କାନାଡ଼ା-ଦକ୍ଷିଣ ଆଫ୍ରିକା ପଏଣ୍ଟ୍‌ ବା‌ଣ୍ଟିଲେ

Advertisment
କାନାଡ଼ା-ଦକ୍ଷିଣ ଆଫ୍ରିକା ପଏଣ୍ଟ୍‌ ବା‌ଣ୍ଟିଲେ

ଭୁବନେଶ୍ବର: ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ପୁଲ୍‌ 'ସି' ଦ୍ବିତୀୟ ରାଉଣ୍ଡରେ ରବିବାର ଦକ୍ଷିଣ ଆଫ୍ରିକା ଏବଂ କାନାଡ଼ା ୧-୧ ଗୋଲ୍‌ରେ ମ୍ୟାଚ୍ ଅମୀମାଂସିତ ରଖି ୧ ପଏଣ୍ଟ ଲେଖାଏଁରୁ ଖାତା ଖୋଲିଛନ୍ତି। ଏହି ଫଳାଫଳ ମଧ୍ୟ ଭାରତ ସମ୍ପୃକ୍ତ ଥିବା ପୁଲ 'ସି'କୁ ଖୋଲା କରିଦେବାର ସମ୍ଭାବନା ଆଣିଛି। ନିଜ ନିଜର ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୦-୫ରେ ଭାରତଠାରୁ ଏବଂ କାନାଡ଼ା ୧-୨ରେ ବେଲଜିୟମଠାରୁ ହାରିଥିଲା। ଅତ୍ୟନ୍ତ ମାନ୍ଦା ଓ ଚମକହୀନ ହୋଇଥିବା ଏହି ମ୍ୟାଚ୍ କିନ୍ତୁ ଉଭୟ ଦଳର ରଣକୌଶଳ ଅନୁସାରେ ଥିଲା। ନିଜ ନିଜ ପ୍ରଥମ ମ୍ୟାଚ୍ ହାରିଯାଇଥିବାରୁ ଆଗୁଆ ବିଦା ହେବା ଆଶଙ୍କାରେ ପଡ଼ିବା ପୂର୍ବରୁ ରକ୍ଷଣାତ୍ମକ ଖେଳିଥିଲେ। publive-image

ଫଳତଃ ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିଥିଲା। ପ୍ରଥମ କ୍ବାର୍ଟର ଶେଷ ମିନିଟ୍‌ରେ ଦକ୍ଷିଣ ଆଫ୍ରିକା ଲଗାତାର ୨ଟି ପେନାଲଟି କର୍ନର ଅର୍ଜନ କରିଥିଲେ ମଧ୍ୟ ନିଷ୍ଫଳ ରହିଥିଲା। ଦ୍ବିତୀୟ ପ୍ରୟାସକୁ ବକ୍ସ ଉପରେ ମାରି ପ୍ରଶଂସକଙ୍କୁ ନିରାଶ କରିଥିଲେ। ଅନ୍ୟପକ୍ଷରେ କାନାଡ଼ା ମଧ୍ୟ ନିଜର ପ୍ରଥମ ପେନାଲ୍‌ଟି କର୍ନରକୁ ଠିକଣା ଉପଯୋଗ କରି ପାରିନଥିଲା। ପ୍ରଥମାର୍ଧ ଗୋଲ୍‌ଶୂନ୍ୟ ରହିବା ପରେ ପାର୍ଶ୍ବ ପରିବର୍ତନରେ ମ୍ୟାଚ୍‌ ଅଧିକ ରୋମାଞ୍ଚକର ହୋଇଥିଲା। ଆକ୍ରମଣାତ୍ମକ ହକି ଦେଖିବାକୁ ମିଳିଥିଲା ଉଭୟ ଦଳରୁ। ୩୮ତମ ମିନିଟରେ ମଧ୍ୟ ଦକ୍ଷିଣ ଆଫ୍ରିକା ପୁଣି ଥରେ ଲଗାତାର ପେନାଲଟି କର୍ନର ଅର୍ଜନ କରିଥିଲା। ଚତୁର୍ଥଟିକୁ କିନ୍ତୁ ପ୍ରତିପକ୍ଷ ଗୋଲ୍‌ରକ୍ଷକ ଡେଭିଡ୍ କାର୍ଟର ପ୍ୟାଡ୍‌ରେ ନିଷ୍ଫଳ କରି ଦେଇଥିଲେ। ୪୩ତମ ମିନିଟରେ ଡାହାଣପଟୁ ଡ୍ରିବଲ୍‌ କରି ଆସିଥିବା ଏନକୋବାଇଲ୍ ଏନଟୁଲି ଏକ ଚମତ୍କାର ଫିଲଡ୍ ଗୋଲ୍‌ ଦେଇ ଦକ୍ଷିଣ ଆଫ୍ରିକାକୁ ୧-୦ରେ ଆଗୁଆ କରି ଦେଇଥିଲେ। କିନ୍ତୁ ଚଳିତ ବିଶ୍ବକପ୍‌ର ପ୍ରଥମ ପେନାଲ୍‌ଟି ଷ୍ଟ୍ରୋକ୍ ଦକ୍ଷିଣ ଆଫ୍ରିକାକୁ ପୂରା ପଏଣ୍ଟରୁ ବଞ୍ଚିତ ରଖିଥିଲା। ଏକ ପେନାଲଟି କର୍ନର ବେଳେ ଗୋଲ୍‌ ମୁହଁରେ ଜଣେ ଦକ୍ଷିଣ ଆଫ୍ରିକା ଡିଫେଣ୍ଡର ପ୍ରତିବଂଧକ ଆଣିବାରୁ ପେନାଲଟି ଷ୍ଟ୍ରୋକ୍ ସଙ୍କେତ ଦେଇଥିଲେ ଅମ୍ପାୟାର। ଯାହାକୁ ୪୫ତମ ମିନିଟରେ ଅଧିନାୟକ ସ୍କଟ୍ ଟୁପର ଗୋଲ୍‌ରେ ପରିଣତ କରିବାରେ କୌଣସି ଭୁଲ କରିନଥିଲେ। ଏଥି ସହିତ ଉଭୟ ଉତ୍ତର ଆମେରିକୀୟ ଦେଶ କାନାଡ଼ା ଏବଂ ଆଫ୍ରିକୀୟ ବିଜେତା ଦକ୍ଷିଣ ଆଫ୍ରିକା ୧ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଛନ୍ତି। ମ୍ୟାଚ୍ ଆରମ୍ଭରେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା ଅତିଥି ଥିଲେ। ମ୍ୟାଚ୍ ଶେଷରେ କାନାଡ଼ାକୁ ଏକାଧିକ ଗୋଲ୍‌ରୁ ବଞ୍ଚାଇଥିବା ଗୋଲ୍‌ରକ୍ଷକ ‌ଡେଭିଡ୍ କାର୍ଟରଙ୍କୁ ସାଂସଦ ତଥାଗତ ସତପଥୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୁଲ୍ 'ସି'ର ପରବର୍ତୀ ମ୍ୟାଚ୍‌ରେ ଡିସେମ୍ବର ୮ (ଶନିବାର) କାନାଡ଼ା-ଭାରତ ଏବଂ ଦକ୍ଷିଣ ଆଫ୍ରିକା-ବେଲଜିୟମ୍ ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe