ଚାମ୍ପିଅନ୍ସ ଟ୍ରଫି ଦଳକୁ ନେଇ ଅଙ୍କକଷା: ବାଦ୍ ପଡ଼ିପାରନ୍ତି ବରିଷ୍ଠ

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ଦୟନୀୟ ପ୍ରଦର୍ଶନ ପରେ ଏବେ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ନଜର ଚାମ୍ପିଅନ୍ସ ଟ୍ରଫି ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ୮ଦଳିଆ ଓ ୧୫ ମ୍ୟାଚ୍ ବିଶିଷ୍ଟ ପ୍ରତିଯୋଗିତାରେ ଭାରତ ତା’ର ସବୁମ୍ୟାଚ୍...

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ଦୟନୀୟ ପ୍ରଦର୍ଶନ ପରେ ଏବେ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ନଜର ଚାମ୍ପିଅନ୍ସ ଟ୍ରଫି ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ୮ଦଳିଆ ଓ ୧୫ ମ୍ୟାଚ୍ ବିଶିଷ୍ଟ ପ୍ରତିଯୋଗିତାରେ ଭାରତ ତା’ର ସବୁମ୍ୟାଚ୍...

ssfsfsf

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ଦୟନୀୟ ପ୍ରଦର୍ଶନ ପରେ ଏବେ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ନଜର ଚାମ୍ପିଅନ୍ସ ଟ୍ରଫି ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ୮ଦଳିଆ ଓ ୧୫ ମ୍ୟାଚ୍ ବିଶିଷ୍ଟ ପ୍ରତିଯୋଗିତାରେ ଭାରତ ତା’ର ସବୁମ୍ୟାଚ୍ ୟୁଏଇରେ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆରେ ଦୁର୍ବଳ ପ୍ରଦର୍ଶନ କରିଥିବା‌ କିଛି ବରିଷ୍ଠ ଖେଳାଳିଙ୍କ ମୁଣ୍ଡ ଗଡ଼ିବା ଆଶଙ୍କା ବଢ଼ିଛି। ତେବେ ଅଷ୍ଟ୍ରେଲିଆରେ ସଂପୂର୍ଣ୍ଣ ବିଫଳ ହେବା ସତ୍ତ୍ବେ ଅଧିନାୟକ ରୋହିତ ଶର୍ମା ନିଜ ପଦ ବଜାୟ ରଖିବାର ଶତପ୍ରତିଶତ ସମ୍ଭାବନା ରହିଛି। ଏହି ପ୍ରତିଯୋଗିତା ପୂର୍ବରୁ ଅବଶ୍ୟ ଭାରତ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟ୍ବେଣ୍ଟି-୨୦ ଓ ତିନିଟି ଦିନିକିଆ ଖେଳିବାର ଅଛି। ଏହି ଶୃଙ୍ଖଳା ଚଳିତ ମାସ ୨୨ ତାରିଖରୁ ଖେଳାଯିବ। ତେବେ ଚାମ୍ପିଅନ୍ସ ଟ୍ରଫି ଲାଗି ପ୍ରାଥମିକ ଦଳ ଘୋଷଣାର ଶେଷ ତାରିଖ ଚଳିତ ମାସ ୧୨ ତାରିଖ ଥିବାରୁ ଏହା ପୂର୍ବରୁ ଇଂଲଣ୍ଡ ଶୃଙ୍ଖଳା ସହ ଭାରତୀୟ ଚାମ୍ପିଅନ୍ସ ଟ୍ରଫି ଦଳ ଘୋଷଣା ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଅବଶ୍ୟ ବିସିସିଆଇ ଚାହିଲେ ଇଂଲଣ୍ଡ ଶୃଙ୍ଖଳାର ପ୍ରଦର୍ଶନ ଆଧାରରେ ଫେବ୍ରୁଆରି ୧୩ ତାରିଖ ସୁଦ୍ଧା ଏହି ଦଳରେ କିଛିଟା ଅଦଳବଦଳ କରିପାରିବ। ରିପୋର୍ଟ ଅନୁସାରେ ବର୍ଡର-ଗାଭାସ୍କର୍ ଟ୍ରଫିର ଶେଷ ମ୍ୟାଚ୍‌ରେ ଆହତ ହୋଇଥିବା‌ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଫିଟ୍‌ଥିଲେ ଚାମ୍ପିଅନ୍ସ ଟ୍ରଫି ଲାଗି ଭାରତୀୟ ଦଳର ଉପଅଧିନାୟକ ଘୋଷିତ ହୋଇପାରନ୍ତି। ଏହା କରି ଚୟନକର୍ତ୍ତା ଏହି ପଦ ଆଶାରେ ଥିବା ହାର୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କୁ ବାର୍ତ୍ତା ଦେବାକୁ ଚାହୁଥିବା ଜଣାପଡ଼ିଛି। ଉଭୟ ରାହୁଲ ଓ ପାଣ୍ଡ୍ୟା ୨୦୨୩ ବିଶ୍ବକପ୍‌ରେ ଭାରତର ଉପଅଧିନାୟକ ଦାୟିତ୍ବ ତୁଲାଇଥିଲେ। ହାର୍ଦିକ ପ୍ରଥମେ ଏହି ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ତାଙ୍କ ଗୋଇଠିରେ ଆଘାତ ଲାଗିବା ପରେ ରାହୁଲ ଏହି ପଦ ପାଇଥିଲେ। 

ନବାଗତଙ୍କୁ ନେବାକୁ ଗାଭାସ୍କରଙ୍କ ପରାମର୍ଶ
ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ସିରିଜ୍ ବିଫଳତା ପରେ ଭାରତୀୟ ଦଳରେ ଯୁବ ଓ ନବାଗତଙ୍କୁ ସୁଯୋଗ ଦେବାକୁ କିଂବଦନ୍ତି ବ୍ୟାଟର୍ ସୁନୀଲ ଗାଭାସ୍କର ପୂର୍ବତନ କ୍ରିକେଟର୍ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତିକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ଦୌଡ଼ରୁ ଭାରତ ବାଦ୍ ପଡ଼ି ସାରିଥିବାରୁ ଏବେ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଖୋଜାଯାଉ। ଏହା ସ୍ପଷ୍ଟ ଯେ ଗତ ୬ମାସ ଭିତରେ ଭାରତୀୟ ବ୍ୟାଟିଂ ବାହିନୀ ପୂରା ନିରାଶ କରିଛି। ସେଥିପାଇଁ ଆମେ ବିଫଳ ହେଲେ। ଏଣୁ ଡବ୍‌ଲ୍ୟୁଟିସିର ନୂଆ ଚକ୍ର ଲାଗି ଯଦି ଦଳରେ କିଛି ପରିବର୍ତ୍ତନ ଦରକାର ହେଉଛି, ତାହେଲେ ଚୟନକର୍ତ୍ତା ଏଥିରୁ ପଛଘୁଞ୍ଚା ଦେବା ଉଚିତ ନୁହେଁ। ବିଶେଷ କରି ଘରୋଇ କ୍ରିକେଟ୍‌ରେ ନିୟମିତ ଭାବେ ଭଲ କରି ଆସୁଥିବା ଖେଳାଳିଙ୍କୁ ଟେଷ୍ଟ୍ ଦଳରେ ସାମିଲ କରିବାକୁ ଆହ୍ବାନ କରିଛନ୍ତି ସେ। ଗାଭାସ୍କର ମଧ୍ୟ ଭାରତୀୟ ବୋଲିଂର ପ୍ରମୁଖ ଅସ୍ତ୍ର ଯଶପ୍ରୀତ୍‌ ବୁମ୍‌ରାଙ୍କ ଉପରେ ମାତ୍ରାଧିକ କାର୍ଯ୍ୟଭାର ଲଦି ନଦେବାକୁ ପରାମର୍ଶ ଦେଇଛନ୍ତି। 

ଇଂଲଣ୍ଡ ଖେଳାଳିଙ୍କୁ ‘ବର୍ଜନ’ ଆହ୍ବାନ
ତାଲିବାନର ମୌଳବାଦୀ ଚିନ୍ତାଧାରାକୁ ବିରୋଧ କରି ଆଗାମୀ ଚାମ୍ପିଅନ୍ସ ଟ୍ରଫିର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଇଂଲଣ୍ଡର କିଛି ଆଇନଜୀବୀ ସେହି ଦେଶର କ୍ରିକେଟର୍‌ଙ୍କୁ ଆହ୍ବାନ କରିଛନ୍ତି। ତେବେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏଭଳି କୌଣସି ଆଶଙ୍କାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଛି। ଇସିବି କହିଛି, ମହିଳାଙ୍କ ପ୍ରତି ତାଲିବାନର ଆଭିମୁଖ୍ୟକୁ ବିରୋଧ କରିବା ଲାଗି ଆଇସିସିର ସହମତି ଜରୁରି, ଆମେ ଏକାକୀ କିଛି କରିପାରିବୁନି। ଇଂଲଣ୍ଡ ତାର ଦ୍ବିତୀୟ ମ୍ୟାଚ୍‌ରେ ଫେବ୍ରୁଆରି ୨୬ ତାରିଖରେ ଲାହୋରଠାରେ ଆଫଗାନିସ୍ତାନକୁ ଭେଟିବାର ଅଛି। ତେବେ ଏହି ମ୍ୟାଚ୍‌ରୁ ଓହରିଯିବାକୁ ୧୬୦ଜଣ ରାଜନେତାଙ୍କ ସ୍ବାକ୍ଷର ଥିବା ଏକ ଦାବିପତ୍ର ଇସିବି ନିକଟରେ ପହଞ୍ଚିଛି। ଅନ୍ୟପକ୍ଷରେ କ୍ରିକେଟ୍‌ରେ ରାଜନୀତିକୁ ସାମିଲ ନ କରିବାକୁ ସାମାଜିକ ଗଣମାଧ୍ୟମରେ କ୍ରିକେଟ୍‌ପ୍ରେମୀମାନେ ଏହି ରାଜନେତାମାନଙ୍କୁ ଆହ୍ବାନ କରିଛନ୍ତି। 

ବୁମ୍‌ରାଙ୍କୁ ନେଇ ବଢ଼ୁଛି ଚିନ୍ତା
ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନି ଟେଷ୍ଟ୍‌ରେ ଆହତ ହୋଇଥିବା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା କେବଳ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ନୁହେଁ, ଚାମ୍ପିଅନ୍ସ ଟ୍ରଫି ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶଂସକଙ୍କ ସହ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଚିନ୍ତାରେ ରହିଛି। କିନ୍ତୁ ଏକଥା ଏକପ୍ରକାର ସ୍ପଷ୍ଟ ଯେ ଇଂଲଣ୍ଡ ବିପକ୍ଷ ଧଳା ବଲ୍ ଶୃଙ୍ଖଳାରୁ ବୁମ୍‌ରାଙ୍କୁ ବିଶ୍ରାମ ମିଳିବ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜାତୀୟ କ୍ରିକେଟ୍‌ ଏକାଡେମିର ଡାକ୍ତରମାନଙ୍କ ରିପୋର୍ଟ ଉପରେ ବୁମ୍‌ରା ଚାମ୍ପିଅନ୍ସ ଟ୍ରଫି ଦଳରେ ରହିବେ କି ନରହିବେ, ତାହା ନିର୍ଭର କରିବ। ତେବେ ଚଳିତମାସ ୧୨ ତାରିଖ ପୂର୍ବରୁ ଘୋଷଣା ହେବାକୁ ଥିବା ପ୍ରାଥମିକ ଦଳରେ ବୁମ୍‌ରାଙ୍କ ନାଁ ରହିବ। ନିର୍ଦ୍ଧାରିତ ସମୟ ଭିତରେ ଯଦି ସେ ଫିଟ୍ ନହୋଇ ପାରନ୍ତି, ତାହେଲେ ପରବର୍ତ୍ତୀ ସମୟରେ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯିବ। ମହମ୍ମଦ ସାମି, କୁଲଦୀପ ଯାଦବଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଚୟନକର୍ତ୍ତା ଉଭୟ ଇଂଲଣ୍ଡ ଶୃଙ୍ଖଳା ଓ ଚାମ୍ପିଅନ୍ସ ଟ୍ରଫି ଲାଗି ବିଚାରକୁ ନେଇ ପାରନ୍ତି। ଶ୍ରେୟସ୍ ଆୟର ମଧ୍ୟ ଦୌଡ଼ରେ ରହିବେ। ହେଲେ ଅଷ୍ଟ୍ରେଲିଆରେ ଭଲ କରିବା ସତ୍ତ୍ବେ ନୀତୀଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳି ନପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe