ଟୋକିଓ: ଆମେରିକାର କାଇଲେବ୍ ଡ୍ରେସେଲ ଶନିବାର ପୁରୁଷ ୧୦୦ ମିଟର ବଟରଫ୍ଲାଇ ସ୍ବର୍ଣ୍ଣ ପଦକ ଜିତିବା ସହି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଟୋକିଓ ଆକ୍ବାଟିକ୍ ସେଣ୍ଟରରେ ଶନିବାର ଫାଇନାଲ୍ରେ ଡ୍ରେସେଲ ୪୯.୪୫ ଟାଇମିଂ ସହ ନୂଆ ବିଶ୍ବ କୀର୍ତ୍ତିମାନ ରଚିଥିଲେ। ନିଜ ନାମରେ ଥିବା ପୂର୍ବ ବିଶ୍ବ କୀର୍ତ୍ତିମାନକୁ ସେ ମାତ୍ର ୦.୦୫ ସେକେଣ୍ଡ୍ରେ ପଛରେ ପକାଇଥିଲେ। ଏଥିସହ ଚଳିତ ଅଲିମ୍ପିକ୍ସରେ ସେ ବ୍ୟକ୍ତିଗତ ଦ୍ବିତୀୟ ଏବଂ ମୋଟ ଉପରେ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ବିଶ୍ବ ବିଜୟିନୀ ଡ୍ରେସେଲ ୨୦୦ ମିଟର ବଟରଫ୍ଲାଇ ସ୍ବର୍ଣ୍ଣ ବିଜେତା ହଙ୍ଗେରିର କ୍ରିଷ୍ଟୋଫ୍ ମିଲକଙ୍କୁ ୦.୨୩ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ଏହା ପୂର୍ବରୁ ସେ ୧୦୦ ମିଟର ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ମଧ୍ୟ ଜିତିଥିଲେ। ସେହିପରି ଏହି ଶକ୍ତିଶାଳୀ ଆମେରିକୀୟ ମଧ୍ୟ ୪ ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରିଓ ଅଲିମ୍ପିକ୍ସର କୌଣସି ପଦକ ବିଜେତା ୧୦୦ ମିଟର୍ ବଟରଫ୍ଲାଏ ଇଭେଣ୍ଟ ଫାଇନାଲକୁ ଆସି ପାରିନଥିଲେ। ଏଥି ସହ ଡ୍ରେସେଲ୍ ୧୦୦ ମିଟର୍ ବଟରଫ୍ଲାଏରେ ନୂଆ ଅଲିମ୍ପିକ୍ସ ବିଜେତା ହୋଇଛନ୍ତି। ଆରଓସିର ଆନ୍ଦ୍ରେଇ ମିନାକୋଭ୍ (୫୦.୮୮)ଙ୍କୁ ପଛରେ ପକାଇ ସ୍ବିଜରଲାଣ୍ଡ୍ର ନୋଏ ପଣ୍ଟି (୫୦.୭୪) କାଂସ୍ୟ ପଦକ ପାଇଥିଲେ।
ଡ୍ରେସେଲଙ୍କ ବ୍ୟତୀତ କାଟି ଲେଡେକି ମଧ୍ୟ ଆମେରିକା ପଦକ ଖାତାରେ ଆଉ ଏକ ସ୍ବର୍ଣ୍ଣ ପଦକ ଯୋଡ଼ିଛନ୍ତି। ସେ ୮୦୦ ମିଟର ଫ୍ରିଷ୍ଟାଇଲ ଜିତି ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ହାସଲ କରିଛନ୍ତି। ଏହା ପୂର୍ବରୁ ଲେଡେକି ୧୫୦୦ ମିଟର ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ କବ୍ଜା କରିଥିଲେ। ଲେଡେକିଙ୍କ କ୍ୟାରିୟରର ଏହା ଷଷ୍ଠ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ। ଏକ୍ଷେତ୍ରରେ ସେ ହଙ୍ଗେରିର କ୍ରିଷ୍ଟିନା ଏଗରଜେଗୀ (୫ ସ୍ବର୍ଣ୍ଣ)ଙ୍କ କୀର୍ତ୍ତିମାନକୁ ପଛରେ ପକାଇଦେଇଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର କେଲି ମ୍ୟାକ୍କିଓନ୍ ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ସ୍ବର୍ଣ୍ଣ ଜିତି ନେଇଛନ୍ତି। ଫାଇନାଲ୍ ଲ୍ୟାପ୍ରେ ସେ କାନାଡାର କାଇଲି ମାସେଙ୍କୁ ପଛରେ ପକାଇ ଦେଇଥିଲେ। ମ୍ୟାକ୍କିଓନ ୨:୦୪.୬୮ ଟାଇମିଂ ସହ ରେସ୍ ଜିତି ନେଇଥିଲା ବେଳେ ୦.୭୪ ଟାଇମିଂ ବ୍ୟବଧାନରେ ମାସେଙ୍କୁ ପରାସ୍ତ କରିଥିଲେ। ଏହା ମଧ୍ୟ ଟୋକିଓ ସନ୍ତରଣ ପୁଲ୍ରେ ଅଷ୍ଟ୍ରେଲିଆର ସପ୍ତମ ସ୍ବର୍ଣ୍ଣ ପଦକ ଥିଲା। ଏପରିକି ଦେଶର ୭ ସ୍ବର୍ଣ୍ଣ ମଧ୍ୟରେ ମହିଳାମାନେ କେବଳ ୬ ସ୍ବର୍ଣ୍ଣ ଜିତି ସାରିଲେଣି। ମ୍ୟାକ୍କିଓନ୍ଙ୍କ ଦଳୀୟ ସାଥୀ ଏମିଲି ସିବୋମ୍ ଏହି ବର୍ଗରେ ଅଷ୍ଟ୍ରେଲିଆ ପାଇଁ କାଂସ୍ୟ ପଦକ ଜିତିଥିଲେ।
Follow Us