ଆଜିଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି, ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଓମାନ

Advertisment
ଆଜିଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି, ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଓମାନ

ମସ୍କଟ (ଓମାନ): ଏସୀୟ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ସଂସ୍କରଣ ଗୁରୁବାରଠାରୁ ଓମାନ ରାଜଧାନୀ ମସ୍କଟର ସୁଲତାନ କାବୁସ୍ ସ୍ପୋର୍ଟସ କଂପ୍ଲେକ୍ସରେ ଆରମ୍ଭ ହେବ। ପ୍ରଥମ ଦିନରେ ଏହି ପ୍ରତିଯୋଗିତାର ଦୁଇଟି ମ୍ୟାଚ୍ ଖେଳାଯିବ। ରାତି ୮ଟା ୨୫ରେ ମାଲେସିଆ-ଜାପାନ ମୁହାଁମୁହିଁ ହେବା ପରେ ୧୦ଟା ୪୦ରେ ଭାରତ ଆୟୋଜକ ଓମାନକୁ ଭେଟିବ। ଭାରତ ତା’ର ଦ୍ବିତୀୟ ମ୍ୟାଚ୍‌ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ମୁକାବିଲା କରିବ। ସେହିଭଳି ରବିବାର ଜାପାନ, ୨୩ ତାରିଖରେ ମାଲେସିଆ, ୨୪ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ପ୍ରତିଯୋଗିତାର ସେମିଫାଇନାଲ୍ ୨୭ ଏବଂ ଫାଇନାଲ୍ ଏବଂ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ୨୮ ତାରିଖରେ ଆୟୋଜିତ ହେବ। ଗତଥରର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ (ବିଶ୍ବ ମାନ୍ୟତାର ପଞ୍ଚମ) ଦଳ ଭାବେ ଖେଳିବ। ଏଣୁ ଏସୀୟ କ୍ରୀଡ଼ାର କାଂସ୍ୟ ପଦକ ପ୍ରଦଶର୍ନକୁ ଟପି ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିବ। ଜାକର୍ତା ଏସୀୟ କ୍ରୀଡ଼ା ଅବସରରେ ଓମାନ ସହ ଖେଳିଥିବା ଗତ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ୭-୦ ଗୋଲ୍‌ରେ ଜିତି ନେଇଥିଲା। ହେଲେ ଓମାନ କୌଣସି ପରିସ୍ଥିତିରେ ଭାରତକୁ ହାଲକା ଭାବେ ନେବ ନାହିଁ ବୋଲି ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି।

ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଲକ୍ଷ୍ୟ: ହରେନ୍ଦ୍ର
ଆମେ ଜାଣିଛୁ ଯେ ଆମ ପାଖରେ ଏକ ଭଲ ଦଳ ଅଛି। ଆମେ ଯେ କୌଣସି ଦଳକୁ ହରାଇବାକୁ ପୂରା ସକ୍ଷମ। ହେଲେ ବେ‌େଳ ବେଳେ ସମୟ ଖରାପ ଥାଏ। ଯାହା କଲେ କିଛି ବି ଆପଣଙ୍କ ସପକ୍ଷରେ ଯାଇ ନଥାଏ। ସେଥିପାଇଁ ପୂରା ୬୦ ମିନିଟ୍ ଖେଳ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସବୁଠାରୁ ବଡ଼ କଥା। ଏସୀୟ କ୍ରୀଡ଼ାରେ କରିଥିବା ତ୍ରୁଟିକୁ ଆମେ ସୁଧାରି ନେଇଛୁ ବୋଲି ମଧ୍ୟ ପ୍ରମାଣ ଦେବାକୁ ହେବ। ଦଳର ଆତ୍ମବିଶ୍ବାସ ଫେରି ପାଇବା ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ଆମ ପାଇଁ ଭଲ ସୁଯୋଗ ହେବ ବୋଲି ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe