NDTV Sports
ଲିସବନ୍: ବେୟର୍ନ ମ୍ୟୁନିକ ସୋମବାର ୟୁରୋପୀୟ ଚାମ୍ପିଅନ୍ସ ଲିଗ୍ ବିଜେତା ହୋଇଛି। ସୋମବାର ଫାଇନାଲ୍ରେ ଏହି ଦଳ ୧-୦ ଗୋଲ୍ରେ ପ୍ୟାରିସ୍ ସେଣ୍ଟ୍ ଜର୍ମାନ୍ (ପିଏସ୍ଜି)କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଗୋଲ୍ଟି ୫୯ତମ ମିନିଟ୍ରେ କିଙ୍ଗ୍ସଲେ କୋମନ ଦେଇଥିଲେ। ଚଳିତ ବର୍ଷକୁ ମିଲାଇ ବେୟର୍ନ ମ୍ୟୁନିକର ଏହା ଷଷ୍ଠ ଚାମ୍ପିଅନ୍ସ ଟ୍ରଫି ବିଜୟ। ପ୍ରଥମ ଦଳ ଭାବେ ମଧ୍ୟ ବୟର୍ନ ମ୍ୟୁନିକ୍ ଏହି ଲିଗ୍ରେ ୧୦୦ ପ୍ରତିଶତ ସଫଳତା ପାଇଛି। ହାନ୍ସି ଫ୍ଲିକ୍ଙ୍କ ନେତୃତ୍ବରେ ବେୟର୍ନ ମ୍ୟୁନିକ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରିଛି। ତାଙ୍କ ନେତୃତ୍ବରେ ଦଳ ବୁନ୍ଦେସ୍ଲିଗାରେ ଚତୁର୍ଥ ସ୍ଥାନରେ ମଧ୍ୟ ରହିଥିଲା। ସେ ଗତ ବର୍ଷ ଦଳର ଦାୟିତ୍ବ ନେଇଥିଲେ।
ପିଏସ୍ଜି ଫାଇନାଲ୍ରେ ହାରିବା ପରେ ଏହାର ସମର୍ଥକମାନେ ଷ୍ଟାଡିୟମରେ ତାଣ୍ଡବଲୀଳା କରିଛନ୍ତି। ସେମାନେ ପୁଲିସ ଉପରକୁ ଆକ୍ରମଣ କରିବା ସହ ୧୨ ଦୋକାନ ଓ ୧୫ଟି କାର୍ ଭଙ୍ଗାରୁଜି ଦେଇଥିଲେ। ସେମାନଙ୍କ ଆକ୍ରମଣରେ ୧୬ ଜଣ ପୁଲିସ ଆହତ ହୋଇଛନ୍ତି। ଗଣ୍ଡଗୋଳକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡିଥିଲା। ଏହି ମାମଲାରେ ପୁଲିସ ୧୪୮ ଜଣ ଗଣ୍ଡଗୋଳକାରୀଙ୍କୁ ଗିରଫ କରିଛି ବୋଲି ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଜେରାଲ୍ଡ ଡାର୍ମାନିନ ସୋମବାର ଟ୍ବିଟର୍ରେ ସୂଚନା ପ୍ରଦାନ କରିଛନ୍ତି।
Follow Us