ବର୍ଡର-ଗାଭାସ୍କର ଟ୍ରଫି: ପେସର୍‌ଙ୍କ ରାଜ; ପ୍ରଥମ ଦିନ ୨୧୭/୧୭

Advertisment

ବର୍ଡର-ଗାଭାସ୍କର ଟ୍ରଫିର ୨୦୨୪-୨୫ ସଂସ୍କରଣର ଆରମ୍ଭ ଅତ୍ୟନ୍ତ ରୋମାଞ୍ଚଭରା ହୋଇଛି। ପର୍ଥର ଅପଟସ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ଦ୍ରୁତ ବୋଲର୍‌ଙ୍କ ପୂର୍ଣ୍ଣ ଆଧିପତ୍ୟ ରହିଛି।

ବର୍ଡର-ଗାଭାସ୍କର ଟ୍ରଫିର ୨୦୨୪-୨୫ ସଂସ୍କରଣର ଆରମ୍ଭ ଅତ୍ୟନ୍ତ ରୋମାଞ୍ଚଭରା ହୋଇଛି। ପର୍ଥର ଅପଟସ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ଦ୍ରୁତ ବୋଲର୍‌ଙ୍କ ପୂର୍ଣ୍ଣ ଆଧିପତ୍ୟ ରହିଛି।

gjgdjjgjg

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ୨୦୨୪-୨୫ ସଂସ୍କରଣର ଆରମ୍ଭ ଅତ୍ୟନ୍ତ ରୋମାଞ୍ଚଭରା ହୋଇଛି। ପର୍ଥର ଅପଟସ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ଦ୍ରୁତ ବୋଲର୍‌ଙ୍କ ପୂର୍ଣ୍ଣ ଆଧିପତ୍ୟ ରହିଛି। ଫଳରେ ଗୋଟିଏ ଦିନରେ ୧୭ ୱିକେଟ୍‌ର ପତନ ଘଟିଛି। ଅଷ୍ଟ୍ରେଲିଆରେ ୧୯୫୨ ମସିହା ପରେ ପ୍ରଥମ ଥର ଗୋଟିଏ ଦିନରେ ଏତେ ସଂଖ୍ୟକ ୱିକେଟ୍‌ ଝଡ଼ିଥିବା ଦେଖିବାକୁ ମିଳିଛି। ପ୍ରଥମେ ଅଷ୍ଟ୍ରେଲିଆର ଜୋସ୍‌ ହାଜଲଉଡ୍ (୪/୨୯), ପାଟ୍‌ କମିନ୍ସ (୨/୬୭) ଓ ମିଚେଲ୍‌ ଷ୍ଟାର୍କ (୨/୧୪) ଭାରତକୁ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଘରୋଇ ବ୍ୟାଟର୍‌ମାନେ ଯଶପ୍ରୀତ୍‌ ବୁମ୍‌ରାଙ୍କ ନେତୃତ୍ବାଧୀନ ବୋଲିଂ ଆକ୍ରମଣ ଆଗରେ ଆଣ୍ଠୁ ମାଡ଼ି ଦେଇଛନ୍ତି। ପ୍ରଥମ ଦିନର ଷ୍ଟମ୍ପ୍ସ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୭ ୱିକେଟ୍‌ ହରାଇ ମାତ୍ର ୬୭ ରନ୍‌ କରିଛି। ବୁମ୍‌ରା (୪/୧୭) ସର୍ବାଧିକ କ୍ଷତି ଘଟାଇଥିଲା ବେଳେ ମହମ୍ମଦ ସିରାଜ (୨/୧୭) ଓ ପଦାର୍ପଣକାରୀ ହର୍ଷିତ ରାଣା (୧/୩୩) ତାଙ୍କୁ ଭରପୂର ସହଯୋଗ କରିଥିଲେ। ପ୍ରଥମ ଦିନ ଉଭୟ ଦଳ ମିଳିତ ଭାବେ ୨୧୭ ରନ୍ ସଂଗ୍ରହ କରିବା ସହ ୧୭ ୱିକେଟ୍ ହରାଇବା କିନ୍ତୁ ଚର୍ଚ୍ଚାରେ ରହିଛି। 

ଭୁଲ୍‌ ହୋଇଗଲା ଟସ୍‌ ନିଷ୍ପତ୍ତି!
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ବ ନେଉଥିବା ଦ୍ରୁତ ବୋଲର୍‌ ବୁମ୍‌ରା ଶୁକ୍ରବାର ସକାଳେ ଟସ୍‌ ଜିତି ବ୍ୟାଟିଂ ନେବା ସମସ୍ତଙ୍କୁ ଚକିତ କରିଥିଲା। ବୋଲର୍‌ଙ୍କୁ ସୁହାଉଥିବା ପିଚ୍‌ରେ ବୁମ୍‌ରା ବ୍ୟାଟିଂ ନିଷ୍ପତ୍ତି ନେବା ଏକ ସାହସିକ ନିଷ୍ପତ୍ତି ଥିଲା। ତେଣୁ ପ୍ରାରମ୍ଭିକ ବ୍ୟାଟର୍‌ ଘରୋଇ ବୋଲର୍‌ଙ୍କୁ କିଭଳି ସାମ୍ନା କରୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଥିଲେ। କିନ୍ତୁ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ଯଶସ୍ବୀ ଜୟସ୍ବାଲ୍‌ ଓ ଦେବଦତ୍ତ ପଡ଼ିକଲ ଖାତା ଖୋଲିପାରି ନଥିଲା ବେଳେ ବିରାଟ କୋହଲି (୫)ଙ୍କ ଖରାପ ପ୍ରଦର୍ଶନ ଧାରା ଏଠାରେ ମଧ୍ୟ ଜାରି ରହିଥିଲା। ପାଳି ଆରମ୍ଭ କରିଥିବା କେଏଲ୍‌ ରାହୁଲ (୨୬) ପିଚ୍‌ରେ ଜମି ଯାଇଥିଲେ ମଧ୍ୟ ବୈଷୟିକ ତ୍ରୁଟିର ଶିକାର ହୋଇ ବିବାଦୀୟ ଭାବେ କଟ୍‌ ବିହାଇଣ୍ଡ ହୋଇଥିଲେ। ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତ ୫୧ ରନ୍‌ରେ ୪ ୱିକେଟ୍‌ ହରାଇସାରିଥିଲା। ବିରତି ପରେ ପୁଣି ଥରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରମାନେ ଭାରତୀୟଙ୍କୁ ଶିକାର କରିଚାଲିଥିଲେ। ଧ୍ରୁବ ଜୁରେଲ୍‌ (୧୧), ୱାସିଂଟନ୍‌ ସୁନ୍ଦର (୪) ଶୀଘ୍ର ଆଉଟ୍‌ ହୋଇଯିବାରୁ ଋଷଭ ପନ୍ତ୍‌ଙ୍କ ସହ ପଦାର୍ପଣକାରୀ ନୀତୀଶ କୁମାର ରେଡ୍ଡୀ ମଙ୍ଗ ସମ୍ଭାଳିଥିଲେ। ସପ୍ତମ ୱିକେଟ୍‌ରେ ୮୫ ବଲ୍‌ରୁ ୪୮ ରନ୍‌ ଦଳୀୟ ସ୍କୋର୍‌ରେ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୨୧ ହୋଇଥିଲା ବେଳେ ପନ୍ତ ଆଉଟ୍‌ ହେବାରୁ ଯୋଡ଼ି ଭାଙ୍ଗିଥିଲା। କିନ୍ତୁ ନୀତୀଶ ଗୋଟିଏ ପଟରୁ ରନ୍‌ ବାହାର କରି ଦଳକୁ ୧୫୦ରେ ପହଞ୍ଚାଇବା ପରେ ଶେଷ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ। 

ରାହୁଲ ବିବାଦୀୟ ଡିଆର୍‌ଏସ୍‌ର ଶିକାର
୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନ ବିବାଦୀୟ ହୋଇପଡ଼ିଛି। ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହୋଇଛନ୍ତି ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍‌ କେଏଲ୍‌ ରାହୁଲ। ଭଲ ଖେଳିଆସୁଥିବା ରାହୁଲ ୨୬ ରନ୍‌ କରିଥିଲା ବେଳେ ଷ୍ଟାର୍କଙ୍କ ବଲ୍‌ରେ କଟ୍‌ ବିହାଇଣ୍ଡ୍‌ ଅପିଲ୍‌ ହୋଇଥିଲା। କିନ୍ତୁ ଅମ୍ପାୟାର ରିଚାର୍ଡ କେଟଲ୍‌ବରୋ ଏହାକୁ ନଟ୍‌ଆଉଟ୍‌ ଦେଇଥିଲେ। ଘରୋଇ ଅଧିନାୟକ କମିନ୍ସ ରିଭ୍ୟୁ ନେବାରୁ ବଲ୍‌ ବ୍ୟାଟ୍‌ଠୁ ଦୂରରେ ଥିବା ଦେଖାଯାଉଥିଲା। ହେଲେ ଯେଉଁ ସମୟରେ ବଲ୍‌ ବ୍ୟାଟ୍‌ ପାଖରେ ଗତି କରୁଥିଲା, ଠିକ୍‌ ସେହି ସମୟରେ ବ୍ୟାଟ୍‌ ଓ ପ୍ୟାଡ୍‌ର ସଂଯୋଗ ମଧ୍ୟ ହୋଇଥିଲା। ଏଥିରୁ ବାହାରୁଥିବା ଶବ୍ଦକୁ ସ୍ନିକୋ ମିଟର୍‌ ଧରି ନେବାରୁ ତୃତୀୟ ଅମ୍ପାୟାର ରିଚାର୍ଡ ଇଲିଂୱର୍ଥ ବାଧ୍ୟ ହୋଇ ଆଉଟ୍‌ ଘୋଷଣା କରିଥିଲେ। ମାତ୍ର ଗୋଟିଏ କ୍ୟାମେରା ଭିଡିଓରୁ ଅମ୍ପାୟାର ଏହି ରିଭ୍ୟୁ ଦେଖିଥିଲେ ଓ ବଲ୍‌ ବ୍ୟାଟ୍‌ରେ ବାଜିଛି କି ନାହିଁ ତାହାକୁ ପରଖିବାକୁ ଅପେକ୍ଷା କରିବା ପରିବର୍ତ୍ତେ ଅମ୍ପାୟାର ତାଙ୍କ ନିଷ୍ପତ୍ତି ତୁରନ୍ତ ଦେଇଥିଲେ। ଏପରିକି ପ୍ରସାରଣକାରୀ ଅଧିକାରୀଙ୍କୁ ଅନ୍ୟ କୌଣସି କ୍ୟାମେରାର ଭିଡିଓ ଦେଖାଇବା ପାଇଁ ବି ସେ କହି ନଥିଲେ। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ତୁମ୍ଭି ତୋଫାନ ହୋଇଛି। କେତେକ ଏହାକୁ ବୈଷୟିକ ତ୍ରୁଟି କହିଥିଲା ବେଳେ ଅଷ୍ଟ୍ରେଲିଆକୁ ଫାଇଦାରେ ରଖିବାକୁ ଏହା ଏକ ଚକ୍ରାନ୍ତ ବୋଲି ଅନେକ ପ୍ରଶଂସକ କହିଛନ୍ତି।

ଭାରତର ପ୍ରତି ଆକ୍ରମଣ
ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ପରେ ଆସିଥିଲା ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ପାଳି। ଭାରତୀୟ ବୋଲର୍‌ମାନେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ଅଧିନାୟକ ବୁମ୍‌ରା ପ୍ରଥମରୁ ୩ ୱିକେଟ୍‌ ଖସାଇ ଘରୋଇ ଦଳକୁ ପଛକୁ ଠେଲି ଦେଇଥିଲେ। ପଦାର୍ପଣକାରୀ ନାଥନ୍‌ ମ୍ୟାକ୍‌ସ୍ବିନି (୧୦)ଙ୍କୁ ତୃତୀୟ ଓଭରରେ ଆଉଟ୍‌ କରିଥିଲା ବେଳେ ସପ୍ତମ ଓଭରରେ ଲଗାତାର ବଲ୍‌ରେ ଉସ୍ମାନ ଖୱାଜା (୮) ଓ ଷ୍ଟିଭେନ୍‌ ସ୍ମିଥ୍‌ (୦)ଙ୍କୁ ବୁମ୍‌ରା ଆଉଟ୍‌ କରିଥିଲେ। ଟ୍ରାଭିସ୍‌ ହେଡ୍‌ଙ୍କୁ ଭାରତୀୟ ପଦାର୍ପଣକାରୀ ହର୍ଷିତ ରାଣା ଆଉଟ୍‌ କରିବା ପରେ ମିଚେଲ୍‌ ମାର୍ସ (୬) ଓ ମାର୍ନସ ଲବୁସାନ୍‌ (୨)ଙ୍କୁ ମହମ୍ମଦ ସିରାଜ ୩ ଓଭର ଭିତରେ ପାଭିଲିଅନ୍‌ ‌ପଠାଇ ଦେଇଥିଲେ। ଅଧିନାୟକ କମିନ୍ସ (୩) ଦିନର ଶେଷ ୱିକେଟ୍‌ ଭାବେ ବୁମ୍‌ରାଙ୍କ ଶିକାର ହୋଇଥିଲେ। 

ଫିଲ୍ଡିଂରେ ବି ନିରାଶ କଲେ କୋହଲି
ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ଧାରା ଏବେ ବି ଜାରି ରହିଛି। ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ନିରାଶ କରିଥିବା କୋହଲି ଅଷ୍ଟ୍ରେଲିଆରେ ମଧ୍ୟ ପ୍ରଥମ ଦିନରେ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ହାଜଲ୍‌ଉଡ୍‌ଙ୍କ ବାଉନ୍ସ ବଲ୍‌କୁ ଖେଳି ନପାରି ସେ ସ୍ଲିପ୍‌ରେ ଖୱାଜାଙ୍କୁ କ୍ୟାଚ୍‌ ଦେଇଥିଲେ। ତଥାପି ଭଲ କ୍ଷେତ୍ରରକ୍ଷକ ଭାବେ ଜଣାଶୁଣା କୋହଲି ଏକ ସହଜ କ୍ୟାଚ୍‌ ଛାଡ଼ିଦେଇ ପ୍ରଶଂସକଙ୍କୁ ପୁଣି ନିରାଶ କରିଛନ୍ତି। ସ୍ଲିପ୍‌ରେ ଥିବା ବେଳେ ବୁମ୍‌ରାଙ୍କ ବଲ୍‌ ଲବୁସାନ୍‌ଙ୍କ ବ୍ୟାଟ୍‌ ଏଜ୍‌ ନେଇ କୋହଲିଙ୍କ ହାତକୁ ଚାଲିଯାଇଥିଲା। ‌ପ୍ରଥମେ କୋହଲି ଏହାକୁ ଧରି ନେଇଥିଲେ ମଧ୍ୟ କିଛି କ୍ଷଣରେ ବଲ୍‌ ତାଙ୍କ ହାତରୁ ଖସିଯାଇଥିଲା। ସେତେବେଳକୁ ଲବୁସାନ୍‌ ‘ଶୂନ’ରେ ବ୍ୟାଟିଂ କରୁଥିଲେ। ପରେ କୋହଲି ସମସ୍ତଙ୍କୁ କ୍ଷମା ମାଗି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୪୯.୪ ଓଭରରେ ୧୫୦/୧୦ (ନୀତୀଶ କୁମାର ରେଡ୍ଡୀ-୪୧, ଋଷଭ ପନ୍ତ-୩୭, କେଏଲ୍‌ ରାହୁଲ-୨୬, ଜୋସ୍‌ ହାଜଲଉଡ୍‌-୪/୨୯, ମିଚେଲ ମାର୍ସ-୨/୧୨, ମିଚେଲ ଷ୍ଟାର୍କ-୨/୧୪, ପାଟ୍‌ କମିନ୍ସ-୨/୬୭)। ଅଷ୍ଟ୍ରେଲିଆ ପ୍ରଥମ ପାଳି ୨୭ ଓଭରରେ ୬୭/୭ (ଆଲେକ୍ସ କ୍ୟାରି-୧୯*, ଟ୍ରାଭିସ୍‌ ହେଡ୍‌-୧୧, ନାଥନ୍‌ ମ୍ୟାକ୍‌ସ୍ବିନି-୧୦, ଯଶପ୍ରୀତ୍‌ ବୁମ୍‌ରା-୪/୧୭, ମହମ୍ମଦ ସିରାଜ-୨/୧୭, ହର୍ଷିତ ରାଣା-୧/୩୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe