Photograph: (Business Standard)
ଇଡେନ୍ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ
କୋଲକାତା: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍କୁ ନେଇ ଇଡେନ୍ ଗାର୍ଡେନ୍ସ ଦର୍ଶକଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ତିନିଟି ଅଗ୍ନିବର୍ଷୀ ସ୍ପେଲ୍ରେ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା ସେମାନଙ୍କର ଏହି ଉତ୍ସାହର ଯଥାର୍ଥ ସମ୍ମାନ ରଖିଥିଲେ। ବୁମ୍ରା ନିଜ ପ୍ରଭାବୀ ବୋଲିଂରେ ଏଠାକାର ୪୦,୦୦୦ରୁ ଅଧିକ ଦର୍ଶକଙ୍କୁ କେବଳ ବିମୋହିତ କରି ନଥିଲେ ବରଂ ଏକଦା ବିନା କ୍ଷତିରେ ୫୬ରନ୍ କରି ନେଇଥିବା ଦକ୍ଷିଣ ଆଫ୍ରିକାକୁ ୧୫୯ ରନ୍ ତଳେ ଅଟକାଇ ଦେଇଥିଲେ। ଏହି ଐତିହାସିକ ଷ୍ଟାଡିୟମ୍ରେ ପ୍ରଥମ ଥର ଟେଷ୍ଟ୍ ଖେଳୁଥିବା ବୁମ୍ରା ୨୭ ରନ୍ରେ ୫ ୱିକେଟ୍ ନେବା ପରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ବିଜେତା ଦକ୍ଷିଣ ଆଫ୍ରିକା ପାଳି କେବଳ ୫୫ ଓଭରରେ ଶେଷ ହୋଇଯାଇଥିଲା। ଭ୍ରମଣକାରୀ ଦଳକୁ ବୋଲିଂ ବାହିନୀ ଘାଇଲା କରିବା ପରେ ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ଘରୋଇ ଭାରତ ୩୭/୧ କରି ୧୨୨ରନ୍ ପଛରେ ରହିଛି। କେଏଲ୍ ରାହୁଲ ୧୩* ଓ ୱାସିଂଟନ୍ ସୁନ୍ଦର ୬ ରନ୍ରେ ଅପରାଜିତ ଅଛନ୍ତି। ଏକମାତ୍ର ବ୍ୟାଟର୍ ଭାବେ ଯଶସ୍ବୀ ଜୟସ୍ବାଲ ୧୨ ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଥମ ଦିନରେ ମୋଟ ୭୫ ଓଭର ଖେଳ ହୋଇ ୧୯୬ ରନ୍ରେ ୧୧ ୱିକେଟ୍ର ପତନ ହୋଇଛି। ଏହା ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା କୌଣସି ଟେଷ୍ଟ୍ର ପ୍ରଥମ ଦିନରେ କେବଳ ଥରେ ଏତେ ୱିକେଟ୍ ଝଡ଼ିଥିଲା। ଯାହା ୨୦୧୯ ମସିହାର ଭାରତ-ବାଂଲାଦେଶ ଗୋଲାପି ବଲ୍ ଟେଷ୍ଟ୍ ଥିଲା। ସେହି ଟେଷ୍ଟ୍ର ପ୍ରଥମ ଦିନରେ ୧୩ ୱିକେଟ୍ର ପତନ ହୋଇଥିଲା। ଖରାପ ଆଲୋକ ପାଇଁ ଶୁକ୍ରବାର ପାଖାପାଖି ୧୫ ଓଭର ପୂର୍ବରୁ ଖେଳ ବନ୍ଦ ହୋଇଛି।
ଶୁକ୍ରବାର ବୁମ୍ରାଙ୍କ ବୋଲିଂ ଥିଲା ପୂରା ଘାତକ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ପେଲ୍ରେ ତାଙ୍କ ବୋଲିଂ ଚିତ୍ର ଯଥାକ୍ରମେ ଥିଲା ୭-୪-୯-୨, ୫-୦-୧୪-୧ ଓ ୨-୧-୪-୨। ଷୋଡ଼ଶ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଅର୍ଜନ କରି ସେ ହିଁ ଦକ୍ଷିଣ ଆଫ୍ରିକାର ଟସ୍ ବିଜୟ ପରର ସୁନେଲି ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି। ପ୍ରଥମେ ପ୍ରଥମେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମହମ୍ମଦ ସିରାଜ (୨/୪୭) ଓ ଅକ୍ଷର ପଟେଲ (୧/୨୧) ବି ପରେ ଭଲ ବୋଲିଂ କରିଥିଲେ। କୁଲ୍ଦୀପ ଯାଦବ (୨/୩୬)ଙ୍କ ସହ ମିଶି ଦକ୍ଷିଣ ଆଫ୍ରିକାର ଅବଶିଷ୍ଟ ୫ ୱିକେଟ୍କୁ ବାଣ୍ଟି ନେଇଥିଲେ।
ବୁମ୍ରାଙ୍କ ପ୍ରଥମ ଓଭର୍ ବାଏ ଚୌକାରୁ ଖାତା ଖୋଲିଥିଲା ଦକ୍ଷିଣ ଆଫ୍ରିକା। ଐଦେନ ମାର୍କରାମ ଓ ରିୟାନ ରିକେଲଟନ୍ ଦ୍ରୁତ ଖେଳି ପ୍ରଥମ ୧୦ ଓଭରରେ ୫ରୁ ଅଧିକ ହାର୍ରେ ରନ୍ କରିଥିଲେ। ଅର୍ଦ୍ଧଶତକୀୟ ଭାଗୀଦାର ଗଢ଼ି ଭାରତକୁ ଚିନ୍ତାରେ ପକାଇଥିଲେ। ଏକାଦଶ ଓଭରରୁ କିନ୍ତୁ ଦକ୍ଷିଣ ଆଫ୍ରିକାର ଅଧୋପତନ ଆରମ୍ଭ ହୋଇଥିଲା। ରିକେଲଟନ୍ଙ୍କୁ ଅଫ୍ କଟ୍ରରେ ବୋଲ୍ଡ କରି ବୁମ୍ରା ଏହି ଦୁଇଜଣଙ୍କୁ ଅଲଗା କରିଥିଲେ। ପୁଣି ଗୋଟିଏ ଓଭର ପରେ ଫେରି ମାର୍କରାମଙ୍କୁ ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ଫଳରେ ୬୨ ରନ୍ ବେଳକୁ ଦକ୍ଷିଣ ଆଫ୍ରିକାର ଦୁଇ ଓପନର୍ଙ୍କୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ୩ ୱିକେଟ୍ରେ ୧୦୫ ରନ୍ କରି ଏକପ୍ରକାର ସୁବିଧାଜନକ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା ୩୨ ରନ୍ରେ ପରବର୍ତ୍ତୀ ଚାରିଟି ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଶେଷରେ ଚା’ପାନ ବିରତିର ଠିକ୍ ପରେ ପରେ ଆଉ ତିନିଟି ୱିକେଟ୍ ହରାଇ ଅଲ୍ଆଉଟ୍ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି-୫୫ ଓଭରରେ ୧୫୯ (ଐଦେନ ମାର୍କରାମ-୩୧, ଟୋନି ଡି’ଜୋର୍ଜି-୨୪, ୱିଆନ୍ ମୁଲଡର୍-୨୪, ଯଶପ୍ରୀତ୍ ବୁମ୍ରା-୫/୨୭, କୁଲ୍ଦୀପ ଯାଦବ-୨/୩୬, ମହମ୍ମଦ ସିରାଜ-୨/୪୭)। ଭାରତ ପ୍ରଥମ ପାଳି-୨୦ ଓଭରରେ ୩୭/୧ (କେଏଲ୍ ରାହୁଲ ୧୩*, ୱାସିଂଟନ୍ ସୁନ୍ଦର ୬*, ଯଶସ୍ବୀ ଜୟସ୍ବାଲ ୧୨, ମାର୍କୋ ୟାନସେନ୍ ୧/୧୧)।
କେବେ କେବେ ଲାଗେ କୋଲକାତା ଯେମିତି କିଛି ମାତ୍ରାରେ ନବେ ଦଶକରେ ଅଟକି ଯାଇଛି। ‘ସିଟି ଅଫ୍ ଜୟ’ ଭାବେ ପରିଚିତ ପୂର୍ବଭାରତର ଏହି ସବୁଠୁ ବଡ଼ ସହର ଆଧୁନିକତାକୁ ଆପଣାଇଛି, ହେଲେ ପୂର୍ବ ପରମ୍ପରା, ପ୍ରତିଷ୍ଠା ଓ ଆଚାର ବ୍ୟବହାରକୁ ଛାଡ଼ିନି। ଠିକ୍ ସେହିପରି ଟେଷ୍ଟ୍ କ୍ରିକେଟ୍ ପାଇଁ କୋଲକାତାବାସୀଙ୍କ ଭଲ ପାଇବା ପୂର୍ବଭଳି ଅପରିବର୍ତ୍ତିତ ରହିଛି। ବରଂ ଭାରତୀୟ ଦଳର ସଫଳତା ଏଠାକାର ଯୁବ ପିଢ଼ିଙ୍କ ଭିତରେ ‘ଟେଷ୍ଟ ମ୍ୟାଚ୍’କୁ ନେଇ ନବୀନ ଉତ୍ସାହ ଭରିଛି। ଯାହାର ଝଲକ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନ ଖେଳ ପୂର୍ବରୁ ଦେଖିବାକୁ ମିଳିଥିଲା। ବିଶେଷ କରି ଯୁବଗୋଷ୍ଠୀ ଲମ୍ବାଧାଡ଼ିରେ ଠିଆ ହୋଇ ଏବଂ ରକମ ରକମର ପୋଷ୍ଟର, ବ୍ୟାନର୍ ଓ ଜର୍ସି ଧରି ଇଡେନ୍ ଭିତରକୁ ଯିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିବା ହିଁ ଟେଷ୍ଟ୍ କ୍ରିକେଟ୍ ଏଠାରେ କେତେ ଲୋକପ୍ରିୟ ତାହା ସ୍ପଷ୍ଟ ଜଣାଇ ଦେଉଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସବୁଠୁ ବଡ଼ ପ୍ରଶଂସକ ସୁଧୀର ଗୌତମଙ୍କ ଶଙ୍ଖନାଦ ମାହୋଲକୁ ଆହୁରି ମନ୍ତ୍ରମୁଗ୍ଧକର କରିଥିଲା। ଇଡେନ୍ ଗାର୍ଡେନ୍ସ ଗ୍ୟାଲେରିରେ ୪୦,୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ରହିବା ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମାଙ୍କ ମଧ୍ୟ ଉଲ୍ଲସିତ କରିଥିଲା। ଭାରତୀୟ ସ୍ପିନ୍ ଜଗତର ଅନ୍ୟତମ କିଂବଦନ୍ତି ପୁରୁଷ ଅନୀଲ କୁମ୍ବଲେ ଘଣ୍ଟି ବଜାଇବା ୬ବର୍ଷ ପରେ ଇଡେନ୍କୁ ଟେଷ୍ଟ୍ ଫେରିବା ସ୍ଥାନୀୟ କ୍ରିକେଟ୍ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା। ସେହିଭଳି ଅବସରର ଢେର୍ ସମୟ ପରେ ବି ବିପୁଳ ସଂଖ୍ୟାରେ କୋଲକାତା ଦର୍ଶକ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ କୌଣସି ଟେଷ୍ଟ୍ ମ୍ୟାଚ୍ ବେଳେ ମନେପକାଇବାଟା ସ୍ପଷ୍ଟ କରେ ଯେ ଏବେବି କ୍ରିକେଟ୍ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା କଥାକୁ ସ୍ପଷ୍ଟ କରିଥିଲା। ବୁମ୍ରା ଓ କୁଲଦୀପଙ୍କୁ ୪୦,୦୦୦ରୁ ଅଧିକ ଦର୍ଶକ ଉତ୍ସାହିତ କରିବା ଦୁଇ ଦଳର ଖେଳାଳିଙ୍କ ପାଇଁ ଅଭୁଲା ଅନୁଭୂତି ଆଣିଥିଲା। ଅଭିଜ୍ଞତା ଥିଲା ଅସାଧାରଣ, ଅବର୍ଣ୍ଣନୀୟ ଓ ଅତୁଳନୀୟ। ଏହି ମ୍ୟାଚ୍ ଅବ୍ୟବହିତ ପୂର୍ବରୁ ବେଙ୍ଗଲ କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ଜଗମୋହନ ଡାଲମିଆ ସ୍ମୃତିସଭା ଅବସରରେ ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି) ଭାରତୀୟ କ୍ରିକେଟ୍ର ଦୁଇ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଓ ସୁନୀଲ ଗାଭାସ୍କର୍ଙ୍କୁ ସମ୍ବର୍ଦ୍ଧିତ କରିଥିଲା। ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତି ପାଇଁ ଗୋଟିଏ ଫ୍ରେମରେ ଭାରତୀୟ କ୍ରିକେଟ୍ ଦଳର ତିନି ପୂର୍ବ ଅଧିନାୟକଙ୍କୁ ଦେଖିବାକୁ ମିଳିଥିଲା।
ସକାଳୁ ସକାଳୁ ଦକ୍ଷିଣ ଆଫ୍ରିକାକୁ ଝଟକା
ଠିକ୍ ୬ବର୍ଷ ପରେ ଭାରତକୁ ଟେଷ୍ଟ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାକୁ ଶୁକ୍ରବାର ସକାଳୁ ବଡ଼ ଝଟ୍କା ଲାଗିଥିଲା। ପିଞ୍ଜରା ହାଡ଼ରେ ବଲ୍ ବାଜି ଆଘାତରୁ ମୁକୁଳି ପାରି ନଥିବାରୁ ଦଳର ପ୍ରମୁଖ ଦ୍ରୁତ ବୋଲିଂ ଅସ୍ତ୍ର କାଗିସୋ ରବାଡ଼ା ବାଦ୍ ପଡ଼ିଥିଲେ। କର୍ବିନ ବସ୍ ତାଙ୍କ ସ୍ଥାନ ନେଇଥିଲେ। ରବାଡ଼ା ବାଦ୍ ପଡ଼ିବା ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀକୁ ସାମାନ୍ୟ ଦୁର୍ବଳ କରିଥିଲା। ସେହିଭଳି ଇଡେନ୍ ପିଚ୍ ସ୍ପିନର୍ଙ୍କୁ ସୁହାଇବାର ସମ୍ଭାବନା ଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ବୋଲିଂ କରିଥିବା ସେନୁରନ୍ ମୁଥୁସ୍ବାମୀଙ୍କୁ ଦକ୍ଷିଣ ଆଫ୍ରିକା ନଖେଳାଇବା ଅନେକଙ୍କୁ ଚକିତ କରିଥିଲା। ଭାରତ କିନ୍ତୁ ନିଜ ଚୂଡ଼ାନ୍ତ ଏକାଦଶରେ ସ୍ପିନର୍ ଓ ଅଲ୍ରାଉଣ୍ଡରଙ୍କ ଉପରେ ଜୋର୍ ଦେଇଥିଲା। କୁଲଦୀପ ଯାଦବଙ୍କ ସହ ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ସ୍ପିନ୍ ବିକଳ୍ପ ଭାବେ ନେଇଥିଲା। ଋଷଭ ପନ୍ତ ଆଶାଜନକ ଭାବେ ଦଳକୁ ଫେରିଥିଲେ। ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜ ଥିବାରୁ ସ୍ଥାନୀୟ ତାରକା ଆକାଶ ଦୀପ ବାଦ୍ ପଡ଼ିଥିଲେ। କିନ୍ତୁ କୋଲକାତା ଦର୍ଶକ ଆଦୌ ଖରାପ ଭାବି ନଥିଲେ।
ରୋକୋଙ୍କୁ ମନେପକାଇଲେ କୋଲକାତା ଦର୍ଶକ
ସୁଧୀରଙ୍କ ସୁମଧୁର ଶଙ୍ଖନାଦ, କୁମ୍ବଲେ ବଜାଇଲେ ଘଣ୍ଟି
/filters:format(webp)/sambad/media/media_files/2025/11/15/dsfhhfsfhxbvxvb-2025-11-15-00-42-12.jpg)
‘ଜେନ୍ ଜି’ଙ୍କ ହୃଦୟରେ ଗିଲ୍
ଇଡେନ୍ ଗାର୍ଡେନ୍ସ ବାହାରେ ବୁଲା ବେପାରିମାନେ ଭାରତୀୟ ଜର୍ସି, ଟୋପି, ଜାତୀୟ ପତାକାର ବିସ୍ତୃତ ସମ୍ଭାର ଜମା କରିଥିଲେ। ଯୁବ କ୍ରିକେଟ୍ପ୍ରେମୀ ନିଜନିଜ ପସନ୍ଦର ଜର୍ସି କିଣୁଥିଲେ। ତେବେ ଏବେକାର ଦଳର ଖେଳାଳିଙ୍କ ଅପେକ୍ଷା ପୂର୍ବ ଖେଳାଳିଙ୍କ ଜର୍ସିକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଜର୍ସି ଅଧିକ ବିକ୍ରି ହେଉଥିଲା। ଏହି ତିନି ତାରକା ଭାରତୀୟ ଟେଷ୍ଟ୍ ଦଳରେ ନାହାନ୍ତି, ଏପରିକି ସମସ୍ତେ ଟେଷ୍ଟ୍ କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଥିଲେ ସୁଦ୍ଧା ପ୍ରଶଂସକଙ୍କ ହୃଦୟରେ ଏବେବି ରାଜ୍ କରୁଥିବା ଜଣାପଡ଼ିଥିଲା। କିଛି ଦର୍ଶକ ମଧ୍ୟ ଅଧିନାୟକ ଗିଲ୍ଙ୍କ ଜର୍ସି କିଣିଥିଲେ। ଦର୍ଶକ ଗ୍ୟାଲେରିରେ କିନ୍ତୁ ‘ରୋକୋ’ଙ୍କ ସମର୍ଥକ ସଂଖ୍ୟା ଗିଲ୍ ଓ ଭାରତୀୟ ଦଳକୁ ବଳି ଯାଇଥିଲେ।
‘ଟସ୍’ ଦୁର୍ଭାଗ୍ୟ, ତଥାପି ରୋଚକ ରେକର୍ଡ
ଟସ୍ ବେଳେ ଗିଲ୍କୁ ପୁଣି ଥରେ ଭାଗ୍ୟ ସାଥ୍ ଦେଇ ନଥିଲା। ସେ କଏନ୍ ଉପରକୁ ଫିଙ୍ଗିବା ପରେ ପ୍ରତିପକ୍ଷ ଅଧିନାୟକ ତେମ୍ବା ବଭୂମା ସଫଳତାର ସହ ହେଡ୍ ଡାକିଥିଲେ। ଗିଲ୍ ନିଜ ନେତୃତ୍ବର ଅଷ୍ଟମ ମ୍ୟାଚ୍ରୁ ସପ୍ତମ ଟସ୍ ହାରିଥିଲେ। ସେହିଭଳି ଭାରତର ଏହା ଲଗାତାର ଅଷ୍ଟମ ଟେଷ୍ଟ୍ ଟସ୍ ପରାଜୟ ଥିଲା। ଯାହା ଇଂଲଣ୍ଡ ପରେ ଦ୍ବିତୀୟ ସର୍ବାଧିକ ଥିଲା। ଇଂଲଣ୍ଡ ୧୯୬୧-୧୯୭୩ ଭିତରେ ଲଗାତାର ୧୧ ଟେଷ୍ଟ୍ ମ୍ୟାଚ୍ରେ ଟସ୍ ହାରିଥିଲା। ଏହି ଆଲୋଡ଼ା ତାଲିକାରେ ଦକ୍ଷିଣ ଆଫ୍ରିକା (୭) ଦ୍ବିତୀୟ ସ୍ଥାନରେ ରହିଥିଲା। ୨୦୧୫ରୁ ୨୦୧୯ ଭିତରେ ଦକ୍ଷିଣ ଆଫ୍ରିକା ଲଗାତାର ୭ ଟେଷ୍ଟ୍ରେ ଟସ୍ ହାରିଥିଲା। ଇଡେନ୍ରେ ଟସ୍ ଜିତି ବଭୂମା ଏହି ଧାରାରେ ବ୍ରେକ୍ ଲଗାଇଥିଲେ। ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ୨୦୧୦ ମସିହା ପରେ ପ୍ରଥମ ଥର ଟସ୍ ଜିତିଥିଲା।
Follow Us