହିଥିଲା ସୀମାରେଖା ପାଖରୁ ବଲ୍ ଫିଙ୍ଗିବା, ସ୍ଲିପ୍ ଓ ସିଲି ପଏଣ୍ଟ୍‌ରେ କ୍ଷେତ୍ରରକ୍ଷଣ କରିବା ଏବଂ ଉଚ୍ଚରୁ ଆସୁଥିବା କ୍ୟାଚ୍‌ଗୁଡ଼ିକୁ ଧରିବା ଆଦି। ଖେଳାଳିମାନେ ମଧ୍ୟ ଏହାକୁ ହସଖୁସିରେ ଅଭ୍ୟାସ କରି ମନଭରି ଉପଭୋଗ କରୁଥିବା ଭିଡିଓରୁ ସ୍ପଷ୍ଟ ବାରି ହେଉଥିଲା।

ଆକାର ନେଉଛି ଶୀର୍ଷ ୭
ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଯୁବ ତାରକା ଶୁବମନ୍ ଗିଲଙ୍କ ଅନୁପସ୍ଥିତି ପାଇଁ ପର୍ଥ ଟେଷ୍ଟ୍‌ ଲାଗି ଭାରତର ବ୍ୟାଟିଂକ୍ରମ କିଭଳି ରହିବ, ତା’ ଉପରେ ପ୍ରଶଂସକଙ୍କ ବିଶେଷ ନଜର ରହିଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟର ମଧ୍ୟ ଏହି ଦିଗରେ ଯତ୍ନବାନ ଅଛନ୍ତି। ସେଥିପାଇଁ ଦଳର ଶୀର୍ଷ ୭ସ୍ଥାନରେ କିଏ କିଏ ବ୍ୟାଟିଂ କରିବେ, ତାର ଧାରଣା ଖେଳାଳିଙ୍କୁ ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଦେଇ ସାରିଲେଣି। ସୂଚନା ଅନୁସାରେ ଯୁବ ତାରକା ଯଶସ୍ବୀ ଜୟସ୍ବାଲଙ୍କ ସହ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ। ଦେବଦତ୍ତ ପଡ଼ିକଲ ତୃତୀୟ ସ୍ଥାନରେ ଖେଳିବେ। ବିରାଟ କୋହଲି ଚତୁର୍ଥ ଋଷବ ପନ୍ତ ପଞ୍ଚମ ଏବଂ ଧ୍ରୁବ ଜୁରେଲ ଷଷ୍ଠ ସ୍ଥାନରେ ଖେଳି ପାରନ୍ତି। ସପ୍ତମ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂକୁ ଆସିବେ। ତା’ ପରେ ଚାରି ଜଣ ବିଶେଷଜ୍ଞ ବୋଲର ରହିବେ। ଏକମାତ୍ର ସ୍ପିନର ଭାବେ ଆର୍‌. ଅଶ୍ବିନ ଖେଳିବେ। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ ଓ ଆକାଶ ଦୀପ ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ। 

ଅଶ୍ବିନଙ୍କ ଅପେକ୍ଷାରେ ରେକର୍ଡ
ଭାରତର ଅଭିଜ୍ଞ ସ୍ପିନର ଆର୍‌. ଅଶ୍ବିନଙ୍କ ପାଖରେ ପର୍ଥ ଟେଷ୍ଟ୍‌ରେ ନିଜ ନାଁକୁ ରେକର୍ଡ ବୁକ୍‌ରେ ସ୍ଥାନିତ କରିବାର ସୁଯୋଗ ରହିବ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳାଯାଉଥିବା ବର୍ଡର-ଗାଭାସ୍କର୍ ଟ୍ରଫିର ପ୍ରଥମ ମୁକାବିଲାରେ ୬ ୱିକେଟ୍ ନେଲେ ଅଶ୍ବିନ ବିରଳ କୀର୍ତ୍ତିମାନ କରିବେ। ପ୍ରଥମ ବୋଲରଭାବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ୨୦୦ ୱିକେଟ୍‌ର ମାଇଲ୍‌ଖୁଣ୍ଟ ଛୁଇଁବେ। ଅଶ୍ବିନ ସଂପ୍ରତି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ସର୍ବାଧିକ ୧୯୪ ୱିକେଟ୍ କରାୟତ୍ତ କରିଛନ୍ତି। ଏଥରର ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ, ଅଭିଜ୍ଞ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥ୍, ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ସ୍ପିନର ନାଥନ ଲାୟନ ନୂଆନୂଆ କୀର୍ତ୍ତିମାନ କରିବାର ଦ୍ବାର ଦେଶରେ ରହିଛନ୍ତି। ୧୦,୦୦୦ ଟେଷ୍ଟ୍ ରନ୍ ଛୁଇଁବାଠାରୁ ସ୍ମିଥ୍ ୩୧୫ ରନ୍ ଦୂରରେ ରହିଛନ୍ତି। ସେହିଭଳି କମିନ୍ସ ୫୦୦ ଅନ୍ତର୍ଜାତୀୟ ୱିକେଟ୍‌ଠାରୁ ୨୨ଟି ପଛରେ ଅଛନ୍ତି। ଆଉ ୧୩ ୱିକେଟ ନେଇ ପାରିଲେ ଲାୟନ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ୨୦୦ ୱିକେଟ୍ ନେବେ। ୧୯ଟି ୱିକେଟ୍ ନେଇ ପାରିଲେ ଷ୍ଟାର୍କ ଚତୁର୍ଥ ଅଷ୍ଟ୍ରେଲୀୟ ବୋଲରଭାବେ ୭୦୦ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କରିବେ। 

ଖଲିଲଙ୍କ ସ୍ଥାନରେ ଦୟାଲ
ଖଲିଲ ଅହମଦ ଆହତ ହୋଇ ଘରକୁ ଫେରିବା ପରେ ବିସିସିଆଇ ତରବରିଆ ଭାବେ ବାମହାତୀ ଦ୍ରୁତ ବୋଲର ୟଶ୍ ଦୟାଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ସଂରକ୍ଷିତ ଖେଳାଳି ତାଲିକାରେ ସାମିଲ କରିଛି। ବାଂଲାଦେଶ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ଥିବା ଦୟାଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ବି ଥିଲେ। ହେଲେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ। ଖଲିଲ ଆହତ ହେବା ପରେ ଦୟାଲ ଜୋହାନସବର୍ଗରୁ ସିଧାସଳଖ ପର୍ଥକୁ ଯାତ୍ରା କରିଛନ୍ତି। ଖଲିଲ ଅଭ୍ୟାସ ବେଳେ ଆହତ ହେବା ସହ ବୋଲିଂ କରିବାକୁ ଅସମର୍ଥ ହୋଇଥିଲେ। ଫଳରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବିସିସିଆଇ ଘରକୁ ଫେରି ଆସିବାକୁ କହିଥିଲା। ଏଥିପାଇଁ ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଘରୋଇ ପ୍ରତିଯୋଗିତା ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe