ଚାଙ୍ଗ୍ୱନ୍ (ଦକ୍ଷିଣ କୋରିଆ) : ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍ରେ ଶନିବାର ଭାରତର ଐଶ୍ବରୀ ପ୍ରତାପ ସିଂହ ଟୋମାର (ପୁରୁଷ ୫୦ ମିଟର ରାଇଫଲ ଥ୍ରି ପୋଜିସନ୍) ସ୍ବର୍ଣ୍ଣ ଜିତିଥିଲା ବେଳେ ରବିବାର ଅଞ୍ଜୁମ୍ ମୁଦ୍ଗିଲ ଭାରତକୁ ଆଉ ଏକ ପଦକ ଭେଟି ଦେଇଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ବିଜୟିନୀ ଅଞ୍ଜୁମ୍ ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିସନ୍ର ଫାଇନାଲ୍ ରାଉଣ୍ଡରେ ୪୦୨.୯ ସଟ୍ ମାରି ଏହି ପଦକ କରାୟତ୍ତ କରିଥିଲେ। ଜର୍ମାନିର ଆନ୍ନା ଜାନ୍ସେନ୍ (୪୦୭.୭) ଏବଂ ଇଟାଲିର ବାର୍ବରା ଗମ୍ବାରୋ (୪୦୩.୪) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ବିଶ୍ବକପ୍ରେ ଅଞ୍ଜୁମ୍ଙ୍କର ଏହା ବ୍ୟକ୍ତିଗତ ଭାବେ କ୍ରମାଗତ ଦ୍ବିତୀୟ ପଦକ। ଏହା ପୂର୍ବରୁ ସେ ଗତମାସରେ ବକୁ ବିଶ୍ବକପ୍ରେ ସମାନ ଇଭେଣ୍ଟରେ ରୌପ୍ୟ ଜିତିଥିଲେ।
ଅନ୍ୟପକ୍ଷରେ ପୁରୁଷ ୩ ଜଣିଆ ଦଳ ବର୍ଗରେ ସଞ୍ଜୀବ ରାଜପୁତ, ଚୈନ୍ ସିଂହ ଓ ଐଶ୍ବରୀ ପ୍ରତାପ ସିଂହ ଟୋମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ରୌପ୍ୟ ପଦକ ଜିତିଛି। କ୍ବାଲିଫିକେସନ୍ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନ ପାଇଥିବା ଭାରତୀୟ ଦଳ ସ୍ବର୍ଣ୍ଣ ମୁକାବିଲାରେ ଚେକ୍ ଗଣରାଜ୍ୟ ଦଳ ନିକଟରୁ ୧୨-୧୬ରେ ହାରି ଯାଇଥିଲା। ରବିବାରର ରୌପ୍ୟ ଓ କାଂସ୍ୟ ସହିତ ଭାରତ ମୋଟ ୧୧ (୪ ସ୍ବର୍ଣ୍ଣ, ୫ ରୌପ୍ୟ, ୨ କାଂସ୍ୟ) ପଦକ ଜିତି ତାଲିକାର ଶୀର୍ଷରେ ରହିଛି।
Follow Us