ଶ୍ରୀଲଙ୍କାଠୁ ବିଜୟ ଛଡ଼ାଇ ଆଣିଲେ ଚହର, ଭାରତର ଶୃଙ୍ଖଳା ବିଜୟ

Advertisment
ଶ୍ରୀଲଙ୍କାଠୁ ବିଜୟ ଛଡ଼ାଇ ଆଣିଲେ ଚହର, ଭାରତର ଶୃଙ୍ଖଳା ବିଜୟ

କଲମ୍ବୋ: ଭାରତ ମଙ୍ଗଳବାର ହାରୁ ହାରୁ ଜିତିଗଲା। ଦ୍ବିତୀୟ ଦିନିକିଆରେ ରୋମାଞ୍ଚକ ଭାବେ ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ହରାଇ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ମଧ୍ୟ ୨-୦ରେ ଆଗୁଆ ଜିତି ନେଇଛି। ୨୭୫ ରନ୍‌କୁ ପଶ୍ଚାତଧାବନ କରିଥିବା ଶିଖର ଧାୱନଙ୍କ ଦଳ ଏକଦା ୧୯୩ ରନ୍‌ରେ ୭ ୱିକେଟ୍‌ ହରାଇ ଦେଇଥିଲା। ତେବେ ଦୀପକ ଚହର (୬୯*, ୮୨ ବଲ୍‌, ୭ ଚୌକା, ୧ ଛକା) ଏବଂ ଉପଅଧିନାୟକ ଭୁବନେଶ୍ବର କୁମାର (୧୯*, ୨୮ ବଲ୍) ଅତୁଟ ଅଷ୍ଟମ ୱିକେଟରେ ୧୪ ଓଭରରେ ୮୪ ରନ୍‌ ଯୋଡ଼ି ଅସମ୍ଭବ ଲାଗୁଥିବା ବିଜୟକୁ ୫ ବଲ୍‌ ପୂର୍ବରୁ ସମ୍ଭବ କରିଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଦୀପକ ଚହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବ୍ୟାଟିଂ ବେଳକୁ ଭାରତ ପ୍ରଥମରୁ ଏକପ୍ରକାର ଆତ୍ମସମର୍ପଣ କରିଥିଲା। ଯୁବ ତାରକା ପୃଥ୍ବୀ ସ’ (୧୩, ୧୧ ବଲ୍‌), ଈଶାନ କିଶନ (୧) ବିଫଳ ହେବା ପରେ ଶିଖର ଧାୱନ ଦାୟିତ୍ବର ସହ ନଖେଳି ୩୮ ବଲ୍‌ରୁ ୨୯ ରନ୍‌ କରି ଫେରିଆସିଥିଲେ। ଭାରତ ୬୫ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ମନୀଷ ପାଣ୍ଡେ (୩୭, ୩୧ ବଲ୍‌, ୩ ଚୌକା) ଏବଂ ସୂର୍ଯ୍ୟକୁମାର ଯାଦବ (୫୩, ୪୪ ବଲ୍‌, ୬ ଚୌକା) ଜମି ଆସିବା ପରେ ୱିକେଟ୍ ହରାଇବାରୁ ୧୧୬ ରନ୍‌ରେ ଭାରତର ଅଧା ଖେଳାଳି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ହାର୍ଦିକ ପାଣ୍ଡ୍ୟା ମାତ୍ର ୩ ବଲ୍ ଖେଳି ଦାୟିତ୍ବହୀନ ସଟ୍‌ ସହ ୱିକେଟ୍ ଫିଙ୍ଗି ଦେଇଥିଲେ। ଭାରତ ୧୬୦ ରନ୍‌ରେ ଷଷ୍ଠ ୱିକେଟ୍ ହରାଇବା ପରେ କୃନାଲ୍ ପାଣ୍ଡ୍ୟାଙ୍କ ଉପରେ ଅନେକ କିଛି ନିର୍ଭର କରିଥିଲା। ସେ କିନ୍ତୁ ୩୫ ରନ୍‌ କରି ଆଉଟ୍ ‌ହୋଇଯିବା ପରେ ପରାଜୟ ଆଶଙ୍କା ବଢ଼ିଯାଇଥିଲା। ଏହା ପରେ ଚହର-ଭୁବିଙ୍କ ଭାଗୀଦାରି ଭାରତକୁ କଷ୍ଟସାଧ୍ୟ ଲାଗୁଥିବା ବିଜୟକୁ ସହଜ କରି ଦେଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୋଟିଏ ପରିବର୍ତନ କରି ଖେଳିଥିଲା। ଦ୍ରୁତ ବୋଲର ଇସୁରୁ ଉଦାନାଙ୍କ ବଦଳରେ କସୁନ୍‌ ରଂଜିତା ଖେଳିଥିଲେ। ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ କିନ୍ତୁ ଅପରିବର୍ତିତ ଏକାଦଶକୁ ନେଇ ପଡିଆକୁ ଓହ୍ଲାଇଥିଲା। ଶ୍ରୀଲଙ୍କା ପାଇଁ ପ୍ରାରମ୍ଭିକ ଯୋଡ଼ି ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବଂ ମି‌ନୋଦ ଭାନୁକା ବଢ଼ିଆ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ୭୭ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଚତୁର୍ଦ୍ଦଶ ଓଭରର ପ୍ରଥମ ଦୁଇ ବଲ୍‌ରେ ୟୁଝବେନ୍ଦ୍ର ଚହଲ୍‌ ଦୁଇ ୱିକେଟ୍ ଅକ୍ତିଆର କରି ଭାରତକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଥିଲେ। ମିନୋଦ ଭାନୁକା (୩୬, ୪୨ ବଲ୍) ଏବଂ ଭାନୁକା ରାଜପାକ୍ସ (୦)ଙ୍କୁ ‌ଚହଲ ପ୍ୟାଭିଲିଅନ୍ ପଠାଇଥିଲେ।

ଏହା ପରେ ମଧ୍ୟକ୍ରମରେ ଧନଞ୍ଜୟ ଡି’ସିଲଭା (୩୨, ୪୫ ବଲ୍‌) ଏବଂ ଚରିତ ଅସଲାଙ୍କା (୬୫, ୬୮ ବଲ୍‌) ଭଲ ବ୍ୟାଟିଂ କରିବାରୁ ଶ୍ରୀଲଙ୍କା ଉନ୍ନତ ରନ୍‌ ହାର ବଜାୟ ରଖିଥିଲା। ପ୍ରଥମ ମ୍ୟାଚ୍‌ ଭଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଚାମିକା କରୁଣାରତ୍ନେ (୪୪*, ୩୩ ବଲ୍‌, ୫ ଚୌକା) ଚମକ ଦେଖାଇବାରୁ ଶ୍ରୀଲଙ୍କା ୨୭୫ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିନେଇଥିଲା। ଭାରତ ପକ୍ଷରୁ ୟୁଝବେନ୍ଦ୍ର ଚହଲ୍‌ ଏବଂ ଉପଅଧିନାୟକ ଭୁବନେଶ୍ବର କୁମାର ୩-୩ ୱିକେଟ୍ ନେଇଥିଲେ। ଦୀପକ ଚହର ମଧ୍ୟ ୨ ୱିକେଟ୍ ଅକ୍ତିଆର କରି ନିଜ ସ୍ଥିର ପ୍ରଦର୍ଶନ ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe