ବୁମ୍‌ରା ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି: ହାଡ୍‌ଲି

Advertisment
ବୁମ୍‌ରା ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି: ହାଡ୍‌ଲି

ମୁମ୍ବାଇ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରିଚାର୍ଡ ହାଡ୍‌ଲି ହେଉଛନ୍ତି ବିଶ୍ବ କ୍ରିକେଟର୍‌ ଅନ୍ୟତମ ପ୍ରତିଭାବାନ, ସଫଳ ତଥା ମହାନ ଅଲରାଉଣ୍ଡର। ଭାରତର ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ, ପାକିସ୍ତାନକୁ ପ୍ରଥମ ଓ ଏକମାତ୍ର ବିଶ୍ବକପ୍ ଉପହାର ଦେଇଥିବା ଇମ୍ରାନ ଖାନ୍ ଓ ଇଂଲଣ୍ଡର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଇଆନ୍ ବୋଥାମଙ୍କ ସହ ତାଙ୍କୁ ସତୁରୀ ଓ ଅଶି ଦଶକର ‘ଫାଭ୍ ଫୋର୍’ କୁହାଯାଉଥିଲା। ୬୯ ବର୍ଷୀୟ ହାଡ୍‌ଲି ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ୪୦୦ ୱିକେଟ୍ ପୂରଣ କରିବାରେ ପ୍ରଥମ ଦ୍ରୁତ ବୋଲର ଥିଲେ। ଏହି ମହାନ ଖେଳାଳିଙ୍କ ନଜର ଏବେ ଇଂଲଣ୍ଡର ସାଉଥମ୍ପଟନଠାରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଉପରେ ରହିଛି। ନିଜ ଦେଶ ନ୍ୟୁଜିଲାଣ୍ଡ ଏବଂ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ଭାରତ ମଧ୍ୟରେ ଜୁନ୍ ୧୮ ତାରିଖରୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେ।

ଏକ ସାକ୍ଷାତକାର ଅବସରରେ ଉଭୟ ଦଳର ବିଜୟ ସମ୍ଭାବନା ଏବଂ ଖେଳାଳିଙ୍କ ବ୍ୟକ୍ତିଗତ ଦକ୍ଷତା ଏବଂ ଲଢ଼େଇ ନେଇ ନିଜର ମନର କଥା ଖୋଲି କହିଥିଲେ ସେ। ‘‘ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ମାତ୍ର ଗୋଟିଏ ମ୍ୟାଚ୍‌ର କଥା। ହେଲେ ମୁଁ ସ୍ଥିର ନିଶ୍ଚିତ ଯେ ଉଭୟ ଦଳ ଏହାକୁ ହାଲ୍‌କା ଭାବେ ନେଉ ନଥିବେ। ଏହି ମ୍ୟାଚ୍‌ ନିରପେକ୍ଷ ସ୍ଥାନରେ ଖେଳାଯିବ, ସେଥିପାଇଁ କୌଣସି ଦଳକୁ ଘରୋଇ ଫାଇଦା ମିଳିବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇଟି ଯାକ ଦଳ ସ୍ଥିର ପ୍ରଦର୍ଶନ ଦେଇଥିବାରୁ ଫାଇନାଲ୍ ଖେଳିବାକୁ ହକଦାର ଥିଲେ। ଏବେ ସବୁକିଛି କେଉଁ ଦଳ ଅପେକ୍ଷାକୃତ ଭଲ ପ୍ରସ୍ତୁତି କରିଛି ଏବଂ ଇଂଲଣ୍ଡ ପାଗ ଓ ପରିବେଶକୁ କିଏ ଭଲ ଭାବରେ ଅପଣାଇ ପାରୁଛି, ତା ଉପରେ ନିର୍ଭରଶୀଳ ରହିବ। ପାଗ ମଧ୍ୟ ମ୍ୟାଚ୍ ଫଳାଫଳ ଉପରେ କିଛିଟା ପ୍ରଭାବ ପକାଇବ। ଥଣ୍ଡା ପରିବେଶ ରହିଲେ ନ୍ୟୁଜିଲାଣ୍ଡକୁ ଏହା ଅଧିକ ସୁହାଇବ। ଡ୍ୟୁକ୍ ବଲ୍ ଉଭୟ ଦଳର ଦ୍ରୁତ ବୋଲରଙ୍କୁ ଫାଇଦାରେ ରଖିବ, ବିଶେଷ କରି ସୁଇଂ ବୋଲର ଅଧିକ ପ୍ରଭାବଶାଳୀ ରହିବେ। ଏହି କ୍ଷେତ୍ରରେ ନ୍ୟୁଜିଲାଣ୍ଡ ପାଖରେ ଟିମ୍ ସାଉଦି ଓ କାଇଲ ଜାମିସନଙ୍କ ଭଳି ବୋଲର ଅଛନ୍ତି। ବଲ୍ ପିଚ୍‌ର ଉଭୟ ଦିଗକୁ ସିମ୍ କଲେ ବ୍ୟାଟ୍ସମ୍ୟାନ୍ କଠିନ ପରୀକ୍ଷାରେ ପଡ଼ିବେ। ଦୁଇଟି ଯାକ ଦଳରେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍ ଅଛନ୍ତି।

ଏଣୁ ଏହି ମୁକାବିଲା ମଜାଦାର ହେବ। ଏବେଠୁ କିଏ ବିଜେତା ହେବ, ସେ ଭବିଷ୍ୟବାଣୀ କରିବା ଅତ୍ୟନ୍ତ କଷ୍ଟକର’’ ବୋଲି ହାଡଲି କହିଥିଲେ। ସେ ମଧ୍ୟ ଏହି ଅବସରରେ ମାରାତ୍ମକ କର୍କଟ ରୋଗ ସହ ନିଜ ସଂଘର୍ଷ କାହାଣୀକୁ ବଖାଣିଥିଲେ। ଷ୍ଟେଜ୍ ଫୋର କର୍କଟ ରୋଗରୁ ମୁକୁଳିବା ନେଇ ଖୁସି ଜାହିର କରିବା ସହ ଏବେ ତାଙ୍କୁ ପ୍ରତି ୩ ମାସରେ ଚେକଅପ୍ କରିବାକୁ ପଡ଼ୁଛି ବୋଲି ମତ ଦେଇଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ରିକେଟ୍‌କୁ ପାଗଳ ଭଳି ଭଲ ପାଇବା ଗୁଣକୁ ପ୍ରଶଂସା କରିବା ସହ ନିଜ ଦେଶର ଅଧିନାୟକ କେନ୍ ୱଲିୟମସନ୍‌ଙ୍କୁ ଜଣେ ଶାନ୍ତ ହେଲେ ସଚ୍ଚା ଯୋଦ୍ଧା ଭାବେ ବର୍ଣ୍ଣନା କରିଥିଲେ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଭାରତର ପ୍ରମୁଖ ଅସ୍ତ୍ର ତଥା ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରାଙ୍କ ବୋଲିଂକୁ ଆକଳନ କରି ସେ କହିଥିଲେ ଯେ ସତ କହିବାକୁ ଗଲେ ବୁମ୍‌ରାଙ୍କ ଶୈଳୀ ଅଣପାରମ୍ପରିକ ଏବଂ ପ୍ରକୃତିର ନିୟମ ବିପରୀତ। ହେଲେ ସେ ନିଜକୁ ବହୁବାର ପ୍ରମାଣିତ କରି ସାରିଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚାପରେ ପକାଇବାର ସବୁ ଦକ୍ଷତା ଓ କୌଶଳ ତାଙ୍କ ପାଖରେ ରହିଛି। ଭାରତରୁ ମିଳୁଥିବା ରାଜସ୍ବ ବିନା ଅନ୍ତର୍ଜାତୀୟ କ୍ରିକେଟ୍ ତିଷ୍ଠିବା କଷ୍ଟକର ବୋଲି ସ୍ବୀକାର କରି ଏହି କିବଂଦନ୍ତି କ୍ରିକେଟର୍‌ ଟେଷ୍ଟ୍ କ୍ରିକେଟ୍ ପ୍ରତି ଟିମ୍ ଇଣ୍ଡିଆ କରିଥିବା ଅବଦାନ ଲାଗି ସଲାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe