ଖ୍ରିଷ୍ଟଚର୍ଚ୍ଚ: ଦୀର୍ଘ ଦିନ ପରେ ପରସ୍ପରକୁ ଭେଟିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର୍ ମହମ୍ମଦ କୈଫ ଏବଂ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଜନ୍ ରାଇଟ୍। ବୁଧବାରର ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ଖେଳାଯିବା ପୂର୍ବରୁ ଖ୍ରିଷ୍ଟଚର୍ଚ୍ଚରେ ଏହି ମହାମିଳନ ଦେଖିବାକୁ ମିଳିଛି। ଏହି ଅବସରରେ ରାଇଟ୍ଙ୍କୁ ମଧ୍ୟ ଭାରତୀୟ ଦଳ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ, ଭାଷ୍ୟକାର ଭୂମିକାରେ ଥିବା ଜାହିର୍ ଖାନ୍, ସାଇରାଜ ବାହୁତୁଲେ ଭେଟି ଫଟୋ ଉଠାଇଥିଲେ। କୈଫ କିନ୍ତୁ ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଫଟୋ ଛାଡ଼ି ଲେଖିଛନ୍ତି, ‘ଦେଖନ୍ତୁ ନ୍ୟୁଜିଲାଣ୍ଡରେ ଆମେ କାହାକୁ ଭେଟିଲୁ। ଜଣେ ଭଦ୍ର, ବିଜ୍ଞ ଓ ନମ୍ର ବ୍ୟକ୍ତି ଜନ୍ ରାଇଟ୍। ପୁରୁଣା ଦିନକୁ ମନେ ପକାଇଲୁ। ପରସ୍ପରର ପରିବାର ସଂପର୍କରେ ବୁଝିଲୁ ଏବଂ ନିଜ ନିଜ ମଧ୍ୟରେ ମଜା ବି କଲୁ। କୋଚ୍ ଚଳାଉଥିବା ୨୦ ବର୍ଷର ପୁରୁଣା କାର୍କୁ ବିକି ଦେବାର ବେଳ ହୋଇଗଲାଣି ବୋଲି ବି ମତ ରଖିଲୁ’। କୈଫଙ୍କ ଏହି ଟ୍ବିଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି।
ପ୍ରଶଂସକଙ୍କୁ ବି ପସନ୍ଦ ଲାଗିଛି। କୈଫଙ୍କ ଖେଳ ଜୀବନକୁ ଗଢ଼ିବାରେ ରାଇଟ୍ଙ୍କ ଭୂମିକା ଥିବା କଥା ମଧ୍ୟ ପ୍ରଶଂସକମାନେ ମନେ ପକାଇ ଦେଇଛନ୍ତି। ଭାରତୀୟ କ୍ରିକେଟ୍କୁ ମଧ୍ୟ ଏକ ଦୁର୍ଦ୍ଦର୍ଷ ଦଳ ଭାବେ ପ୍ରତିଷ୍ଠିତ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ବିଦେଶ ମାଟିରେ ବିଜୟର ପର୍ବ ତାଙ୍କ ସମୟରୁ ଆରମ୍ଭ ହୋଇଥିଲା। ଗାଙ୍ଗୁଲି-ରାଇଟ୍ ସମୟରେ ଯୁବରାଜ ସିଂହ, ମହମ୍ମଦ କୈଫ, ଜାହିର୍ ଖାନ୍ଙ୍କୁ ନିରଂତର ସମର୍ଥନ କାରଣରୁ ଭାରତର ଅନେକ ପ୍ରମୁଖ ବିଜୟରେ ଏମାନେ ଅଂଶୀଦାର ଥିଲେ।
ହୀରା ସନ୍ଧାନରେ ସୁନା ହଜୁଛି
ଏକଦଶନ୍ଧୀରୁ ଅଧିକ ସମୟ ହେଲାଣି ଭାରତ ଆଇସିସି ବିଶ୍ବକପ୍ ଜିତିପାରିନାହିଁ। ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍ ଟ୍ରଫି ଜିତିଥିଲା। ସଦ୍ୟ ସମାପ୍ତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ସେମିଫାଇନାଲ୍ରେ ଇଂଲଣ୍ଡ ନିକଟରୁ ହାରି ବିଦାୟ ନେଇଥିଲା। ପୁଣି ଥରେ ବିଶ୍ବକପ୍ ଜିତିବା ଲାଗି ଭାରତ ପାଇଁ ୧୨ ମାସ ଭିତରେ ସୁଯୋଗ ରହିବ। କାରଣ ଭାରତ ଆସନ୍ତାବର୍ଷ ଦିନିକିଆ ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି। ଏହା ପୂର୍ବରୁ ଭାରତ ମାତ୍ର ୨୫ଟି ଦିନିକିଆ ଖେଳି ପ୍ରସ୍ତୁତ ହେବ। ଏହା ମଧ୍ୟରୁ ଚଳିତ ନ୍ୟୁଜିଲାଣ୍ଡ୍ ଗସ୍ତରେ ୨ଟି ମ୍ୟାଚ୍ ଅତିକ୍ରାନ୍ତ ହୋଇସାରିଛି। ଭାରତର ଦିନିକିଆ ବିଶ୍ବକପ୍ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଯିବା ଉଚିତ୍ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ।
‘ଇଂଲଣ୍ଡ ଏବେ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ହୋଇଛି। ଏହି ଦଳର ହାରାହାରି ବୟସ ୩୧ ବର୍ଷ। ଅର୍ଥାତ୍ ଅଭିଜ୍ଞତା ଭଲ କାର୍ଯ୍ୟ କରୁଛି। ଭାରତ ପାଇଁ ବୋଲିଂ ମୁଖ୍ୟ ସମସ୍ୟା’ ବୋଲି କୈଫ ପ୍ରକାଶ କରିଛନ୍ତି। ଭୁବନେଶ୍ବର କୁମାରଙ୍କ ଉଦାହରଣ ଦେଇ କୈଫ କହିଛନ୍ତି, ସେ କାହିଁକି ଏବେ ଦଳରେ ନାହାନ୍ତି ମୁଁ ବୁଝିପାରୁନାହିଁ। ଦ୍ବିତୀୟ ଦିନିକିଆରେ ଶାର୍ଦୁଳ ଠାକୁର ଖେଳିନଥିଲେ। ମହମ୍ମଦ ସିରାଜଙ୍କୁ ଘରକୁ ପଠାଇ ଦିଆଯାଇଛି। ସେ ମଧ୍ୟ ଦିନିକିଆରେ ଖେଳିପାରିଥା’ନ୍ତେ। ଆମ ପାଖରେ ଆଉ ପରୀକ୍ଷା ନିରୀକ୍ଷା କରିବାର ସମୟ ନାହିଁ। ନୂଆ ଖେଳାଳିଙ୍କୁ ସନ୍ଧାନ କରିବାକୁ ଯାଇ ପୁରୁଣାଙ୍କୁ ହରାଇ ଦେଉଛେ। ଏହା ଠିକ୍ ହୀରା ସନ୍ଧାନରେ ଯାଇ ସୁନା ହଜାଇବା ଭଳି ବୋଲି କୈଫ କହିଛନ୍ତି। ଉମ୍ରାନ ମଲ୍ଲିକଙ୍କ ପେସ୍ ବିଶ୍ବକପ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ମଧ୍ୟ ସେ ମତ ରଖିଛନ୍ତି।
Follow Us