ବୌଦ୍ଧ: ବୌଦ୍ଧ ଜିଲ୍ଲା କ୍ରିକେଟ୍ ସଂଘ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ବୌଦ୍ଧ କପ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପୁରୁଣା ଭୁବନେଶ୍ୱରର ଟାଉନ୍ କ୍ଲବ୍ ପହଞ୍ଚିଯାଇଛି। ଗୁରୁବାର ଏକ ମ୍ୟାଚ୍ରେ ଏହି ଦଳ ସମ୍ବଲପୁରର ଆଭାର ଟାଇଗର୍ ଦଳକୁ ୮୭ ରନ୍ରେ ପରାସ୍ତ କରିଦେଇଛି। ଟାଉନ୍ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାନସ ଦାସ (୬୪)ଙ୍କ ଅର୍ଧଶତକ ଓ ପ୍ରତ୍ୟୁଷ ଦାସଙ୍କ ୩୭ ରନ୍ ବଳରେ ନିର୍ଧାରତ ୨୫ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୨ ରନ୍ କରିଥିଲା। ସମ୍ବଲପୁର ଦଳର ବସିତ୍ ଅଲ୍ଲୀ ୨ ଓ୍ଵିକେଟ୍ ହାସଲ କରିଥିଲେ। ଜବାବରେ ସମ୍ବଲପୁର ଦଳ ୨୦.୧ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୯୫ ରନ୍ କରିପାରିଥିଲା। ପ୍ରକାଶ ସିଂଙ୍କ ୨୬ ରନ୍ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ଶୁଭକାନ୍ତ ଧଳ ୪ ଓ ମାନସ ଦାସ ୩ ଓ୍ଵିକେଟ୍ ଦଖଲ କରିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମାନସ ଦାସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସମୀର ପାଣିଗ୍ରାହୀ ଓ ବିଶ୍ୱଜିତ ପୁରୋହିତ ମ୍ୟାଚ୍ ପରିଚାଳନା କରିଥିବା ବେଳେ ପୁଲକ ମହାପାତ୍ର ସ୍କୋରର୍ ଥିଲେ। ଆଶୁତୋଷ ଦାସ ଓ ସତ୍ୟନାରାୟଣ ପାଣି ଧାରା ବିବରଣୀ ପ୍ରଦାନ କରିଥିଲେ । ଓସିଏ ପରିଚାଳନା କମିଟି ସଦସ୍ୟ ଦୁଲାଲ ପ୍ରଧାନ ମୁଖ୍ୟ ଅତିଥି, ବରିଷ୍ଠ ଖେଳାଳି ଶେଖ୍ କଲିମ୍ ଉଲ୍ଲା ଓ ବ୍ୟବସାୟୀ ରାଧେଶ୍ୟାମ ସିଂଘଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା କ୍ରିକେଟ୍ ସଂଘ ଉପସଭାପତି ନିରଞ୍ଜନ ମେହେର ଉପସ୍ଥିତ ଥିଲେ। ଶୁକ୍ରବାର ଟାଉନ କ୍ଲବ୍ର ମୁକାବିଲା ବ୍ଲୁ ଡାଇମଣ୍ଡ ବରଗଡ଼ ସହ ହେବ।
ବୌଦ୍ଧ କପ୍ କ୍ରିକେଟ୍: ସେମିରେ ଟାଉନ କ୍ଲବ୍
Advertisment
Follow Us