ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

Advertisment
ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

ଜୟପୁର: ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ୯ ୱିକେଟ୍ ହରାଇ ୧୭୯ ରନ୍ କରିଛି। ନିଜ କଷ୍ଟ ଅର୍ଜିତ ବିଜୟ ଧାରାକୁ ‌ଅତୁଟ ରଖିବା ଲାଗି ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ତିନିଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ଜିତି ବଡ଼ ସ୍କୋର୍ ଯୋଜନାରେ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ପାୱାର ପ୍ଲେ ଭିତରେ ୩ଟି ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ‌ଟ୍ରେଣ୍ଟ୍‌ ବୋଲ୍ଟଙ୍କ ପ୍ରଥମ ଓଭର୍‌ର ଶେଷ ବଲ୍‌କୁ ଛକା ମାରିବା ପ୍ରୟାସରେ ରୋହିତ ଶର୍ମା (୬) ଗଗନଚୁମ୍ବୀ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ୧୦ ବଲ୍ ବ୍ୟବଧାନରେ ଈଶାନ କିଶନ (୦) ଓ ସୂର୍ଯ୍ୟକୁମାର ଯାଦବ (୧୦)ଙ୍କୁ ଶିକାର କରି ସନ୍ଦୀପ ଶର୍ମା ମୁମ୍ବାଇ ପାଳିକୁ ଆରମ୍ଭରୁ ଦୋହଲାଇ ଦେଇଥିଲେ।

ତିଳକ ବର୍ମା (୬୫ ରନ୍, ୪୫ ବଲ୍ ୫ ଚୌକା, ୩ ଛକା) ଓ ନିହାଲ ୱାଧେରା (୪୯ ରନ୍, ୨୪ ବଲ୍, ୩ ଚୌକା, ୪ ଛକା)ଙ୍କ ଦାୟିତ୍ବବାନ ତଥା ଦ୍ରୁତ ବ୍ୟାଟିଂ ପାଇଁ ହିଁ ଦଳ ୧୭୯/୯ର ସମ୍ମାନଜନକ ସ୍କୋର୍ କରିପାରିଥିଲା। ଉଭୟ ପଞ୍ଚମ ୱିକେଟ୍ ପାଇଁ ୯୯ ରନ୍ ଯୋଡ଼ିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ନିଜ ଶତକୀୟ ମ୍ୟାଚ୍‌କୁ ସ୍ମରଣୀୟ କରି ନପାରି ମାତ୍ର ୧୦ ରନ୍‌ରେ ସୀମିତ ରହିଥିଲେ। ରାଜସ୍ଥାନ ବୋଲିଂ ବାହିନୀର ଦୁଇ ଧୂରନ୍ଧର ସ୍ପିନର ୟୁଝବେନ୍ଦ୍ର ଚହଲ ଓ ସନ୍ଦୀପ ଶର୍ମା କିନ୍ତୁ ରେକର୍ଡ ବୁକ୍‌ରେ ନିଜ ନାମକୁ ସ୍ଥାପିତ କରିଥିଲେ। ମହମ୍ମଦ ନବିଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ କରି ଚହଲ ଆଇପିଏଲ୍ ଇତିହାସର ପ୍ରଥମ ବୋଲର ଭାବେ ୨୦୦ ୱିକେଟ୍ ପୂରଣ କରିଥିଲେ। ସେହିଭଳି ସନ୍ଦୀପ ଶେଷ ଓଭର୍‌ରେ ତିନିଟି ୱିକେଟ୍ ନେଇ ନିଜ ଆଇପିଏଲ୍ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ସହ ଶ୍ରେଷ୍ଠ ବୋଲିଂ ଚିତ୍ର (୫/୧୮) ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe