ୟୁଏସ୍‌ ଓପନ୍‌ ପୂର୍ବରୁ ବ୍ରାଏନ୍‌ ଭ୍ରାତାଙ୍କ ଅବସର

Advertisment
ୟୁଏସ୍‌ ଓପନ୍‌ ପୂର୍ବରୁ ବ୍ରାଏନ୍‌ ଭ୍ରାତାଙ୍କ ଅବସର

The New York Times

ୱାସିଂଟନ୍‌ : ୟୁଏସ୍‌ ଓପନ୍‌ ଆରମ୍ଭ ପୂର୍ବରୁ ଟେନିସ୍ ଇତିହାସର ସବୁଠାରୁ ସଫଳ ପୁରୁଷ ଯୁଗଳ ଯୋଡ଼ି ଯାଆଁଳା ଭାଇ ବବ୍ ଏବଂ ମାଇକ୍ ବ୍ରାଏନ୍ ଅବସର ଘୋଷଣା କରିଛନ୍ତି। ୧୯୯୫ରେ ଏମାନେ ଏଟିପି ପଦାର୍ପଣ କରିଥିଲେ। ୪୨ ବର୍ଷୀୟ ଏହି ଦୁଇ ଭାଇ ଏକାଠି ୧୧୯ ଟ୍ରଫି କରାୟତ୍ତ କରିଛନ୍ତି। ଏହାମଧ୍ୟରେ ୧୬ଟି ଗ୍ରାଣ୍ଡ ସ୍ଲାମ୍‌, ୩୯ ଏଟିପି ମାଷ୍ଟର୍ ୧୦୦୦ ଏବଂ ୪ ଏଟିପି ଫାଇନାଲ୍ ମୁକଟ ରହିଛି।

“ଆମେ ଅନୁଭବ କଲୁ ଯେ ଅବସର ନେବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ। ଆମର ଏହି ଯାତ୍ରା ୨୦ ବର୍ଷରୁ ଅଧିକ ସମୟ ଚାଲିଲାଣି। ଆମେ ଆମ ଜୀବନର ପରବର୍ତ୍ତୀ ଅଧ୍ୟାୟକୁ ଅପେକ୍ଷା କରିଛୁ। ଏତେ ଦିନ ପର୍ଯ୍ୟନ୍ତ ଯୁଗଳ ବର୍ଗରେ ଖେଳିପାରିଥିବାରୁ ଖୁସି ଅନୁଭବ କରୁଛୁ। ବର୍ଷ ଆରମ୍ଭରେ ଖେଳିବା ଏବଂ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇବାର ସୁଯୋଗ ପାଇଥିବାରୁ ଆମେ କୃତଜ୍ଞ” ବୋଲି ମାଇକ କହିଛନ୍ତି।

କାଲିଫର୍ଣ୍ଣିଆର ଏହି ଯୋଡି ୪୩୮ ସପ୍ତାହ ଧରି ଶୀର୍ଷ ମାନ୍ୟତା ସ୍ଥାନ ଅକ୍ତିଆର କରିଥିଲେ। ବବ୍‌-ମାଇକ୍‌ ପ୍ରଥମ ଯୋଡ଼ି ଭାବେ ୨୦୧୪ରେ ସାଂଘାଇ ବିଜୟ ସହିତ କ୍ୟାରିୟର ଗୋଲଡେନ୍ ମାଷ୍ଟର୍ସ (ସମସ୍ତ ୯ ଏଟିପି ୱାର୍ଲ୍ଡ ଟୁର୍ ମାଷ୍ଟର୍ସ ୧୦୦୦) ବିଜେତା ହୋଇଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଏବଂ ୨୦୦୭ ଆମେରିକା ଡେଭିସ୍‌ କପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ।

ଆମେ ନିଜକୁ ଖେଳ ପ୍ରତି ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିବାରୁ ଗର୍ବିତ। ପରସ୍ପର ପ୍ରତି ଆମର ବିଶ୍ୱସ୍ତତା କଦାପି ଭାଙ୍ଗିନି। ଆମେ ବିନା ଅନୁଶୋଚନାରେ ବୃତ୍ତିଗତ ଟେନିସ୍ ଛାଡୁଛୁ। ଅମେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍‌ ଏବଂ କୋର୍ଟରେ ଦର୍ଶକଙ୍କ ଆମ ପ୍ରତି ସମର୍ଥନକୁ ହରାଇବୁ ବୋଲି ବବ୍‌ କହିଛନ୍ତି। ୨୦୧୮ରେ ବବ୍‌ ଆହତ ହୋଇଥିବାରୁ ଜ୍ୟାକ୍‌ ସକ୍‌ଙ୍କ ସହ ମିଶି ମାଇକ୍‌ ୨ଟି ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିଥିଲେ। କରୋନା ମହାମାରୀ ଯୋଗୁଁ ପ୍ରତିଯୋଗିତା ବନ୍ଦ ହେବା ପୂର୍ବରୁ ମାଇକ୍‌-ବବ୍‌ ଗତ ଫେବ୍ରୁଆରିରେ ଡେଲ୍‌ରେ ବିଚ୍‌ ଓପନ୍‌ ଜିତିଥିଲେ। ୧୧୦୮-୩୫୯ ବିଜୟ-ପରାଜୟ ବ୍ୟବଧାନରେ ସେମାନେ ଖେଳ ଜୀବନ ଶେଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe