ମୁଷ୍ଟିଯୁଦ୍ଧରୁ ପଦକ ଅମଳ ଆରମ୍ଭ

Advertisment

ନମନ, ମନୋଜ, ହୁସାମୁଦ୍ଦିନ୍‌ଙ୍କୁ କାଂସ୍ୟ; ୫ ଜଣ ଫାଇନାଲ୍‌ରେ

ନମନ, ମନୋଜ, ହୁସାମୁଦ୍ଦିନ୍‌ଙ୍କୁ କାଂସ୍ୟ; ୫ ଜଣ ଫାଇନାଲ୍‌ରେ

ମୁଷ୍ଟିଯୁଦ୍ଧରୁ ପଦକ ଅମଳ ଆରମ୍ଭ

GOLD COAST,

ଗୋଲ୍‌ଡ କୋଷ୍ଟ: ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ମୁଷ୍ଟିଯୁଦ୍ଧରୁ ଭାରତର ପଦକ ଅମଳ ଆରମ୍ଭ ହୋଇଛି। ଏହି କ୍ରୀଡ଼ାର ନବମ ଦିବସରେ ଭାରତ ମୋଟ ୧୧ ପଦକ ପାଇଥିଲା ବେଳେ ସେଥିରୁ ମୁଷ୍ଟିଯୋଦ୍ଧାମାନେ ୩ କାଂସ୍ୟ ହାତେଇଛନ୍ତି। ଯୁବ ତାରକା ନମନ ତନ୍‌ଓ୍ଵାର (୯୧ କେଜି), ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ମନୋଜ କୁମାର (୬୯ କେଜି) ଏବଂ ମହମ୍ମଦ ହୁସାମୁଦ୍ଦିନ୍‌ (୫୬ କେଜି) ନିଜ ନିଜର ସେମିଫାଇନାଲ୍‌ ଲଢ଼େଇ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ଶୃଙ୍ଖଳରେ ୧୯ ବର୍ଷ ବୟସ୍କ୍‌ ନମନ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ। ସେ ସେମିଫାଇନାଲ୍‌ରେ ଆୟୋଜକ ଅଷ୍ଟ୍ରେଲିଆର ଜାସନ୍‌ ହ୍ଵାଟେଲେଙ୍କ ନିକଟରୁ ହାରିଯାଇଥିଲା ବେଳେ ମନୋଜ କୁମାର ଇଂଲଣ୍ଡର ପ୍ୟାଟ୍‌ ମ୍ୟାକର୍ମାକ୍‌ଙ୍କଠୁ ଏବଂ ହୁସାମୁଦ୍ଦିନ୍‌ ଅନ୍ୟତମ ଇଂଲଣ୍ଡ ଯୋଦ୍ଧା ପିଟର ମ୍ୟାକ୍‌ଗ୍ରେଲ୍‌ଙ୍କ ନିକଟରୁ ସମାନ ୦-୫ ଲେଖାଏଁ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ଭାରତ କାଂସ୍ୟ ପଦକରୁ ମୁଷ୍ଟିଯୁଦ୍ଧରେ ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଏହାର ୫ ଜଣ ଯୋଦ୍ଧା ଶୁକ୍ରବାର ଫାଇନାଲ୍‌ରେ ପହଞ୍ଚି ଯାଇଥିବାରୁ ଅତି କମ୍‌ରେ ୫ ରୌପ୍ୟ ମିଳିବା ନିଶ୍ଚିତ ହୋଇଯାଇଛି। ଫଳରେ ମୁଷ୍ଟିଯୁଦ୍ଧରୁ ୮ ପଦକ ଭାରତ ହାସଲ କରିବ। ୩ ଯୋଦ୍ଧା ସେମିଫାଇନାଲ୍‌ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲା ବେଳେ ଏସୀୟ କ୍ରୀଡ଼ା ପଦକ ବିଜେତା ବିକାଶ କୃଷ୍ଣନ୍‌ (୭୫ କେଜି), ସତୀଶ କୁମାର (୯୧ କେଜିରୁ ଅଧିକ), ଅମିତ୍‌ ପଂଘଲ (୪୯ କେଜି), ଗୌରବ ସୋଲାଙ୍କି (୫୨ କେଜି) ଏବଂ ମନୀଷ କୌଶିକ୍‌ (୬୦ କେଜି) ନିଜ ନିଜର ସେମିଫାଇନାଲ୍‌ ମୁକାବିଲା ଜିତି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ବିକାଶ ୫-୦ରେ ନର୍ଦର୍ନ ଆୟର୍ଲାଣ୍ଡ୍‌ର ଷ୍ଟିଭେନ୍‌ ଡୋନେଲିଙ୍କୁ, ସତୀଶ ସିଚେଲ୍‌ସର କେଡି ଅଗ୍‌ନେସ୍‌ଙ୍କୁ, ମନୀଷ ୪-୧ରେ ନର୍ଦର୍ନ ଆୟର୍ଲାଣ୍ଡ୍‌ର ଜେମ୍‌ସ ମ୍ୟାକ୍‌ଗିଭର୍ନଙ୍କୁ, ଗୌରବ ୪-୦ରେ ଶ୍ରୀଲଙ୍କାର ଏମ୍‌ ଇଶାନ୍‌ ବନ୍ଦରାଙ୍କୁ ଏବଂ ଅମିତ୍‌ ୫-୦ରେ ଉଗାଣ୍ଡାର ଜୁମା ମୀରୋଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe