ଫିଫା ବିଶ୍ବକପ୍‌: ନକ୍‌ଆଉଟ୍‌ରେ ବ୍ରାଜିଲ, ସ୍ବିଜରଲାଣ୍ଡ୍‌

Advertisment

ଗ୍ରୁପ୍‌ ପର୍ଯ୍ୟାୟ ଶେଷ, ଶେଷ ସ୍ଥାନରେ ସର୍ବିୟା

ଗ୍ରୁପ୍‌ ପର୍ଯ୍ୟାୟ ଶେଷ, ଶେଷ ସ୍ଥାନରେ ସର୍ବିୟା

ଫିଫା ବିଶ୍ବକପ୍‌: ନକ୍‌ଆଉଟ୍‌ରେ ବ୍ରାଜିଲ, ସ୍ବିଜରଲାଣ୍ଡ୍‌

ଦୁସାନ ଭ୍ଲାହୋଭିକ୍‌

ଦୋହା (କାତାର) : ଶୁକ୍ରବାର ବିଳମ୍ବିତ ରାତିର ଗ୍ରୁପ୍‌-ଜି’ ଅନ୍ତର୍ଗତ ଦୁଇଟି ମ୍ୟାଚ୍‌ ସର୍ବିୟା-ସ୍ବିଜରଲାଣ୍ଡ୍‌ ଏବଂ ବ୍ରାଜିଲ-କାମେରୁନ୍‌ ମୁକାବିଲା ସହିତ ଚଳିତ ଫିଫା ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୪୮ ମ୍ୟାଚ୍‌ର ପରିସମାପ୍ତି ଘଟିଥିଲା ବେଳେ ସେଗୁଡ଼ିକ ମଧ୍ୟରୁ ଶ୍ରେ‌ଷ୍ଠ ୧୬ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଶେଷ ଦୁଇ ଦଳ ଭାବେ ବ୍ରାଜିଲ ଏବଂ ସ୍ବିଜରଲାଣ୍ଡ୍‌ ଏହି ପର୍ଯ୍ୟାୟରେ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ୫ ଥର ବି‌ଜେତା ବ୍ରାଜିଲକୁ ୧-୦ ଗୋଲ୍‌ରେ ପରାସ୍ତ କରିବା ସତ୍ତ୍ବେ କାମେରୁନ୍‌ ଏବଂ ୩ ଥର କ୍ବାର୍ଟର ଫାଇନାଲିଷ୍ଟ ସ୍ବିଜରଲାଣ୍ଡ୍‌ ନିକଟରୁ ୨-୩ରେ ପରାଜୟ ବରଣ କରି ୨ ଥର ସେମିଫାଇନାଲିଷ୍ଟ ସର୍ବିୟା ବିଶ୍ବକପ୍‌ରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ବେ ବ୍ରାଜିଲ ୬ ଏବଂ ବିଜୟ ବଳରେ ସ୍ବିଜରଲାଣ୍ଡ ମଧ୍ୟ ସମାନ ୬ ପଏଣ୍ଟ ପାଇ ଗୋଲ୍‌ ବ୍ୟବଧାନରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଥିଲେ। ଆସନ୍ତାକାଲିଠାରୁ ନକ୍‌ଆଉଟ୍‌ ତଥା ପ୍ରିକ୍ବାର୍ଟର ଫାଇନାଲ୍‌ ମୁକାବିଲା ଆରମ୍ଭ ହେବ। ଏହି ପର୍ଯ୍ୟାୟର ପ୍ରଥମ ଦିବସରେ ନେଦରଲାଣ୍ଡ୍‌ସ-ଆମେରିକା ଏବଂ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।

publive-image ଜେର୍ଦାନ୍‌ ସାକିରି

ଶୁକ୍ରବାର ଷ୍ଟାଡିୟମ୍‌ ୯୭୪-ରାସ୍‌ ଆବୁ ଆବୌଦରେ ଖେଳାଯାଇଥିବା ମ୍ୟାଚ୍‌ ଆରମ୍ଭରୁ ରୋମାଞ୍ଚଭରା ରହିଥିଲା। ଉଭୟ ଦଳ ଜୋର୍‌ଦାର ଆକ୍ରମଣ ଓ ପ୍ରତିଆକ୍ରମଣ କରିବାରୁ ପ୍ରଥାମାର୍ଦ୍ଧରେ ୪ ଗୋଲ୍‌ ଦେଖିବାକୁ ମିଳିଥିଲା। ଏଥିରେ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ବିଜରଲାଣ୍ଡ୍‌ ଏବଂ ୨୧ ମାନ୍ୟତାପ୍ରାପ୍ତ ସର୍ବିୟା ୨ ଲେଖାଏଁ ଗୋଲ୍‌ କରି ବରାବର ସ୍ଥିତି ସହ ଦ୍ବିତୀୟାର୍ଦ୍ଧକୁ ଯାଇଥିଲେ। ଚଳିତ ବିଶ୍ବକପ୍‌ରେ ଗୋଟିଏ ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ୪ ଗୋଲ୍‌ ହେବା ସର୍ବାଧିକ ଥିଲା। ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ଜେର୍ଦାନ୍‌ ସାକିରି ପ୍ରଥମ ଗୋଲ୍‌ କରି ସ୍ବିଜରଲାଣ୍ଡ୍‌କୁ ଅଗ୍ରଣୀ କରାଇଥିଲେ। କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ଏବଂ ଲିଓନେଲ ମେସିଙ୍କ ପରେ ସାକିରି ହିଁ ତୃତୀୟ ଖେଳାଳି ଭାବେ ଗତ ତିନିଟି ବିଶ୍ବକପ୍‌ରେ ଗୋଲ୍‌ କରିବାର ଗୌରବ ବହନ କରିଥିଲେ। ହେଲେ ୭ ମିନିଟ୍‌ ଅନ୍ତରରେ ଲାଗ ଲାଗ ଦୁଇଟି ଗୋଲ୍‌ କରି ସର୍ବିୟା ଅଗ୍ରଣୀ ଛଡ଼ାଇ ନେଇଥିଲା।

publive-image ଆଲେକ୍‌ଜାଣ୍ଡର ମିତ୍ରୋଭିକ୍‌

୨୬ତମ ମିନିଟ୍‌ରେ ଆଲେକ୍‌ଜାଣ୍ଡର ମିତ୍ରୋଭିକ୍‌ ଏବଂ ୩୫ତମ ମିନିଟ୍‌ରେ ଦୁସାନ ଭ୍ଲାହୋଭିକ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି ସର୍ବିୟାକୁ ୨-୦ରେ ଆଗେଇ ନେଇଥିଲେ। ସର୍ବିୟା ପାଇଁ ଦୁସାନ ଭ୍ଲାହୋଭିକ୍‌ ୧୦ ଗୋଲ୍‌ କରିଥିଲା ବେଳେ ବିଶ୍ବକପ୍‌ରେ ଏହା ତାଙ୍କର ପ୍ରଥମ ଗୋଲ୍‌ ଥିଲା। କିନ୍ତୁ ପ୍ରଥମାର୍ଦ୍ଧ ଶେଷ ହେବାକୁ ଗୋଟିଏ ମିନିଟ୍‌ ଥିଲା ବେଳେ ବ୍ରିଲ ଏମ୍ବୋଲୋ (୪୪ ମିନିଟ୍‌)ଙ୍କ ଗୋଲ୍‌ ସ୍ବିଜରଲାଣ୍ଡ୍‌ ସ୍ଥିତି ବରାବର କରିଦେଇଥିଲା। ହେଲେ ରେମୋ ଫ୍ରିଉଲର ଦ୍ବିତୀୟା‌ର୍ଦ୍ଧ ଆରମ୍ଭରୁ ସ୍ବିଜରଲାଣ୍ଡ୍‌କୁ ଆଗେଇ ନେଇଥିଲେ। ୪୮ତମ ମିନିଟ୍‌ରେ ସେ ଦଳ ପାଇଁ ତୃତୀୟ ଗୋଲ୍‌ କରିଥିଲେ। ଅବଶିଷ୍ଟ ସମୟରେ ଆଉ କୌଣସି ଗୋଲ୍‌ ନହେବାରୁ ୩-୨ରେ ସ୍ବିଜରଲାଣ୍ଡ୍‌ ବାଜି ମାରିଥିଲା।

publive-image ଭିନ୍‌ସେଣ୍ଟ୍‌ ଆବୁବାକେର

ବିଜୟ ସତ୍ତ୍ବେ କାମେରୁନ୍‌ ବିଦା

ଶୁକ୍ରବାର ଲୁସାଇଲ ଷ୍ଟାଡିୟମ୍‌ରେ ବ୍ରାଜିଲ ଓ କାମେରୁନ୍‌ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥଲା। ବିଶ୍ବ ମାନ୍ୟତାର ଶୀର୍ଷ ବ୍ରାଜିଲ ପୂର୍ବରୁ ୨ ବିଜୟ ସହ ଆଗୁଆ ନକ୍‌ଆଉଟ୍‌ ଯୋଗ୍ୟତା ହାସଲ କରିସାରିଥିବାରୁ ଏହି ମ୍ୟାଚ୍‌କୁ ଅତିକମ୍‌ରେ ଅମୀମାଂସିତ ରଖିବା ଲକ୍ଷ୍ୟରେ ସତର୍କତାର ସହ ଖେଳିଥିଲା। ଫଳରେ ଶକ୍ତିଶାଳୀ ବ୍ରାଜିଲକୁ ୪୩ ମାନ୍ୟତାପ୍ରାପ୍ତ କାମେରୁନ୍ ପ୍ରଥମାର୍ଦ୍ଧରେ କୌଣସି ସୁଯୋଗ ଦେଇନଥିଲା। ତେଣୁ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଏପରିକି ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ‌ଖେଳରେ ଗୋଟିଏ ହେଲେ ଗୋଲ୍‌ ଦେଖିବାକୁ ମିଳିନଥିଲା। ହେଲେ ଷ୍ଟପେଜ୍‌ ଟାଇମ୍‌ର ଦ୍ବିତୀୟ ମିନିଟ୍‌ରେ ହିଁ ଭିନ୍‌ସେଣ୍ଟ୍‌ ଆବୁବାକେର ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରି କାମରେୁନ୍‌କୁ ପ୍ରଥମ ବିଜୟ ଭେଟି ଦେଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe