ପେଲେଙ୍କ ପାଇଁ ଯୁଦ୍ଧବିରତି!

Advertisment
ପେଲେଙ୍କ ପାଇଁ ଯୁଦ୍ଧବିରତି!

ମହାନ୍‌ ବ୍ୟକ୍ତିମାନେ ସର୍ବଦା କୌଣସି ମହତ୍‌ କାର୍ଯ୍ୟ ପାଇଁ ସ୍ମରଣୀୟ ହୋଇ ରହିଥା’ନ୍ତି। ତେବେ ମହାନ୍‌ ଫୁଟ୍‌ବଲ୍‌ ଖେଳାଳି ପେଲେଙ୍କ କ୍ରୀଡ଼ାନୈପୁଣ୍ୟ ଦେଖିବାକୁ ଏକଦା ନାଇଜେରିଆରେ ଗୃହଯୁଦ୍ଧ ଅଟକିଯିବା ଭଳି ଅବିଶ୍ବସନୀୟ ଘଟଣା ତାଙ୍କର ବିରଳ ମହାନତାକୁ ପ୍ରମାଣିତ କରିଛି। ୧୯୬୭ ମସିହାର ଘଟଣା। ନାଇଜେରିଆର ଦକ୍ଷିଣ ପୂର୍ବ ଉପକୂଳସ୍ଥିତ ବାଇଫ୍ରା ପ୍ରଦେଶର ଲୋକେ ସରକାରଙ୍କ ଶାସନରେ ଅତିଷ୍ଠ ହୋଇପଡ଼ିଥିଲେ। ସେମାନଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣି ସେମାନେ ସରକାରଙ୍କ ବିରୋଧରେ ଗୃହଯୁଦ୍ଧ ଚଳାଇଥିଲେ। ନାଇଜେରିଆ ସେନା ଓ ବିଦ୍ରୋହୀ ବାଇଫ୍ରୀୟଙ୍କ ମଧ୍ୟରେ ଦୀର୍ଘ ତିନି ବର୍ଷ ଧରି ରକ୍ତାକ୍ତ ସଂଘର୍ଷ ଲାଗି ରହିଥିଲା। ସେତେବେଳକୁ ପ୍ରଖ୍ୟାତ ଫୁଟ୍‌ବଲ୍‌ ତାରକା ଏଡସନ୍‌ ଆରେଣ୍ଟ୍‌ସ ଡୋ ନିସିମେଣ୍ଟୋ ଓରଫ ପେଲେଙ୍କ ନେତୃତ୍ବରେ ବ୍ରାଜିଲ୍‌ ଦୁଇ ଦୁଇ ଥର ଫୁଟ୍‌ବଲ୍‌ ବିଶ୍ବକପ୍‌ ଜିତି ସାରିଥିଲା। ଫଳରେ ପେଲେଙ୍କ ବିଶ୍ବସ୍ତରୀୟ ଲୋକପ୍ରିୟତା ଆକାଶଛୁଆଁ ରହିଥିଲା। ପେଲେଙ୍କୁ ଧରି ତାଙ୍କ ଦଳ ସାଣ୍ଟୋସ କ୍ଲବ୍‌ ବିଶ୍ବ ପରିଭ୍ରମଣରେ ବାହାରିଥିଲା।

ନାଇଜେରିଆର ଜାତୀୟ ଦଳ ‘ଗ୍ରିନ୍‌ ଇଗଲ୍‌ସ’ ସହ ସାଣ୍ଟୋସ୍‌ ଦଳ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଲାଗି ୧୯୬୭ ଜାନୁଆରି ୨୬ ତାରିଖରେ ନାଇଜେରିଆରେ ପହଞ୍ଚିଥିଲେ। ତେବେ ପେଲେଙ୍କ ଖେଳ ଦେଖିବା ଲାଗି ନାଇଜେରିଆର ଗୃହଯୁଦ୍ଧରେ ସାମିଲ ଥିବା ଦୁଇ ପକ୍ଷ ୪୮ ଘଣ୍ଟାର ଯୁଦ୍ଧ ବିରତି ଘୋଷଣା କରିଥିଲେ। ଏପରିକି ମ୍ୟାଚ୍‌ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅହିନକୁଳ ସମ୍ପର୍କ ଥିବା ଉଭୟ ଗୋଷ୍ଠୀର ଯୋଦ୍ଧାମାନେ ନିୟୋଜିତ ହୋଇଥିଲେ। ସାଣ୍ଟୋସ ଦଳ ଫେରିଗଲା ପରେ ନାଇଜେରିଆରେ ପୁଣି ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ୪୮ ଘଣ୍ଟା ପାଇଁ ହେଉ ପଛକେ, ପେଲେଙ୍କ ଉପସ୍ଥିତି ଯେଭଳି ବିଭିନ୍ନ ବର୍ଗ, ଗୋଷ୍ଠୀ ଓ ସମ୍ପ୍ରଦାୟ ମଧ୍ୟରେ ନାଇଜେରିଆରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିପାରିଥିଲା ତାହା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe