ଚନ୍ଦରପଲଙ୍କ ସମକକ୍ଷ ହେଲେ ପୁଅ

Advertisment
ଚନ୍ଦରପଲଙ୍କ ସମକକ୍ଷ ହେଲେ ପୁଅ

ବୁଲାୱା‌ୟୋ: ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟର୍‌ ଟାଗେନାରାୟଣ ଚନ୍ଦରପଲ୍‌‌ ରବିବାର ଟେଷ୍ଟ୍ କ୍ରିକେଟ୍‌‌ରେ ନୂଆ ଇତିହାସ ସୃ୍ଷ୍ଟି କରିଛନ୍ତି। ପିତା ଶିବନାରାୟଣ ଚନ୍ଦରପଲଙ୍କ ପଦାଙ୍କ ଅନୁସରଣ କରିଥିବା ଟାଗେନାରାୟଣ ‌ଜିମ୍ବାୱେ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରି ବାପ-ପୁଅ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅନ୍ୟତମ ମହାନ ଟେଷ୍ଟ କ୍ରିକେଟର୍ ଭାବେ ଶିବନାରାୟଣ ପରିଚିତ ଥିବାବେଳେ ତାଙ୍କ ସୁପୁତ୍ରଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଟେଷ୍ଟ ଶତକ ହାସଲ କରିବାରେ ଚନ୍ଦରପଲ ବାପ-ପୁଅ ନୂଆ ଯୋଡ଼ି ଉଭା ହୋଇଛନ୍ତି। ଏହି ତାଲିକାରେ ୩ ବାପ-ପୁଅ ରହିଛନ୍ତି। ସେମାନେ ହେଲେ ଲାଲା-ମହିନ୍ଦର ଅମରନାଥ, ଇଫତିକାର-ମନସୁର ଅଲୀ ଖାନ୍ ପଟୌଦୀ ଏବଂ ବିଜୟ-ସଞ୍ଜୟ ମଞ୍ଜରେକର।

ଟାଗେନାରାୟଣ କିନ୍ତୁ ପିତାଙ୍କ ଏକାଧିକ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ୨୦୭* ରନ୍‌ର ଅପରାଜିତ ପାଳି ଖେଳିଥିବା ଟାଗେନାରାୟଣ ପିତାଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍ (୨୦୩*)କୁ ଟପିଯାଇଥିଲେ। ଟାଗେନାରାୟଣ ନିଜ ତୃତୀୟ ଟେଷ୍ଟ ତଥା ପଞ୍ଚମ ପାଳିରେ ଶତକ ହାସଲ କରିବା ସହ ଏହାକୁ ଦ୍ବିଶତକରେ ପରିଣତ କରିଛନ୍ତି। ପଦାର୍ପଣର ଅଢ଼େଇ ମାସ ଭିତରେ ସେ ଶତକ ଅର୍ଜନ କରିଛନ୍ତି। ଶିବନାରାୟଣଙ୍କୁ କିନ୍ତୁ ପଦାର୍ପଣର ୮ବର୍ଷ ଏବଂ ୫୨ ପାଳି ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା ବିଦେଶରେ ପ୍ରଥମ ଶତକ ହାସଲ ପାଇଁ। ଅଗ୍ରଣୀ ଟେଷ୍ଟ୍ ‌ଖେଳାଳି (୧୬୪)ଙ୍କ ମଧ୍ୟରେ ଷଷ୍ଠରେ ଥିବା ଶିବନାରାୟଣ ୩୦ ଶତକ ସହ ମୋଟ ୧୧,୮୬୭ ରନ୍‌ ସଂଗ୍ରହ କରିଥିଲେ। ଦୀର୍ଘ ୨୧ ବର୍ଷ (୧୯୯୪-୨୦୧୫) ଧରି ୱେଷ୍ଟଇଣ୍ଡିଜ୍‌ର ପ୍ରତିନିଧିତ୍ବ କରିଥିଲେ। ଟାଗେନାରାୟଣ ଚନ୍ଦରପଲ୍ (୨୦୭*) ଏବଂ କ୍ରେଗ୍ ବ୍ରାଥ୍‌ୱେଟ୍ (୧୮୨)ଙ୍କ ପ୍ରାରମ୍ଭିକ ଯୋଡ଼ି ୩୩୬ ରନ୍‌ ଉଠାଇବାରୁ ବର୍ଷାବାଧାପ୍ରାପ୍ତ ଏହି ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌ ୪୪୭/୬ରେ ପାଳି ଘୋଷଣା କରିଛି। ଜବାବରେ ଜିମ୍ବାୱେ ତୃତୀୟ ଦିନ ସୁଦ୍ଧା ୩ ୱିକେଟ୍ ହରାଇ ୧୧୪ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe