ଶତକୀୟ କୀର୍ତ୍ତିମାନ: ଗିଲ୍‌ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ, ତୃତୀୟ ମ୍ୟାଚ୍‌କୁ ୧୬୮ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌

Advertisment

ଭାରତର ସର୍ବବୃହତ୍‌ ବ୍ୟବଧାନ ବିଜୟ, ଭାରତ ୨-୧ରେ ଶୃଙ୍ଖଳା ଜିତିଲା

ଭାରତର ସର୍ବବୃହତ୍‌ ବ୍ୟବଧାନ ବିଜୟ, ଭାରତ ୨-୧ରେ ଶୃଙ୍ଖଳା ଜିତିଲା

ଶତକୀୟ କୀର୍ତ୍ତିମାନ: ଗିଲ୍‌ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ, ତୃତୀୟ ମ୍ୟାଚ୍‌କୁ ୧୬୮ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌

NDTV Sports

ଅହମଦାବାଦ: ଶୁବମନ ଗିଲ୍‌ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକ ସହ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର (୪-୦-୧୬-୪) ବଳରେ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡକୁ ୧୬୮ ରନ୍‌ରେ ପରାସ୍ତ କରି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି। ଏଥିସହିତ ଚଳିତ ବର୍ଷ ଭାରତ ଲଗାତାର ଦ୍ବିତୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ପାଇଛି। ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ସମାନ ୨-୧ ବ୍ୟବଧାନରେ ଶୃଙ୍ଖଳା କବ୍‌ଜା କରିଥିଲା। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୬୮ ରନ୍‌ରେ ଜିତି ଭାରତ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବବୃହତ୍‌ ବ୍ୟବଧାନ (ରନ୍‌ ଭିତ୍ତିରେ) ବିଜୟ ପାଇପାରିଛି। ଏଥିପୂର୍ବରୁ ୨୦୧୮ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୧୪୩ ରନ୍‌ରେ ମ୍ୟାଚ୍‌ ଜିତିଥିଲା। ମୋଟାମୋଟି ଭାବେ ସର୍ବବୃହତ୍‌ ରନ୍‌ ବ୍ୟବଧାନ ବିଜୟରେ ଶ୍ରୀଲଙ୍କା (୧୭୨ ରନ୍‌ ବନାମ କେନିୟା) ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଶୁବମନ୍‌ ଗିଲ୍‌ ମ୍ୟାଚ୍‌ର ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ତୃତୀୟ ମ୍ୟାଚ୍‌କୁ ୧୬୮ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ୍‌
ଭାରତର ସର୍ବବୃହତ୍‌ ବ୍ୟବଧାନ ବିଜୟ
ଭାରତ ୨-୧ରେ ଶୃଙ୍ଖଳା ଜିତିଲା
ଗିଲ୍‌ ମ୍ୟାଚ୍‌ର ଓ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ

ବୁଧବାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲେ ହେଁ ଦ୍ବିତୀୟ ଓଭରରେ ଇଶାନ କିଶନ ଆଉଟ୍‌ ହୋଇ ଘରୋଇ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ। ତେବେ ଶୁବମନଙ୍କ ସହ ରାହୁଲ ତ୍ରିପାଠୀ ଭାର ସମ୍ଭାଳି ନେଇଥିଲେ। ପାଖାପାଖି ୧୦.୦୦ ହାରରେ ରନ୍‌ ସଂଗ୍ରହ କରିବା ସହ ଉଭୟ ଦ୍ବିତୀୟ ୱିକେଟ୍‌ରେ ୮୦ ରନ୍‌ର ଭାଗୀଦାରି ଗଢ଼ି ଭାରତକୁ ଦୃଢ ସ୍ଥିତିରେ ରଖିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ୪ ଓଭର ପର୍ଯ୍ୟନ୍ତ ଶୁବମନ୍‌ଙ୍କ ସହ ଖେଳି ଦଳକୁ ଶହେ ପାର୍‌ କରାଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଥୀ କରି ଶୁବମନ ଚତୁର୍ଥ ୱିକେଟ୍‌ରେ ୧୦୩ ରନ୍‌‌ ଯୋଡ଼ିବା ସହ ଦ୍ରୁତ ରନ୍‌ ସଂଗ୍ରହ କରି ଦଳୀୟ ରନ୍‌କୁ ୨୩୦ ପାଖରେ ପହଞ୍ଚାଇଥିଲେ। ଫର୍ଗୁସନ୍‌ଙ୍କୁ ୱାଇଡ୍‌ ମିଡ୍‌ ଅଫ୍‌ ଅଞ୍ଚଳକୁ ଚୌକା ମାରି ଶତକ ହାସଲ କରିଥିବା ଶୁବମନ ଶେଷ ୫ ଓଭରରେ ହାର୍ଦ୍ଦିକ ଓ ହୁଦାଙ୍କୁ ସାଥୀ କରି ୭୮ ରନ୍‌ ସଂଗ୍ରହ କରିଥିଲେ। ତେବେ ଶେଷ ଓଭରରେ ପ୍ରଥମ ଥର ବୋଲିଂକୁ ଆସିଥିବା ଡାରେଲ୍‌ ମିଚେଲ୍‌ ସବୁଠୁ କଞ୍ଜୁସ ବୋଲିଂ କରିବା ସହ ବିନା କୌଣସି ବାଉଣ୍ଡରିରେ ମାତ୍ର ୬ ରନ୍‌ ବ୍ୟୟ କରିଥିଲେ। ସେ ମଧ୍ୟ ପାଣ୍ଡ୍ୟାଙ୍କୁ ଶିକାର କରିନେଇଥିଲେ।

ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ନିୟମିତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଅର୍ଶଦୀପ ଓ ପାଣ୍ଡ୍ୟା ପ୍ରଥମରୁ ୱିକେଟ୍‌ ପୋଛି ନେବା ସହ ପାୱାର ପ୍ଲେ ମଧ୍ୟରେ ୫ ୱିକେଟ୍‌ ଖସାଇ ଦେଇଥିଲେ। ତଥାପି ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଡାରିଲ୍‌ ମିଚେଲ୍‌ ସଂଘର୍ଷପୂର୍ଣ୍ଣ ପାଳି ଖେଳି ୩୫ ରନ୍‌ କରିବା ସହ ଶେଷ ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କ ସହ ଲଢିଥିଲେ। ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଇଥିଲେ। ଏଥିପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୨୦୨୨ରେ ୪/୩୩ ଓ ୨୦୧୮ରେ ୪/୩୮ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ଶତକୀୟ କୀର୍ତ୍ତିମାନ
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିବା ପରେ ଭାରତର ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍‌ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଫର୍ଗୁସନ୍‌ଙ୍କୁ ୱାଇଡ୍‌ ମିଡ୍‌ ଅଫ୍‌ ଅଞ୍ଚଳକୁ ଚୌକା ମାରି ଶୁବମନ୍‌ ସବୁ ଫର୍ମାଟ୍‌ରେ ଶତକ ମାରିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ସୁରେଶ ରାଇନା, ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ସେ ପ୍ରଥମ ଭାରତୀୟ ଭାବେ ସର୍ବାଧିକ ସ୍କୋରର ହୋଇଛନ୍ତି। ବର୍ତ୍ତମାନ ନ୍ୟୁଜିଲାଣ୍ଡର ଭାରତ ଗସ୍ତରେ ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାରେ ଶୁବମନ ୨୦୮ ରନ୍‌ର ଦ୍ବିଶତକୀୟ ପାଳି ଖେଳିଥିଲା ବେଳେ ବୁଧବାର ଟ୍ବେଣ୍ଟି-୨୦ରେ ସବୁଠୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। କେବଳ ଏତିକି ନୁହେଁ, ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୁବମନ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ହୋଇଛନ୍ତି। ଏଥିପୂର୍ବରୁ ୨୦୨୨ରେ ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି (୧୨୨*) ଓ ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା (୧୧୮) ଶତକ ମାରି ଶୀର୍ଷ ଦୁଇ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe