Cricket bat and ball on green grass of cricket pitch
କେପଟାଉନ୍, : କେପଟାଉନ ଟେଷ୍ଟରେ ଅଣଦେଖା ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ତିନି ତାରକା ଲୋକେଶ ରାହୁଲ, ଅଜିଙ୍କ୍ୟ ରାହାଣେ ଓ ଈଶାନ୍ତ ଶର୍ମା ଆସନ୍ତା ୧୩ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ସହ ସଂରକ୍ଷିତ ଓ୍ଵିକେଟ୍ ରକ୍ଷକ ପାର୍ଥିବ ପଟେଲ ମଧ୍ୟ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଆୟୋଜିତ ସ୍ୱେଚ୍ଛାକୃତ ଅଭ୍ୟାସ ଅଧିବେସନରେ ଯୋଗ ଦେଇଥିଲେ। ସହକାରୀ ପ୍ରଶିକ୍ଷକ ସଂଜୟ ବାଙ୍ଗର ଏବଂ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ସେମାନଙ୍କୁ ଏଥିରେ ସହଯୋଗ କରିଥିଲେ। ସମସ୍ତେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ରାହୁଲ ଏବଂ ରାହାଣେ ଅଲଗା ଅଲଗା ଦୁଇଟି ନେଟ୍ସରେ ଅଭ୍ୟାସ କରିଥିଲେ। କିଛି ସମୟ ପରେ ପିଚ୍ ଅଦଳ ବଦଳ ବି କରି ନେଇଥିଲେ।
ଏମାନଙ୍କ ଅଭ୍ୟାସ ଦେଖି ସେଞ୍ଚୁରିଅନରେ ଦୁଇ ଜଣ ଯାକ ଖେଳିବାର ଅଭାସ ଜାଗ୍ରତ ହୋଇଥିଲା। ଯସପ୍ରୀତ ବୁମରାଙ୍କ ସ୍ଥାନରେ ଈଶାନ୍ତ ଶର୍ମା ସୁଯୋଗ ପାଇବାର ସଂକେତ ବି ମିଳିଛି। ସେପଟେ ଦକ୍ଷିଣ ଆଫ୍ରିକା ମୁଖ୍ୟ ପ୍ରଶିକ୍ଷକ ଓଟିସ୍ ଗିବସନ୍ ବିରାଟ ବାହିନୀକୁ ପୁଣି ଥରେ ଚେତାବନୀ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତକୁ ଦ୍ରୁତ ବୋଲିଂରେ ଘାଇଲା କରିବୁ ବୋଲି ସେ ମଙ୍ଗଳବାର କହିଛନ୍ତି। ପ୍ରଥମ ଟେଷ୍ଟରେ ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ବିଫଳ ହେବା ପରେ ଭାରତୀୟ ପ୍ରଶିକ୍ଷକ ସେମାନଙ୍କ ବିକଳ୍ପ ଭାବେ ରାହୁଲ ଏବଂ ରାହାଣେଙ୍କୁ ଦେଖୁଥିବା ଜଣା ପଡ଼ିଛି।
Follow Us