ବଟଲର, ମୋର୍ଗାନ ଇସିବି ତଦନ୍ତ ପରିସରଭୁକ୍ତ: ଭାରତୀୟଙ୍କୁ ଉପହାସ କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ

Advertisment

ଇଂଲଣ୍ଡ ଖେଳାଳିଙ୍କ ହୀନ ଭାବନାର ମୁଖା ଖୋଲିଲା, ରବିନସନ୍‌ଙ୍କ ଭଳି କାର୍ଯ୍ୟାନୁଷ୍ଠାନ ହେବା ଆଶଙ୍କା

ଇଂଲଣ୍ଡ ଖେଳାଳିଙ୍କ ହୀନ ଭାବନାର ମୁଖା ଖୋଲିଲା, ରବିନସନ୍‌ଙ୍କ ଭଳି କାର୍ଯ୍ୟାନୁଷ୍ଠାନ ହେବା ଆଶଙ୍କା

ବଟଲର, ମୋର୍ଗାନ ଇସିବି ତଦନ୍ତ ପରିସରଭୁକ୍ତ: ଭାରତୀୟଙ୍କୁ ଉପହାସ କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ

ଲଣ୍ଡନ: ଅତୀତରେ କରିଥିବା କିଛି ବିବାଦୀୟ ଟ୍ବିଟ୍ ଏବଂ ଭାରତୀୟଙ୍କୁ ଉପହାସ କରି ସାମାଜିକ ଗଣମାଧ୍ୟମରେ ଲେଖିଥିବା ବିତର୍କିତ ଲେଖା ପ୍ରଘଟ ହେବା ପରେ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ଘୋର ଅଡ଼ୁଆରେ ପଡ଼ିଛନ୍ତି। ଯୁବ ଦ୍ରୁତ ବୋଲର ଓଲି ରବିନସନ୍‌ଙ୍କ ଭଳି ଇଂଲଣ୍ଡ ଏବଂ ‌ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଦୁଇ ଜଣଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ତା’ ସହ ଏହି ମାମଲାରେ ପ୍ରାସଙ୍ଗିକ, ଯୁକ୍ତିସଂଗତ ଓ ଉପଯୁକ୍ତ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି। ଅଭିଯୋଗ ଆସିଥିବା ପ୍ରତ୍ୟେକ ଖେଳାଳିଙ୍କ ମାମଲାକୁ ବ୍ୟକ୍ତିଗତ ଭିତ୍ତିରେ ବିଚାରକୁ ନିଆଯିବ ବୋଲି ଇସିବି କହିଛି। ମୋର୍ଗାନ ଓ ବଟଲର ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟଙ୍କୁ ‘ସାର୍’ ଉଚ୍ଚାରଣ କରି ଉପହାସ କରୁଥିବାର ଲେଖା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ୨୦୧୨-୧୩ ମସିହାରେ କରିଥିବା କିଛି ରଙ୍ଗଭେଦ ଓ ବର୍ଣ୍ଣବୈଷମ୍ୟ ଟ୍ବିଟ୍ ପାଇଁ ରବିନସନଙ୍କୁ ଇସିବି ତାଙ୍କ ପଦାର୍ପଣ ଟେଷ୍ଟ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ନିଲମ୍ବିତ କରିବା ପରେ ବଟଲର ଓ ମୋର୍ଗାନଙ୍କ ପୋଷ୍ଟ ପଦାକୁ ଆସିଛି। ଏହା ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୂରି ବୁଲୁଛି। ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଥିବା ବଟଲରଙ୍କ ଏହି ଅତୀତ ଟ୍ବିଟ୍‌ର ସ୍କ୍ରିନସଟ୍‌ରେ ଲେଖାଅଛି ଯେ ମୁଁ ସବୁବେଳେ ସାର୍ ନମ୍ବର ଏକଙ୍କୁ ଉତ୍ତର ଦିଏ, ଆପଣ ଯେମିତି କରନ୍ତି। ବଟଲର କରିଥିବା ଅନ୍ୟ ଏକ ଟ୍ବିଟ୍ ଯାହାକୁ ମୋର୍ଗାନ ଲାଇକ୍ କରିଛନ୍ତି।

ସେଥିରେ ଲେଖାଅଛି ଯେ ‘ସାର୍’ ଆପଣ ମୋ ପସନ୍ଦର ବ୍ୟାଟ୍ସମ୍ୟାନ୍। ଉଭୟ ବଟଲର ଓ ମୋର୍ଗାନ ଆଇପିଏଲ୍ ‌ଖେଳନ୍ତି। ରାଜସ୍ଥାନ ରୟାଲ୍ସରେ ବଟଲର ଏବଂ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ମୋର୍ଗାନ ଖେଳନ୍ତି। ଏଭଳି ସ୍ଥିତିରେ ଭାରତୀୟଙ୍କୁ ଅତୀତରେ କରିଥିବା ଉପହାସ ଏମାନଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଅପମାନଜନକ ଟ୍ବିଟ୍‌ଗୁଡ଼ିକ ବିଷୟରେ ଗତ ସପ୍ତାହରେ ହିଁ ସୂଚନା ପାଇସାରିଛି। ଅନ୍ୟ କେତେକ ଇଂଲଣ୍ଡ ଖେଳାଳିଙ୍କ ଅତୀତ ଟ୍ବିଟ୍ ମଧ୍ୟ ଇସିବି ନଜରରେ ରହିଛି। ଦୋଷୀ ଥିଲେ ନିଶ୍ଚିତ ଦଣ୍ଡିତ ହେବେ ବୋଲି ଇସିବି ପୂର୍ବରୁ ସ୍ପଷ୍ଟ କରି ସାରିଛି। ‘‘କ୍ରୀଡ଼ାରେ ବାଛବିଚାର, ହୀନମନ୍ୟତା, ଭେଦଭାବର କୌଣସି ସ୍ଥାନ ନାହିଁ, ଆମେ ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ’’ ବୋଲି ଇସିବି ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ସେହିଭଳି ୨୦୧୦ ମସିହାରେ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ କରିଥିବା କିଛି ଭେଦଭାବଭରା ଟ୍ବିଟ୍ ବି ପଦାକୁ ଆସିଛି। ଆଣ୍ଡରସନ୍ ଏଥିନେଇ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ୧୦-୧୨ ବର୍ଷ ତଳର କଥା। ଜଣେ ବ୍ୟକ୍ତି ଭାବେ ମୁଁ ଏବେ ବଦଳିଯାଇଛି। ମୋ ମତରେ ଏହା ହିଁ ସବୁଠାରୁ କଷ୍ଟକର କଥା, କଥା ବଦଳିଥାଏ ଏବଂ ଆପଣ କେବେ ନା କେବେ କିଛି ନା କିଛି ଭୁଲ କରିଥା’ନ୍ତି। ସୂଚନାଯୋଗ୍ୟ ଯେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଖେଳିଲେ ଆଣ୍ଡରସନ୍ ଇଂଲଣ୍ଡର ସର୍ବାଧିକ ସଂଖ୍ୟକ ଟେଷ୍ଟ୍ ଖେଳିଥିବା ଖେଳାଳି ହେବାର ଗୌରବ ଅର୍ଜନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe